* ଏଭଳି ଅଭାବନୀୟ ଘଟଣା ପାଇଁ ପୂର୍ବତଟ ରେଳପଥର ଦୁଃଖ ପ୍ରକାଶ।
*ଯାତ୍ରୀମାନଙ୍କୁ ସମ୍ବଲପୁର ଷ୍ଟେସନରେ ହାଲୁକା ଜଳଖିଆର ବନ୍ଦୋବସ୍ତ ରେଳବାଇ ପକ୍ଷରୁ କରାଯାଇ ଥିଲା।
ଭୁବନେଶ୍ୱର, 21/12/2020:ସୁରଟ ଯାଉଥିବା ପୁରୀ-ସୁରଟ ସ୍ପେଶାଲ ଗତକାଲି ବିଳମ୍ବିତ ମଧ୍ୟରାତ୍ରରେ ସମ୍ବଲପୁର-ଅନୁଗୁଳ ରେଳ ସେକ୍ସନ ଅନ୍ତର୍ଗତ ହାତିବାରୀ ଓ ମାନେଶ୍ଵର ରେଳ ଷ୍ଟେସନ ମଧ୍ୟରେ ଏକ ହାତୀ ସହିତ ଧକ୍କା ଦେବା ଫଳରେ ଟ୍ରେନ୍ ଇଞ୍ଜିନ୍ ର ସମସ୍ତ ଆଗ ଚକଗୁଡିକ ଲାଇନଚ୍ୟୁତ ହୋଇଥିଲା |
ସମ୍ବଲପୁର ରେଳମଣ୍ଡଳ ଦ୍ୱାରା ହାତୀଙ୍କ ଚଳାଚଳ ପାଇଁ ସତର୍କତା ଅବଲମ୍ବନ କରାଯାଇଥିବାରୁ ଟ୍ରେନ୍ 50 କିଲୋମିଟର ବେଗରେ ରାତ୍ର ୧ଘ.୫୫ମି.ରେ ହାତିବାରୀ ଷ୍ଟେସନ ଛାଡିଥିଲା | ଟ୍ରେନ୍ ସହିତ ଦୁର୍ଘଟଣାରେ ହାତୀଟି ଟ୍ରେନ୍ ଇଞ୍ଜିନର ଆଗ ଭାଗ ସହିତ ଛନ୍ଦି ହୋଇଥିଲା। ଏଥିରେ କୌଣସି ଯାତ୍ରୀଙ୍କ ମୃତ୍ୟୁ କିମ୍ବା ଆହତ ହୋଇନାହିଁ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ସୂଚନା ପାଇବା ପରେ ପୂର୍ବ ତଟ ରେଳପଥ ତରଫରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଥିଲା | ସମ୍ବଲପୁର ଡିଭିଜନାଲ ରେଲୱେ ମ୍ୟାନେଜର ଶ୍ରୀ ପ୍ରଦିପ କୁମାରଙ୍କ ନେତୃତ୍ୱରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଇଞ୍ଜିନର ପୁନଃ ରକ୍ଷଣାବେକ୍ଷଣ କାର୍ଯ୍ୟ ତଦାରଖ କରିବା ସହିତ ଟ୍ରେନର ସମସ୍ତ କୋଚ କୁ ହାତିବାରୀ ଷ୍ଟେସନକୁ ଶୀଘ୍ର ଫେରିବା ଏବଂ ରେଳ ଟ୍ରାକ୍ ସଫା କରିବା ନିଶ୍ଚିତ କରାଇଥିଲେ |
ବନ ବିଭାଗର ବିଭାଗୀୟ ଅଧିକାରୀମାନେ ଡିଭିଜିନାଲ ଫରେଷ୍ଟ ଅଫିସର ଡକ୍ଟର ସଞ୍ଜିତ କୁମାରଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପହଞ୍ଚି ବରିଷ୍ଠ ରେଳ ଅଧିକାରୀଙ୍କ ସହ ତଦନ୍ତ ଆରମ୍ଭ କରିଥିଲେ। ସକାଳ ୭ଘ.୧୦ମି.ରେ ଟ୍ରାକ ଫିଟ୍ ସହିତ ଜଙ୍ଗଲ ବିଭାଗ କ୍ଲିୟରାନ୍ସ ପରେ ପୁରୀ-ସୁରଟ ସ୍ପେଶାଲ ହାତିବାରୀ ଷ୍ଟେସନରୁ ସକାଳ ୭ ଘ.୨୪ମି.ରେ ଛାଡିଥିଲା | ପୂର୍ବ ତଟ ରେଳପଥ ଦ୍ୱାରା ସମ୍ବଲପୁର ଷ୍ଟେସନରେ ଯାତ୍ରୀମାନଙ୍କୁ ହାଲୁକା ଜଳଖିଆ ପ୍ରଦାନ କରାଯାଇଥିଲା ।
