ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ମଙ୍ଗଳବାର ସନ୍ଧ୍ୟାରେ ବିଭିନ୍ନ ରାଜନୈତିକ ଦଳ ଓ ଏଏସଆଇ ଅଧିକାରୀ ମାନେ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ଆଲୋଚନା ପ୍ରାୟ ଦୁଇ ଘଣ୍ଟା ଧରି ଚାଲି ଥିଲା। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବିରୋଧ ନକରି ସହଯୋଗ କରିବା ପାଇଁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଶଙ୍କରାଚାର୍ଯ୍ୟ ସମସ୍ତ ରାଜନୈତିକ ଦଳ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଏହି ଆଲୋଚନା ବେଳେ ବିଜେପି ମୁଖପାତ୍ର ଯତୀନ ମହାନ୍ତି, ବିଜେଡି ମୁଖପାତ୍ର ଲେଲିନ ମହାନ୍ତି,ଐତିହ୍ୟ ବିଶାରଦ ଅନିଲ ଧୀର, ସ୍ଥପତି ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ଏଏସଆଇ ଅଧିକାରୀ, ଓବିସିସି ଅଧିକାରୀମାନେ ଉପସ୍ଥିତ ଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ଗତ କାଲି ସନ୍ଧ୍ୟାରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପରିପ୍ରେକ୍ଷୀରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ବୀର ବିକ୍ରମ କେଶରୀ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଥିଲେ। ତେବେ ଉଭୟ ପକ୍ଷଙ୍କ ସହ ଆଲୋଚନା ଜରୁରୀ ବୋଲି କହି ଥିଲେ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ।