ଡେଲାଙ୍ଗ,: ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ବ୍ରାହ୍ମଣବାଡ ପାଲଟିଲା ରଣଭୂମି।ବିଜେପି ଓ ବିଜେଡି କର୍ମୀ ହୋଇଥିଲେ ମୁଁହା ମୁହଁ।ବିଜେପି କର୍ମୀ ବିଜେଡି କର୍ମୀ ଓ ମହିଳା କର୍ମୀଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିବା ବେଳେ ବିଜେଡ଼ି କର୍ମୀ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।ଉଭୟ ଦଳ ପକ୍ଷରୁ ୬ ଜଣ ଆହତ ହୋଇଥିବା ବେଳେ ବିଜେଡ଼ି ଓ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା।ବିଜେଡି ପକ୍ଷରୁ ଡେଲାଙ୍ଗ ଷ୍ଟେସନ ବଜାର ଠାରେ ରାସ୍ତାରୋକ କରା ଯାଇଥିବା ବେଳେ ବିଜେପି ପକ୍ଷରୁ ଡ଼େଲାଙ୍ଗ ହାଟ ବଜାରରେ ରାସ୍ତା ଅବରୋଧ କରିଛନ୍ତି।ଅଭିଯୋଗରୁ ପ୍ରକାଶ ବିଜେଡି ଦଳ ପ୍ରତି ଜନସମର୍ଥନ ବଡିବା ଦେଖି ବିଜେପି କର୍ମୀ ମାନେ ଏବେ ଭୋକ ବିକଳରେ ତାଟିଆ କାମୁଡିବା ନୀତି ଆପେଣେଇଛନ୍ତି ବୋଲି ବିଜେଡି ବ୍ଳକ ସଭାପତି ବୈରାଗୀ ଜେନା କହିଛନ୍ତି । ଏହାର ଜବାବା ଆସନ୍ତା ୧୭ ତାରିଖରେ ଡେଲାଙ୍ଗ ଅଞ୍ଚଳବାସୀ ଦେବେ ବୋଲି କହିଛନ୍ତି । ରକ୍ତ ମୁଖା ସାଜିଛନ୍ତି ବିଜେପି କର୍ମୀ ।
ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଜେଡି ଦଳ ପ୍ରତି ଜନସମର୍ଥନ ବଡିବାରେ ଲାଗିଛି । ଏହାକୁ ଦେଖି ବିଜେପି କର୍ମୀ ମାନେ ନିରୁପାୟ ହୋଇ ବିଜେଡିକର୍ମୀ ମାନଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଜେନାପୁରୁ ଗ୍ରାମ ପଞ୍ଚାୟତରେ ଆଜି ମହିଳା ସମାବେଶ ସଫଳ ହେବା ପରେ ବିଜେପି କର୍ମୀ ମାନେ ରକ୍ତମୁଖା ସାଜିଛନ୍ତି । ଜେନାପୁର ଗ୍ରାମ ପଞ୍ଚାୟତର ପାଇକସାହିର ଅକ୍ଷୟ ମହାପାତ୍ର, ଭିକାରୀ ଦାଶ ଓ ବାବୁଲି ମହାପାତ୍ରଙ୍କୁ ବେରବୋଇ ରେଳଫାଟକ ନିକଟରେ ଏକ ବୋଲୋର ଗାଡିରେ ୧୦ ଜଣ ଯୁବକ ବିଭିନ୍ନ ମାରଣାସ୍ତରେ ସଜିତ ହୋଇ ଆକ୍ରମଣ କରିଛନ୍ତି । ଯାହାକି ସେମାନେ ଡାକ ପକାଇବାରୁ ସେମାନେ ଗାଡିରେ ପଳାଇଥିଲେ । ଏହାକୁ ନେଇ ଡେଲାଙ୍ଗ ଥାନା ନିକଟରେ ଶତାଧିକ ବିଜେଡି ମହିଳା ପୁରୁଷ କର୍ମୀ ମାନେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ରାସ୍ତା ରୋକ କରିଛନ୍ତି । ସେହିପରି ପ୍ରସନ୍ନ କୁମାର ସ୍ୱାଇଁ ବାହ୍ମଣବାଡ ଗ୍ରାମରେ କିଛି ବିଜେପି କର୍ମୀ ମାନେ ବିଜେଡି ମହିଳା ସମାବେଶରେ ଯୋଗ ଦେଇ ଘରକୁ ଫେରିଥିବା ମହିଳା ମାନଙ୍କୁ ଗାଳି ଗୁଲଜ କରୁଛନ୍ତି ଖବର ପାଇ ସେଠାକୁ ଯାଇଥିଲେ । ସେଠାରେ ଶ୍ରୀ ସ୍ୱାଇଁ ପହଞ୍ଚିବା ମାତ୍ରେ ବିଜେପିର କର୍ମୀ ମାନେ ଶ୍ରୀ ସ୍ୱାଇଁଙ୍କୁ ଗାଳି ଗୁଳଜ କରିବା ସହ ମାଡ ମାରି ଟଙ୍କା ନେବା ସହ ତାଙ୍କ ମୋବାଇଲି ଭାଙ୍ଗି ଦେଇଥିବା ନେଇ ଥାନାରେ ସେ ଅଭିଯୋଗ କରିଛନ୍ତି ।
