ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍, ଆଇ.ଆର.ଟି.ଏସ୍ ଙ୍କୁ ବିଦାୟ ଅବସରରେ ସମ୍ମାନିତ କରାଯାଇଛି। ନିଜ ମୂଳ କ୍ୟାଡର୍କୁ ଫେରି ଦକ୍ଷିଣତଟ ରେଳପଥରେ ଯୋଗଦାନ କରିବା ଅବସରରେ ଏହି ବିଦାୟକାଳୀନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ (Freight) ଶ୍ରୀ ମନୋଜ ବାବୁ, ସହାୟକ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଏଚ୍. ଏନ୍. ନାୟକ ଏବଂ ସହାୟକ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ/ଖୋର୍ଦ୍ଧାରୋଡ଼ ଶ୍ରୀମତୀ ଡିମ୍ପଲ୍ କୌଶିକଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଖୋର୍ଦ୍ଧାରୋଡ଼ ମଣ୍ଡଳରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ଅନିଲ କୁମାର ଏସ୍ଙ୍କ ଉଲ୍ଲେଖନୀୟ ଅବଦାନ, କର୍ତ୍ତବ୍ୟନିଷ୍ଠା ଓ ସମର୍ପିତ ସେବାକୁ ସ୍ମରଣ କରିଥିଲେ। ବାଣିଜ୍ୟ ବିଭାଗର କାର୍ଯ୍ୟକୁ ସୁଚାରୁ ଓ ଦକ୍ଷତାର ସହ ପରିଚାଳନା କରିବାରେ ତାଙ୍କ ଉଦ୍ୟମ ଓ ଅବଦାନକୁ ସମସ୍ତେ ପ୍ରଶଂସା କରିଥିଲେ। ଏଥିସହ ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ଅନିଲ କୁମାର ଏସ୍ ବିଭିନ୍ନ ବାଣିଜ୍ୟିକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହାସଲ କରିବାରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ। ତାଙ୍କ ନେତୃତ୍ୱରେ ମଣ୍ଡଳର ରାଜସ୍ୱ ବୃଦ୍ଧି ସହିତ ବାଣିଜ୍ୟିକ କାର୍ଯ୍ୟକଳାପରେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ ହୋଇଥିଲା।
ବିଶେଷକରି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ବିପୁଳ ଯାତ୍ରୀ ସମାଗମକୁ ଦୃଷ୍ଟିରେ ରଖି ଯାତ୍ରୀ ପରିବହନ ବ୍ୟବସ୍ଥାର ସଫଳ ଓ ସୁଚାରୁ ପରିଚାଳନାରେ ତାଙ୍କ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥିସହ ତୀବ୍ର ଟିକେଟ୍ ଯାଞ୍ଚ ଅଭିଯାନ ମାଧ୍ୟମରେ ରେଳବାଇର ରାଜସ୍ୱ ବୃଦ୍ଧି, ମାଲ ପରିବହନ ବ୍ୟବସ୍ଥାର ସୁଦୃଢ଼ ପରିଚାଳନା ଏବଂ ଅଣଭଡ଼ା ରାଜସ୍ୱର ବିଭିନ୍ନ ଉତ୍ସକୁ ବୃଦ୍ଧି କରିବା ଦିଗରେ ମଧ୍ୟ ତାଙ୍କ ଅବଦାନ ଉଲ୍ଲେଖନୀୟ ଥିଲା।
ତାଙ୍କ କାର୍ଯ୍ୟକାଳରେ ରେଳ ଷ୍ଟେସନଗୁଡ଼ିକରେ ଖାଦ୍ୟ ପରିବେଷଣ ଓ ଯାତ୍ରୀ ସେବା ବ୍ୟବସ୍ଥାରେ ଉନ୍ନତି ସହିତ ଷ୍ଟେସନ ବିକାଶ କାର୍ଯ୍ୟକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ଫଳରେ ମଣ୍ଡଳର ବିଭିନ୍ନ ପ୍ରମୁଖ ଷ୍ଟେସନରେ ଯାତ୍ରୀ ସୁବିଧା ଓ ଆବଶ୍ୟକୀୟ ଭିତ୍ତିଭୂମିର ଆଧୁନିକୀକରଣ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିଲା।
ବିଦାୟ ଅବସରରେ ଶ୍ରୀ ଅନିଲ କୁମାର ଏସ୍ ଖୋର୍ଦ୍ଧାରୋଡ଼ ମଣ୍ଡଳର ଅଧିକାରୀ ଓ କର୍ମଚାରୀମାନଙ୍କ ନିକଟରୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଦକ୍ଷିଣତଟ ରେଳପଥରେ ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସଫଳତାମୟ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
