ପିପିଲି – ପିପିଲି ସ୍ଥିତ ପତିତପାବନ ଦେବଙ୍କ ରଥ ଯାତ୍ରା ନିମନ୍ତେ ସୋମବାର ପୂର୍ବାହ୍ନ ସାଢେ଼ ଏଗାରଟା ସମୟରେ,ପତିତବାବନ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ପରିଚାଳନା କମିଟି ର ଏକ ବୈଠକ ସଭାପତି ରମେଶ ଚନ୍ଦ୍ର ଶତପଥୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ପ୍ରଭାତ କୁମାର ମହାପାତ୍ର ବିବରଣୀ ପାଠ କରିବା ସହିତ ଶ୍ରୀଗୁଣ୍ଡିଚା ଓ ରଥ ଟଣା, ସନ୍ଧ୍ୟା ଦର୍ଶନ, ବାହୁଡା଼, ସୁନାବେଶ, ଅଧର ପଣା, ନିଳାଦ୍ରୀ ବିଜେ ଆଦି ନୀତି ନିର୍ଘଣ୍ଟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।
ବୈଠକରେ ଉପସ୍ଥିତ ଥିବା ପିପିଲି ଥାନା ଆଇ ଆଇ ସି ଅଭିମନ୍ୟୁ ନାୟକ ଉକ୍ତ ରଥଯାତ୍ରା ରେ ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ୍ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିବା ସହିତ ତଦନୁରୂପ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବିଡିଓ ରଶ୍ମିତା ନାଥ ଏବଂ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ତହସିଲ ଓ ଏନ୍ ଏ ସି ର ଅଧିକାରୀ ମାନେ ବୈଠକରେ ଯୋଗ ଦେଇ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହି ପ୍ରସ୍ତୁତି ବୈଠକ ରେ ପୂର୍ବତନ ପୌରାଧ୍ୟକ୍ଷ ଗୋକୁଳା ନନ୍ଦ ମହାନ୍ତି ଏବଂ ପ୍ରଭାକର ପଣ୍ଡା,ରମେଶ ଚନ୍ଦ୍ର ମହାପାତ୍ର, ମନୋଜ ନାୟକ, ରାମଚନ୍ଦ୍ର ଦାଶ,ସଚ୍ଚିଦାନନ୍ଦ ନାୟକଙ୍କ ସମେତସମସ୍ତ ସଦସ୍ୟ, ସେବାୟତ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ। କୋଭିଡ ମହାମାରୀ ଯୋଗୁ ଦୁଇବର୍ଷ ପରେ ରଥଯାତ୍ରା ହେଉଥିବାରୁ ଏହାକୁ ସରସ ସୁନ୍ଦର କରିବାପାଇଁ ଉପସ୍ଥିତ ସଦସ୍ୟ ମାନେ ମତ ଦେଇଥିଲେ ।
