Odisha news

ନେତାକୁ ନେଇ ଦଳ ନା ଦଳକୁ ନେଇ ନେତା?

ଗୋପାଳ ଚନ୍ଦ୍ର ନାଥ : ଭାରତୀୟ ରାଜନୀତିରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳୁଛିା ରାଜନୀତିରେ ସବୁ ସମ୍ଭବ ବୋଲି କହିବାକୁ ନେତାମାନେ ପଛାଉ ନାହାଁନ୍ତି, ଓ ନିଜ ମନ ମର୍ଜିରେ ଯାହା ଚାହୁଁଚନ୍ତି, ତା’ କରି ଯାଉଛନ୍ତି । ଦେଶ ସ୍ୱାଧିନ ପୂର୍ବରୁ ଇଂରେଜ କବଳରୁ ଦେଶକୁ ମୁକୁଳାଇବା ସହ ଦେଶରେ ପୂର୍ବରୁ ପ୍ରଚଳିତ ରାଜତନ୍ତ୍ରକୁ ହଟାଇ ଗଣତନ୍ତ୍ର ଶାସନକୁ ପ୍ରତିଷ୍ଠିତ କରିବା ପାଇଁ କିଛି ମହା ମନିଷୀ ଏକଜୋଟ ହୋଇ ଏକ ଦଳ ଗଠନ କରିଥିଲେ, ଯାହାର ମୂଳ ଲକ୍ଷ ରାଜନୀତି ଥିଲା ଓ ସ୍ୱତଃ ଦେଶରେ ଅନେକ ରାଜନୈତିକ ଦଳର ଗଠନ ହୋଇଥିଲାା ପ୍ରତ୍ୟେକ ଦଳର କିଛି ନା କିଛି ମହତ ଉଦେ୍ଦଶ୍ୟ ସହ କିଛି ଲକ୍ଷ ଥିଲା । ସେ ସାମ୍ୟବାଦ ହେଉ, ଧର୍ମ ଭିତିକ ହେଉ ବା ଆଂଚଳିକବାଦ ହେଉ, ଦେଶରେ ସ୍ୱାଧିନ ପୂର୍ବରୁ ଓ ପରେ ଅନେକ ରାଜନୈତିକ ଦଳ ସୃଷ୍ଟି ହୋଇଛି ଓ ୟା’ଭିତରେ କେତେକ ଦଳ ନିଜର ରୂପ ବଦଳାଇ ଅନ୍ୟ ନାମରେ ରହିଥିବା ବେଳେ କେତେକଙ୍କ ନାଆଁ ନିଷାନ ଆଉ ଭାରତବର୍ଷରେ ନାହିଁ । କିନ୍ତୁ ବିଶେଷ ଭାବେ ଦେଖିବାକୁ ଗଲେ ବହୁ ନେତାର ଜନ୍ମ ଗୋଟିଏ ଦଳରେ ହୋଇ କାର୍ଯ୍ୟାରମ୍ଭ କରି ନିଜର କୌଣସି କାରଣ ହେତୁ ସେ ଦଳରୁ ସମ୍ପର୍କ ଛାଡି ଅନ୍ୟ ଗୋଟିଏ ଦଳରେ ଯୋଗ ଦେଇଥାଏ ତ ଆଉ କିଛି ନେତା ନିଜର ନୀତି ଆଦର୍ଶ୍ୟକୁ ନେଇ ମଧ୍ୟ ନୂତନ ଦଳ ଗଠନ କରିଥିବା ଦେଖାଯାଏ । କିନ୍ତୁ ଆଜି ଯେଉଁ ବିଷୟ ଏଠି ଆଲୋଚନା ହେବାକୁ ଯାଉଛି, ତା ଏକ ସ୍ୱତନ୍ତ୍ର ଓ ଆଲୋଚନା ସାପେକ୍ଷ ।

