ଅଯୋଧ୍ୟା୨୩।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଦୀପୋତ୍ସବର ଶୁଭ ଉଦଘାଟନ କଲେ l ଭବ୍ୟ ଦୀପୋତ୍ସବରେ ଅଯୋଧ୍ୟା ନଗରୀ ରାମମୟ ହୋଇଉଠିଛି। ଦୀପୋତ୍ସବ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପ୍ରତିକାତ୍ମକ ରାମଙ୍କର ରାଜ୍ୟାଭିଷେକ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ରାମମନ୍ଦିର ନିର୍ମାଣ ସହ ଅଯୋଧ୍ୟାକୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ଅଯୋଧ୍ୟାବାସୀଙ୍କର ଦାୟିତ୍ୱ ଆହୁରି ବଢିଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଅଯୋଧ୍ୟା ଦୀପୋତ୍ସବର ଉଦଘାଟନ କରିଛନ୍ତି। କହିଛନ୍ତି ଯେ ଆମେ ତ୍ରେତେୟାର ସେହି ଅଯୋଧ୍ୟାକୁ ଦେଖି ନାହେଁ, ତେବେଅମୃତ କାଳରେ ଅମର ଅଯୋଧ୍ୟାର ସାକ୍ଷୀ ପାଲଟିଛେ। ସେ କହିଛନ୍ତି ଯେ ଆମେ ସେହି ସଭ୍ୟତା ଓ ସଂସ୍କୃତିର ବାହକ, ପର୍ବ ଓ ଉତ୍ସବ ଯେଉଁମାନଙ୍କ ଜୀବନର ସହଜ ଓ ସ୍ୱଭାବିକ ଅଂଶ ରହିଆସିଛି। ଭାଗବାନ ରାମଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱ ଲାଗି ଏକ ଜ୍ୟୋତିପୁଞ୍ଜ ବୋଲି କହିଛନ୍ତି। ପ୍ରତିକାତ୍ମକ ଶ୍ରୀରାମଙ୍କ ରାଜ୍ୟାଭିଷେକ କରିବା ପରେ ପ୍ରଧାନମନ୍ତ୍ରୀ ସରଜୁ ନଦୀ କୂଳକୁ ଯାଇ ଆରତୀ କରିଥିଲେ। ସରଜୁ ଘାଟରେ ଉପସ୍ଥିତ ସନ୍ଥମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ପାଟ ଉପହାର ଦେଇଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଗାମୀ ଦିନ ମାନଙ୍କରେ ଅଯୋଧ୍ୟାର ଲୋକଙ୍କ ଦାୟିତ୍ୱ ଅନେକ ବଢିଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦେଶ ଦୁନିଆର ବିଭିନ୍ନ ପ୍ରାନ୍ତରୁ ଲୋକେ ଏଠାକୁ ଆସିବେ। ଏଣୁକରି ଆପଣମାନଙ୍କ ଦାୟିତ୍ୱ ବଢିବ। ଭଗବାନ ରାମଙ୍କୁ ମର୍ଯ୍ୟଦାପୁରୁଷୋତ୍ତମ ବୋଲି ମଧ୍ୟ କୁହାଯାଏ। ମର୍ଯ୍ୟଦା ମାନ ରଖିବା ଶିଖାଏ ଓ ମାନ ଦେବା ମଧ୍ୟ ଶିଖାଏ। ତେବେ ଆପଣମାନେ ମର୍ଯ୍ୟଦା ରଖିପାରିଲେ ଅଯୋଧ୍ୟାର ଦିବ୍ୟତା ଆହୁରି ବଢିଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
