Odisha news

ଏବେବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ ଦୁର୍ଗମ ଗାଁ କୁ ବାବୁ ମାନଙ୍କ ପାଦ ପଡୁନି : ନିରୀହ ଶିଶୁ ଙ୍କୁ ଦିଆ ଯାଉଛି ଚେଙ୍କ ନିର୍ଯ୍ୟାତନା…

0
ରା.ଉଦୟଗିରି: ଗଜପତି ଜିଲ୍ଲାର ପୁରୁଣାପାଣି ପଂଚାୟତ ଅଞ୍ଚଳରେ ଯେତେଗୁଡ଼ିଏ ଦୁର୍ଗମ ଗ୍ରାମ ଅଛି ଅଧିକାଂଶ ଗ୍ରାମରେ ଏହି ଅନ୍ଧବିଶ୍ୱାସ ପ୍ରଚଳିତ କି ପିଲାଙ୍କ ପେଟରେ ଚେଙ୍କ ଦେଲେ ସେମାନେ ଜୀବନ ସାରା ସୁସ୍ଥ ରହିବେ। ସେମାନଙ୍କୁ ରୋଗ ହେବ ନାହିଁ। ଏଥିପାଇଁ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ପିଲାଙ୍କୁ ଗଣ ଚେଙ୍କ ଦିଆଯାଏ । ଆଉ ଯେଉଁମାନେ ରହିଗଲେ ସେମାନଙ୍କୁ ପରବର୍ତ୍ତୀ କାଳରେ ସମୟ ସୁବିଧା ଦେଖି ଚେଙ୍କ ଦିଆଯାଏ  ।
ସ୍ଥାନୀୟ ଲୋକଙ୍କ ମତାନୁସାରେ, ଏମିତି କରିବାର କାରଣ ହେଲା ଆମେ କେବେ ମେଡିକାଲ ଦେଖିନୁ କି  ମେଡିକାଲ କର୍ମଚାରୀଙ୍କୁ ଦେଖିନୁ । ଏମିତିରେ ଆମ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବ କିଏ ? ସେମାନଙ୍କୁ ସେମିତି ଛାଡିଦେବୁ ନା ନିରୋଗ ରଖିବା ପାଇଁ ନିଜସ୍ୱ ଢ଼ଙ୍ଗରେ କିଛି ବନ୍ଦୋବସ୍ତ କରିବୁ । ଅଞ୍ଚଳବାସୀଙ୍କ ଯୁକ୍ତି ଅଜବ ନୁହଁ, କିନ୍ତୁ ବିଶ୍ୱାସ ଅଜବ ଥିଲା । ହେଲେ ଏମାନଙ୍କ ପାଖକୁ ଯାଇ ଏଭଳି ଅଜବ ବିଶ୍ୱାସକୁ ଦୂର କରିବ କିଏ ? ଏହି ପ୍ରଶ୍ନର ଉତ୍ତର ଦେବ କିଏ ? ଅନ୍ଧବିଶ୍ୱାସ ଆଳରେ ପିଲାଙ୍କୁ ଶାରୀରିକ ପୀଡା ଦେବା ଦଣ୍ଡନୀୟ ନୁହଁ କି ?ଗତ ଗୁରୁବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଆଖଡାସାହି ଗ୍ରାମରେ । ଝାଞ୍ଜରାରେ ତତଲା କୋଇଲାରେ ପୁଞ୍ଜିଦା ତତାଇ ଛୋଟ ପିଲାମାନଙ୍କୁ ଚେଙ୍କ ଦିଆଯାଉଥିଲା ।
ତିନି ଚାରି ଟୋପା ଚେଙ୍କ ଖାଇ ପିଲାଏ କାନ୍ଦି କାନ୍ଦି ତଳେ ଗଡୁଥିଲେ । ଆଉ ପିଲାଙ୍କୁ ବୁଝାଇବା ପାଇଁ ଫୋଟକା ପେଟରେ ଟିକେ ତେଲ ଲଗାଇ ଦେଉଥିଲେ ସେମାନଙ୍କର ଅଭିଭାବକ । ଚେଙ୍କ ଦେବା ପୂର୍ବରୁ କିନ୍ତୁ ପିଲାଙ୍କୁ ଲିଆ କିମ୍ବା ଚକୋଲେଟ ଖାଇବାକୁ ଡକାଯାଉଥିଲା । ଏସବୁ ଅଞ୍ଚଳରେ ପ୍ରଚଳିତ ଜାଣି ସୁଦ୍ଧା ପଂଚାୟତ ଗଠନ ପରେ ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସ ପ୍ରଶାସନ ପକ୍ଷରୁ କେତେଥର ସଚେତନ କରିଛନ୍ତି ଏହାର ସ୍ପଷ୍ଟ ଉତ୍ତର ମିଳିବା ମୁସ୍କିଲ । ଏନେଇ ର.ଉଦୟଗିରି ସରପଞ୍ଚ ସଂଯୁକ୍ତା ପୂଜାରୀଙ୍କ ମତ ଥିଲା ଯେ, ମୁଁ ମଧ୍ୟ ପିଲାବେଳେ ଚେଙ୍କ ଖାଇଛି । ତେବେ ପିଲାଙ୍କୁ କଷ୍ଟ ଲାଗୁଥିବାବେଳେ ଜୋର ଜବରଦସ୍ତ ଚେଙ୍କ ଦେବା ଅମାନବିକତା ବ୍ୟତୀତ ଆଉ କିଛି କୁହାଯିବନି ବୋଲି କହିଥିଲେ ।
କାରଣ ତାଙ୍କ ପରିବାରବର୍ଗ ଚେଙ୍କ ଦିଆ ପ୍ରଥାକୁ ବିରୋଧ କରନ୍ତି ।ଦୁର୍ଗମ ଅଞ୍ଚଳରେ ଯେତେଥର ଏଭଳି ସାମାଜିକ କୁସଂସ୍କାର ବିଷୟ ପ୍ରକାଶିତ ହୋଇଛି ଏଥିରୁ ଥରଟେ ହେଲେ ମଧ୍ୟ କୌଣସି ସରକାରୀ ପଦାଧିକାରୀ ଏହି ଅଞ୍ଚଳରେ ପାଦ ମଧ୍ୟ ଦେଇନାହାନ୍ତି । ପଂଚାୟତ ଗଠନ ପରେ ରାସ୍ତା ଅବସ୍ଥାରେ ଧୀରେ ଧୀରେ ସୁଧାର ହେଉଥିବାରୁ ଏଣିକି ସରକାରୀ ବାବୁମାନେ ଚାହିଁଲେ ଏହି ଅଞ୍ଚଳ ଭିତରେ ପ୍ରବେଶ କରିପାରିବେ । ଆଉ ଏଭଳି ହେଲେ ଶିଶୁଙ୍କ ଉପରେ ଏହି ନିର୍ଯ୍ୟାତନା ମଧ୍ୟ ବନ୍ଦ ହେବାର ସମ୍ଭାବନା ବଢ଼ିଯିବ । ହେଲେ ଅଞ୍ଚଳ ଭିତରେ ପ୍ରବେଶ କରିବ କିଏ ? ଯୋଉଠି ପଂଚାୟତ ନିର୍ବାହୀ ଅଧିକାରୀମାନେ ଜାଡାପାଣି, ଆଖଡାସାହି, ଗୁଣ୍ଡରୀସାହି, ରୁବାଲ, କାଲାଦ୍ଵାରୀ ଗ୍ରାମ ଦେଖିନାହାନ୍ତି ସେଇଠି ବଡ଼ବାବୁମାନେ ମୁହଁ ଦେଖାଇବେ କି ଏଭଳି ପ୍ରଶ୍ନର ଉତ୍ତର ପାଇବା ପାଇଁ ଆହୁରି କିଛିଦିନ ଅପେକ୍ଷା କରିବାକୁ ପଡ଼ିବନି ତ !

Leave A Reply