ଏବେ ବହୁ ସମୟରେ ଦେଖାଯାଉଛି ରାଜନୈତିକ ନେତାମାନେ ନିଜର ନୀତି ଆଦର୍ଶ୍ୟକୁ ଜଳାଂଜଳି ଦେଇ ନିଜର ସ୍ୱାର୍ଥ ଓ ପ୍ରଭୁତାକୁ ବଜାୟ ରଖିବା ପାଇଁ ଦଳ ଗଠନ କରୁଛନ୍ତି ବା କୌଣସି ଦଳରେ ଯାଇ ନିଜକୁ ସାମିଲ କରିଦେଉଛନ୍ତି । ଯଦି କୌଣସି ଦଳ କୌଣସି କାରଣରୁ ନିଜର ଲୋକପ୍ରିୟତା ହରାଇବାକୁ ଯାଉଛି ବା ହରାଇଛି, ସେଦଳରୁ ନେତାମାନେ ବେଙ୍ଗ ପ୍ରାୟ ଅନ୍ୟ ଦଳମାନଙ୍କୁ ଡେଉଁଥିବାର ରୋଚକ ଦୃଶ୍ୟ ଦେଖିବାକୁ ପଡୁଛି । ଯଦିଓ ଭାରତବର୍ଷ ଏହି ଦଳବଦଳକାରୀଙ୍କୁ ରୋକିବା ପାଇଁ ବହୁବାର ଦଳବଦଳ ନିରୋଧ ଆଇନ ପ୍ରଣୟନ କରିବା ସହ ସଂଶୋଧନ କରି ଆସୁଛି, ହେଲେ ଦଳବଦଳର କୌଣସି ପ୍ରକାର ବନ୍ଦ ହେବା ଦେଶରେ ଜଣାପଡୁନାହିଁ ।

ପୋଲିସ ଯେତେ ସଜାଗ ହେଲେ ମଧ୍ୟ ଚୋର ଚୋରୀକରିବା ପାଇଁ ଯେଭଳି ଗୋଟିଏ ପରେ ଗୋଟିଏ ଗଳି ରାସ୍ତା ବାହାର କରିଥାଏ, ଠିକ୍ ସେହିଭଳି ନେତାମାନେ ବିଭିନ୍ନ ପ୍ରକାର ଗଳି ରାସ୍ତା ଦେଇ ଦଳ ବଦଳ କରି ଚାଲୁଛନ୍ତି । ଯଦି ଏଭଳି ଦଳ ପରିବର୍ତନ ନେତାମାନଙ୍କର ଜାରି ରହେ, ଏ ଗଣତନ୍ତ୍ର ରହିବ ତ? ନେତା ଦଳ ପରିବର୍ତନ କରି ନିଜର ଭାବମୁର୍ତିକୁ ସଜାଡି ଦେବାରେ ସକ୍ଷମ ହେଉଛି, ହେଲେ ଦଳ ନିଜର ଲୋକପ୍ରିୟତାକୁ ହରାଇ ଅପମାନ ଓ ବଦନାମକୁ ମୁଣ୍ଡରେ ମୁଣ୍ଡାଇ ବଂଚିବାର ରାହା ଖୋଜୁଛି । ଏଠି ସ୍ୱତଃ ପ୍ରଶ୍ନ ଆସୁଛି, ନେତାକୁ ନେଇ ଦଳ ନା ଦଳକୁ ନେଇ ନେତା? ଏ ନେଇ ନାଗରିକମାନେ ଭ୍ରମିତ ହୁଅନ୍ତି ଓ ଦଳକୁ ବଦନାମ୍ କରିବାକୁ ପଛାନ୍ତି ନାହିଁ ।

ଯେଉଁ ନେତା ପାଇଁ ଦଳ ନିନ୍ଦାର ଡିଣ୍ଡିମକୁ ମଥାପାତି ଗ୍ରହଣ କରି ବଂଚିଛି, ସେହି ନେତା ଅନ୍ୟ ଦଳରେ ଯାଇ ଗଙ୍ଗା ସ୍ନାନ କରି ପବିତ୍ର ହୋଇଯାଏ ଓ ସାଧାରଣ ଜନତା ତାକୁ ନିର୍ବାଚିତ କରୁଥିବା ଦେଖାଯାଉଛି ।

ଦେଶ ସ୍ୱାଧିନ ପରଠାରୁ ଏଭଳି ନେତାଙ୍କର ଉଦାହରଣ ଅନେକ ରହିଛି, କିଛି ନେତା ବହୁ ବଡ ବଡ ଦୁର୍ନିତିରେ ଜଡିତ ହୋଇ କଚେରୀ ଓ କମିଶନର ସମ୍ମୁଖିନ ହୋଇ ମଧ୍ୟ ପରବର୍ତି ସମୟରେ ଲୋକପ୍ରିୟ ଜନନେତାର ସମ୍ମାନ ମଧ୍ୟ ଲାଭ କରିଛନ୍ତି । ନ୍ୟାୟାଳୟ କିଛି ନେତାଙ୍କୁ ଭର୍ଚ୍ଛନା କରିଥିବା ବେଳେ କିଛି ନେତାଙ୍କୁ ଦୋଷୀ ଭାବେ ପ୍ରମାଣିତ କରି ଦଣ୍ଡ ବିଧାନ ମଧ୍ୟ କରିଛି, ସେହି ନେତାମାନେ ପରବର୍ତି ମୁହୁର୍ତରେ ନିଜର ରୂପ ବଦଳାଇ ଅନ୍ୟ ଦଳରେ ଯୋଗଦେଇ ବା ନିଜେ କୌଣସି ଦଳ ଗଠନ କରି ଜନ ମାନସରେ ପ୍ରିୟ ଭାଜନ ହୋଇ କ୍ଷମତାକୁ ପୁଣି ହାତଉ ଥିବା ଦେଖାଯାଉଛି । ଏଥିରେ ଦଳ ବେଶି କ୍ଷତି ସହୁଥିବା ବେଳେ ଦଳରେ ନୀତି ଆଦର୍ଶ୍ୟକୁ ଜାବୁଡି ଧରି ବଂଚିଥିବା ନେତାମାନେ ହିଁ ଭୋଗିଥାନ୍ତି ଦୁରାରୋଗର କଷଣ ।

ସାଧାରଣରେ ନାଗରିକମାନେ ସେଭଳି ନେତାମାନଙ୍କୁ ଚିହ୍ନିବାରେ ଭୁଲ କରନ୍ତି, ତାଠାରୁ ଅଧିକ ମାତ୍ରାରେ ଭୁଲ କରିଥାନ୍ତି, ଯେଉଁ ଦଳ ସେମାନଙ୍କୁ ଆପଣାଇ ନେଇ କ୍ଷମତା ଦେଇଥାଏ । ଏବେ ରାଜନୀତିରେ ସେବା ଶବ୍ଦର ଲୋପ ପାଇ ଗଲାଣି, ନେତା ରାଜନୀତିକୁ ନିଜର ପ୍ରତିପତି ଓ ଅର୍ଥ ଉତ୍ପାଦନର ଏକ ପ୍ରକୋଷ୍ଠ ଧନ୍ଦା ଭାବେ ଗ୍ରହଣ କରି ନେଇ ନିର୍ବାଚନରେ ଅର୍ଥ, ବାହୁବଳ ଓ ବିଭିନ୍ନ ପ୍ରକାର ଅନୈତିକ ଫନ୍ଦି ଫିକର କରି କ୍ଷମତାକୁ ହାତଉ ଥିବା ଦେଖାଯାଉଛି, ଓ ପରବର୍ତି ସମୟରେ ଭୋଟରମାନଙ୍କ ଦୁଃଖ ସୁଖରେ ନିଜକୁ ସାମିଲ କରିବାକୁ କୁଣ୍ଠାବୋଧ କରୁଛି । ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲୁଛି, ଦେଶର ପ୍ରଗତି, ଅର୍ଥନୀତି ଓ ମହାନତା ପାଇଁ ନୁହେଁ, ଦଳ କ୍ଷମତାକୁ ଆପଣେଇବା ପାଇଁ ନିରୀହ ଜନସାଧାରଣଙ୍କୁ ସାମାନ୍ୟ ସହଯୋଗର ହାତ ବଢାଇ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଶତତ ଚେଷ୍ଟିତ ରହୁଛି । ଆର୍ଥିକ ଅନାଟନ ନିରୀହ ଜନତା ଓ କିଛି କ୍ଷମତାଲିପ୍ସୁ ଦଲାଲଙ୍କ ହାତରେ ମନଲୋଭା ଯୋଜନା ଦେଖାଇ କ୍ଷମତାକୁ ନିଜ ଆଡକୁ ନେବାରେ ଲାଗି ପଡୁଛନ୍ତି । ଫଳରେ ପ୍ରକୃତ ଯୋଜନାର ମଧ୍ୟ ସଠିକ ଭାବରେ ଉପେଯାଗ ହୋଇପାରୁ ନାହିଁ ।

