ଯଦୁମଣି ପାଣିଗ୍ରାହୀ : ନିଜେ କହୁଥିବା କଥାକୁ କାମରେ ଲଗାଇ ନ ପାରିଲେ ଉଚ୍ଚାରଣ ଓ ଆଚରଣରେ ତାଳମେଳ ରହୁନି ବୋଲି ଧରି ନିଆଯାଏ । ଏକଦା ଜଣେ ପ୍ରବଚକ କୌଣସି ଏକ ପ୍ରବଚନ ସଭାରେ ବାଇଗଣର ଅପକାରିତା ଉପରେ ଉପସ୍ଥିତ ଶ୍ରୋତାଙ୍କୁ ଖୁବ ସୁନ୍ଦର ଭାବେ ପ୍ରବଚନ ଦେଉଥିଲେ । ପରେ ସେ ଘରକୁ ଫେରି ନିଜ ପତ୍ନୀଙ୍କୁ ରାତ୍ରୀଭୋଜନର ବ୍ୟବସ୍ଥା କରିବାକୁ କହିଲେ ଆଉ ତାଙ୍କ ପତ୍ନୀ ମଧ୍ୟ ଯଥାଶିଘ୍ର ସ୍ୱାମୀଙ୍କ ଆଗରେ ଖାଦ୍ୟ ପରିବେଷଣ କରିଦେଲେ । ମାତ୍ର ପ୍ରବଚକଙ୍କ ଅତି ପ୍ରିୟ ବାଇଗଣ ତରକାରୀ ନଥିବାର ଦେଖି ସେ ନିଜ ପତ୍ନୀଙ୍କୁ ଏହାର କାରଣ ସଂପର୍କରେ ପଚାରିଲେ । ପତ୍ନୀଜଣଙ୍କ ଖୁବ ନମ୍ରତାର ସହ କହିଲେ ତୁମେ ପରା କିଛି ସମୟ ପୂର୍ବରୁ ବାଇଗଣର ଅପକାରିତା ଉପରେ ଦୀକ୍ଷାନ୍ତ ପ୍ରବଚନ ଦେଉଥିଲ ଓ ଏବେ ପୁଣି ତାହା ଖାଇବା ପାଇଁ ମାଗୁଛ କିପରି? ପ୍ରବଚକ ନିଜ ପତ୍ନୀଙ୍କ ଉପରେ ବିଗିଡି ଯାଇ କହିଲେ ଧେତ୍ ତେରିକା ଇଏ କ’ଣ ସେ ବାଇଗଣ, ସିଏ ପରା ପ୍ରବଚନ ବାଇଗଣ ।
ଆଜିକାଲି ଆମ ସମାଜରେ ଅଧିକାଂଶ ଲୋକ ଏହିଭଳି । ସେମାନଙ୍କ କଥା ଓ କାମରେ କୌଣସି ସାମଞ୍ଜସ୍ୟ ନାହିଁ । ସେମାନେ କହିଥାନ୍ତି ଗୋଟେ ଓ କାମରେ କରିଥାନ୍ତି ଆଉ ଗୋଟେ । ସଭାସମତି ଓ ଉତ୍ସବ ଅନୁଷ୍ଠାନରେ ଖୁବ ମୂଲ୍ୟବାନ ଭାଷଣ ଦେଇ ନୀତି ଆଦର୍ଶର କଥା କହୁଥିବା ଲୋକେ ସେମାନଙ୍କ କାର୍ଯ୍ୟରେ ସେସବୁ ପ୍ରତିଫଳିତ କରାଇବାକୁ ଚେଷ୍ଟା କରି ନଥାନ୍ତି । ଘରେ ପରିବାରରେ ପିଲାମାନଙ୍କୁ ସତ୍ ପରାମର୍ଶ ଓ ସତ୍ ଶିକ୍ଷା ଦେଉଥିବା ପିତାମାତା ଓ ଅଭିଭାବକ ମାନେ ଏହାକୁ ନିଜେ ପାଳନ କରୁନଥିବାର ଅନେକ ନଜିର ରହିଛି । ନିଜେ ବିଳମ୍ବିତ ସମୟ ଯାଏଁ ଶୋଇ ରହି ଓ ଘଣ୍ଟା ଘଣ୍ଟା ମନୋରଞ୍ଜନରେ ନିଜକୁ ବୁଡାଇ ରଖି ପିଲାମାନଙ୍କୁ ଏଥିନେଇ ବିରୋଧ କରିବାର ମାନେ କ’ଣ? ଏହାର ପ୍ରଭାବ କ’ଣ ପିଲାମାନଙ୍କ ଉପରେ ପଡିବ । ମୋଟେ ନୁହେଁ । ବରଂ ପିଲାମାନେ କେତେବେଳେ ଆପଣଙ୍କୁ ଜବାବ ମାଗିଦେଇ ପାରନ୍ତି, ଏଥିପାଇଁ ସତର୍କ ଥିବେ । ପ୍ରବଚନ ସଭାରେ ହେଉ କିମ୍ବା ଟିଭି ପରଦା ଉପରେ ସାଧୁସନ୍ଥଙ୍କ ବଚନକୁ ଅତି ଚମକ୍ରାର ଭାବରେ ଉପସ୍ଥାପନ କରି ପାରୁଥିବା ପ୍ରବଚକ ମାନେ କ’ଣ ଏହାକୁ ନିଜ ଜୀବନରେ ପାଳନ କରିବାକୁ ଯତ୍ନବାନ ହୋଇଥାନ୍ତି କି? ବେଳେବେଳେ ସରକାରୀ ଦପ୍ତର ମାନଙ୍କରେ ଏଭଳି ଅନେକ ଅଧିକାରୀଙ୍କୁ ସାଧୁତା ଓ ସଚ୍ଚୋଟତା ଉପରେ ଅତ୍ୟନ୍ତ ମୂଲ୍ୟବାନ ଭାଷଣ ଦେବାର ଦେଖିବାକୁ ମିଳିଥାଏ । ମାତ୍ର ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ପଡିଥିବା ବହୁ ନଜିର ରହିଛି । ବିଦ୍ୟାଳୟରେ ଏମିତି ଅନେକ ଶିକ୍ଷକ-ଶିକ୍ଷୟିତ୍ରୀ ଅଛନ୍ତି ଯେଉଁମାନେ ପିଲାମାନଙ୍କୁ ବେଶ ଉପଦେଶତ୍ମାକ ଓ ମୂଲ୍ୟବାନ କଥା ମାନ କହୁଥିବା ବେଳେ ନିଜେ ଏହାକୁ ପାଳନ କରିବାକୁ କୁଣ୍ଠାବୋଧ କରିଥାନ୍ତି ।
ନିର୍ବାଚନ ଆସିଲେ ରାଜନେତା ମାନେ ଭୋଟରଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି । କ୍ଷମତାକୁ ଆସିଲେ ଏମିତି କରିଦେବୁ ସେମିତି କରିଦେବୁ କହି ନାନା ତୁମ୍ବିତୋଫାନ କରିଥାନ୍ତି । ମାତ୍ର ନିର୍ବାଚନ ପରେ କାଶିଆ କିଏ ନା କପିଳା କିଏ । କ୍ଷମତାରେ ଥିବା ରାଜନୈତିକ ଦଳ ଓ ଏହାର ନେତାମାନେ ବି ନିଜ କଥା ଓ କାମରେ ସାମଞ୍ଜସ୍ୟ ରକ୍ଷା କରିବାରେ ଅନେକ ସମୟରେ ବିଫଳ ହୋଇଥାନ୍ତି । କେବଳ ସେତିକି ନୁହେଁ ଆମ ସମାଜରେ ଅନେକ ଉଚ୍ଚପଦସ୍ଥ ଅଧିକାରୀ, ବୁଦ୍ଧିଜୀବୀ ତଥା ସମ୍ମାନସ୍ପଦ ବ୍ୟକ୍ତି ସଭାସମିତିରେ ମାତୃଭାଷାର ଉନ୍ନତି ଓ ସୁରକ୍ଷା ଉପରେ ଦୀର୍ଘ ସମୟ ଧରି ଆଲୋଚନା କରୁଥିବା ବେଳେ ସେମାନଙ୍କ ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢାନ୍ତି । ଇଂରାଜୀ କହିବାକୁ ଓ ଲେଖିବାକୁ ଭଲ ପାଆନ୍ତି ସର୍ବୋପରି ସେମାନଙ୍କ ପିଲାଛୁଆଙ୍କ ବିବାହ-ବ୍ରତ ନିମନ୍ତ୍ରଣ ପତ୍ର ଇଂରାଜୀରେ ଛପାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ନିଶା ନିବାରଣ ଓ ସୁରକ୍ଷିତ ସଡକ ଯାତ୍ରା ଉପରେ ବେଶ କହିବୋଲି ପାରୁଥିବା ଲୋକେ ନିଶା ସେବନ କରି ଅସୁରକ୍ଷିତ ଭାବେ ଗାଡି ଚଳାଇବା ଘଟଣାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବାହାରେ ପରିଶ୍ରା କରିବା କିମ୍ବା ବଜାର ହାଟରେ ସର୍ବ ସମ୍ମୁଖରେ ଧୂମପାନ କରିବା ବେଆଇନ କାର୍ଯ୍ୟ ବୋଲି ଲୋକଙ୍କୁ ସଚେତନ କରାଉଥିବା ପୋଲିସ ବାବୁ ମାନେ ବି ବେଳେ ବେଳେ ଏହାକୁ ଅମାନ୍ୟ କରିବାର ଦେଖାଯାଇଥାଏ ।
ଆମ ସମାଜରେ ଅଧିକାଂଶ ଲୋକଙ୍କର ଉଚ୍ଚାରଣ ଓ ଆଚ୍ଚରଣରେ ସାମଞ୍ଜସ୍ୟ ନ ରହିବା କାରଣରୁ ବ୍ୟକ୍ତିଗତ ଜୀବନ ଠାରୁ ପାରିବାରିକ ଓ ସାମାଜିକ ଜୀବନରେ ଘୋର ବିଭ୍ରାଟ ଦେଖା ଦେଇଛି । ନେତା ମନ୍ତ୍ରୀ ଓ ପ୍ରଶାସନିକ ପଦାଧିକାରୀ ମାନେ ବିଭିନ୍ନ ସମୟରେ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେବାକୁ ପଛାନ୍ତି ନାହିଁ । ମାତ୍ର ଏହାକୁ ପାଳନ କରିବାରେ ସେତେଟା ଆନ୍ତରିକତା ଦେଖାଇ ନଥାନ୍ତି । ଆମ ନଜରରେ ଏମିତି ବିଭିନ୍ନ ବର୍ଗର ଲୋକ ଅଛନ୍ତି ଯେଉଁମାନେ ଯେଉଁ କାର୍ଯ୍ୟରେ ନିୟୋଜିତ ଥାଆନ୍ତୁ ନା କାହିଁକି ସେମାନଙ୍କ ଉଚ୍ଚାରଣ ଓ ଆଚରଣରେ ତାଳମେଳ ରହିବା ଜରୁରୀ । କୌଣସି କଥା କହି ତାହା ପାଳନ ନ କରିବା ହେଉଛି ନିଜ ସହ ନିଜର ବିଶ୍ୱାସ ଘାତକତା । ଯେଉଁମାନେ ନିଜ ଜୀବନରେ କଥା ଓ କାମରେ ତାଳମେଳ ରଖି ଚଳିଥାନ୍ତି ସେମାନେ ସର୍ବଦା ଅନ୍ୟର ପ୍ରଶଂସାଭାଜନ ହୋଇଥାନ୍ତି । ସେମାନଙ୍କ ପ୍ରତି ଅନ୍ୟମାନଙ୍କ ଆସ୍ଥା ଓ ବିଶ୍ୱାସ ବଢିବା ସହିତ ସେମାନଙ୍କର ପ୍ରଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିଥାଏ ଓ ସେମାନେ ଅନ୍ୟ ମାନଙ୍କ ଲାଗି ଚିରକାଳ ଉଦାହରଣ ପାଲଟିଥାନ୍ତି ।