ପୁରୀ,୭ା୧ :ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସିଦ୍ଧମହାବୀର ଅଞ୍ଚଳରୁ ୨୦୦ଗ୍ରାମ୍ ବାଉନ୍ ସୁଗାର ଜବତ କରାଯାଇଛି । ଏହି ଚୋରା ମାଦକ ଦ୍ରବ୍ୟ କାରବାରରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟହେଲେ ସିଦ୍ଧମାହବୀର ଅଞ୍ଚଳର ରଘୁନାଥ ଦାସ ଓ ଶିବ ପ୍ରସାଦ ବେହେରା । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୦ଲକ୍ଷ ଟଙ୍କାହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଅବକାରୀ ଏସ୍ଆଇ ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ପାଟ୍ରୋଲିଂ ଚାଲୁଥିବାବେଳେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ଅବକାରୀ ଟିମ୍ ସିଦ୍ଧ ମହାବୀର ଲେବୁଲ କ୍ରସିଂ ନିକଟରେ ବ୍ରାଉନ୍ ସୁଗାର ବିକୁଥିବା ରଘୁନାଥକୁ କାବୁ କରିନେଇଥିଲେ । ତାଙ୍କ ନିକଟରୁ ଏକ ଜରି ପୁଡ଼ିଆରେ ଥିବା ବ୍ରାଉନ୍ ସୁଗାର ଜବତ କରିଥିଲେ । ଏହା ପରେ ଟିମ୍ର ସଦସ୍ୟମାନେ ସିଦ୍ଧମହାବୀର ଗେଟ୍ ସମ୍ମୁଖରେ ବ୍ରାଉନ୍ସୁଗାର ବିକ୍ରି କରୁଥିବା ଶିବପ୍ରସାଦଙ୍କୁ କାବୁ କରିନେଇ ତାଙ୍କ ନିକଟରୁ ଏକ ଜରି ପ୍ୟାକେଟ୍ରେଥିବା ବ୍ରାଉନ୍ ସୁଗାର ଜବତ କରିଥିଲେ । ଉଭୟଙ୍କ ଠାରୁ ୨୦୦ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇ ସେମାନଙ୍କ ବିରୋଧରେ ଏନ୍ଡ଼ିପିଏସ୍ ଆକ୍ଟର ବିଭିନ୍ନଧାରାରେ ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାଯାଇଛି ।