ଆମେ ପୂର୍ବ ନିର୍ବାଚନଗୁଡିକୁ ଅବଲୋକନ କଲେ ଜାଣିପାରିବା ଯେ, ଦଳବଦଳକାରୀମାନେ କିଭଳି କ୍ଷମତାକୁ ହାତେଇବା ପାଇଁ ଲତା ସଦୃଶ କ୍ଷମତାକୁ ଆସିବାକୁ ଜଣା ପଡୁଥିବା ଦଳ ମାନଙ୍କୁ ଡିଆଁ ମାରନ୍ତି ଓ ସେହି ଦଳ ମଧ୍ୟ ସେ ସୁଯୋଗକୁ ହାତ ଛଡା ନ କରି ସେମାନଙ୍କୁ ଆପଣେଇ ବାହାବା ନିଅନ୍ତି ଓ ନିଜ ଦଳରେ ତୃଣମୂଳରୁ କାମ କରିଆସୁଥିବା କର୍ମୀକୁ ବେଖାତିର କରି ସେହି ଦଳବଦଳକାରୀ ହାତରେ ଦଳର ଭବିଷ୍ୟତକୁ ଠେଲି ଦିଅନ୍ତି । ନିକଟରେ ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ହରାଇବା ପାଇଁ ଭାରତୀୟ ଜନତା ଦଳ ଯେଭଳି ଭାବରେ ବିଭିନ୍ନ ଦଳର ନେତାମାନଙ୍କୁ ନିଜ ଆଡକୁ ଆକର୍ଷି ନେଲା ଓ ସେମାନଙ୍କୁ ପ୍ରାର୍ଥି ମଧ୍ୟ କଲା, ସେଥିରୁ ଜଣା ପଡିଲା ଯେ ଭାରତୀୟ ଜନତା ଦଳରେ ସେଭଳି ନିର୍ବାଚନ ଲଢିବା ପାଇଁ ପ୍ରାର୍ଥିର ଅଭାବ ଥିଲା ବା ନିଜର ଭାବମୁର୍ତିକୁ ଲୋକଲୋଚନରେ ଆଣିବା ପାଇଁ ସେମାନଙ୍କୁ ଆପଣେଇ ଥିଲା, କିନ୍ତୁ, ସେ ଯାହା ହେଉନା କାହିଁକି ଦେଖାଗଲା ଭାଜପା ପାଇଥିବା ୭୫ ଆସନରୁ ୩୫ଜଣ ତୃଣମୂଳ କଂଗ୍ରେସର, ୨୨ଜଣ ବାମପନ୍ଥୀ, ଓ କଂଗ୍ରେସରୁ ୧୧ଜଣ ବିଧାୟକ ଭାବେ ନିବ ର୍ାଚିତ ହୋଇଛନ୍ତି । ଏକଥା ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି, ଯଦି ଏହା ସତ ହୋଇଥାଏ ତେବେ ଦଳବଦଳକାରୀମାନେ ନିଶ୍ଚିତ ପକ୍ଷେ ଯେ ଲାଭବାନ ହେଉଛନ୍ତି, ଏ କଥାକୁ ଅସ୍ୱିକାର କରିହେବ ନାହିଁ । କିନ୍ତୁ ଭାଜପାର ନେତୃମଣ୍ଡଳି ଯେଉଁ ଭାବରେ ତୃଣମୂଳ କଂଗ୍ରେସ ବିରୋଧରେ ପ୍ରଚାର କରୁଥିଲେ, ସେଥିରୁ ସାଧାରଣ ଜନତାଟିଏ କଣ ବୁଝିବ? ନେତାମାନେ ହିଁ ଖଣ୍ଡିଏ ଖଣ୍ଡିଏ ସୁନାମୁଣ୍ଡା, କେବଳ ଦଳ ଓ ଦଳର ମୁଖିଆ ହିଁ ଖରାପ ।