ଅନ୍ୟ ପକ୍ଷେ ବିଜେଡିର ମହିଳା ନେତ୍ରୀ ପ୍ରମିଳା ପରିଡା ବିଜେଡି ପାଇଁ ଘରକୁ ଘର ବୁଲି ପ୍ରଚାର କରିବାକୁ ମାଛପଡା ଯାଇଥିଲେ । ସେଠାରେ ଗ୍ରାମର କିଛ ବିଜେପି କର୍ମୀ ତାଙ୍କ ଠାରୁ ପୁସିଙ୍ଗ କାର୍ଡ ଛଡାଇ ନେବା ସହ ଅସଭ୍ୟ ଭାଷାରେ ଗାଳିମନ୍ଦ କରିବା ସହ ବାଡିରେ ବାଡେଇଥିଲେ ବୋଲି ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସୁରେନ୍ଦ୍ର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଧାରଣା ଜାରି ରହିଛି । ଏଥିରେ ବିଜେଡ଼ି ଦଳର କର୍ମୀ ଲକ୍ଷ୍ମୀଧର ମହାପାତ୍ର, ଅକ୍ଷୟ ମହାପାତ୍ର, ଭିକାରୀ ସ୍ୱାଇଁ ଆହତ ହୋଇଛନ୍ତି।ଅନ୍ୟପଟେ ସୂଚନା ଅନୁସାରେ, ରବିବାର ଡେଲାଙ୍ଗ ବ୍ଲକର ଜେନାପୁର ପଂଚାୟତର ବ୍ରାହ୍ମଣବାଡ ଗାଁରେ ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାର କରାଯାଉଥିଲା । ଏହି ସମୟରେ ବିଜେଡିର କିଛି କର୍ମୀ ପହଁଚି ଏହାକୁ ଭଣ୍ଡୁର କରିବାକୁ ଚେଷ୍ଠା କରିଥିଲେ । ଏହାକୁ ନେଇ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ଫଳରେ ବିଜେପିକର୍ମୀଙ୍କୁ ବିଜେଡି କର୍ମୀମାନେ ଗୋଡାଇ ଗୋଡାଇ ପିଟିଥିଲେ ।
ଏଥିରେ ମନୋରଞ୍ଜନ ବରାଳ ସମେତ ୩ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ପ୍ରଥମେ ଡେଲାଙ୍ଗ ଓ ପରେ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତରଣ କରାଯାଇଛି ।ଏହି ଘଟଣା ପରେ ବିଜେପି ପକ୍ଷରୁ ଡେଲାଙ୍ଗରେ ଆନ୍ଦୋଳନ କରାଯାଇଛି । ଆକ୍ରମଣକାରୀଙ୍କୁ ଗିରଫ ଦାବି କରି ଶତାଧିକ ବିଜେପି କର୍ମୀ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି । ଧାରଣାସ୍ଥଳରେ ବିଜେପି ନେତା ଭୃଗୁବକ୍ସି ପାତ୍ର, ଗୋଲକ ମହାପାତ୍ର, ପ୍ରଭଞ୍ଜନ ମହାପାତ୍ର, ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି । ଖାଲି ଏତିକି ନୁହେଁ, ଏହା ପୂର୍ବରୁ ମଧ୍ୟ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