କିନ୍ତୁ ଦଳର ମୁଖିଆ ଯଦି କୌଣସି କାରଣରେ ଯାଇ ତାଙ୍କ ଦଳରେ ମିଶି ଯାଇଥାନ୍ତା, ତେବେ ସେ ବି ସୁନାମୁଣ୍ଡା ହୋଇପାରିଥାନ୍ତେ । ଏହିଭଳି ଅନେକ ଉଦାହରଣ ରହିଛି, ୨୦୧୪ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ବିଧାୟକ ଦଳର ନେତା ଓ ବିରୋଧି ଦଳର ନେତା ଭାବରେ କାର୍ଯ୍ୟ କରୁଥିବା ନେତା ଭୁପିନ୍ଦର ସିଂହ ଯେଭଳି ଭାବରେ ନିଜର ନୀତି ଆଦର୍ଶ୍ୟକୁ ଜଳାଂଜଳି ଦେଇ ବିଜୁ ଜନତା ଦଳରେ ଯୋଗ ଦେଲେ, ସେଥିରୁ ସାଧାରଣ ଜନତା କି ପ୍ରକାର ସଂନେ୍ଦଶ ପାଇବେ? ମଧ୍ୟପ୍ରଦେଶ ଓ କର୍ଣାଟକରେ କଂଗ୍ରେସ ଦଳର ପ୍ରାର୍ଥିଭାବେ ନିର୍ବାଚନ ଜିତି ଦଳରୁ ଇସ୍ତଫା ଦେଇ ବିରୋଧି ଦଳକୁ କ୍ଷମତାସୀନ କରାଇଲେ ଓ ପରବର୍ତି ମୁହୁର୍ତରେ ସେମାନେ ସେହି ଦଳରୁ ନିର୍ବାଚନ ଲଢି ପୁଣି ନିର୍ବାଚିତ ହେଲେ । ଭୋଟର କି ପ୍ରକାର ନିଜକୁ ବୁଝାଇ ପାରିଲେ ଯେ ଏକ ନିର୍ବାଚିତ ସରକାରକୁ ଭାଙ୍ଗି ପୁଣି ନିର୍ବାଚନ ଲଢିବାକୁ ସହାସ ବାନ୍ଧି ପାରୁଛନ୍ତି ସେହି ଦାଗି ନେତାମାନେ? ସବୁଠାରୁ କୌତୁହଳର ବିଷୟ ସେମନଙ୍କ ମଧ୍ୟରୁ ଅଧିକାଂଶ ଉପନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ଧନ୍ୟବାଦର ପାତ୍ର ଯେଉଁ ଦଳ ସେମାନଙ୍କୁ ଆପଣେଇ ନେଇ କ୍ଷମତା ଉପଭୋଗ କରୁଛି । କିନ୍ତୁ ଯଦି ସେହି ନେତା ତାକୁ ନେତା କରିଥିବା ଦଳର ହୋଇ ପାରିଲା ନାହିଁ, ତେବେ ସେ ନେତା କଣ ତାଙ୍କ ଦଳର ସୁନା ପୁଅ ହୋଇପାରିବ କି? ନା ଖାଲି କ୍ଷମତା ପାଇଁ ଏ ଖେଳ ?

ଏଣୁ ସମୟ ଆସିଛି, ନେତାକୁ ନେଇ ଦଳ ନା ଦଳକୁ ନେଇ ନେତା ? ୟା’ଉପରେ ଏକ ବିତର୍କ ହେବା ଉଚିତ, ଓ ଦଳବଦଳକାରୀଙ୍କୁ ରୋକିବା ପାଇଁ ଆଇନ ପ୍ରଣୟନ ଅପେକ୍ଷା ନେତୃତ୍ୱର ଏକ ବଡ ଭୁମିକା ରହିଛି । କ୍ଷମତାଠାରୁ ନୀତି ଆଦର୍ଶ୍ୟକୁ ହୁଏତ ଦଳର ନେତୃତ୍ୱ ପ୍ରାଧାନ୍ୟ ଦେଲେ ଦେଶରୁ ଏ ମହାମାରୀରୁ ସାଧାରଣ ଜନତା ମୁକ୍ତି ପାଆନ୍ତେ ।

Comments are closed.