ଫୁଲନଖରା, -ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ମହୀଧରପଡ଼ାରେ ଥିବା ଲକ୍ଷ୍ମୀନାରାୟଣ ଦେବଙ୍କ ଝୁଲଣ ଯାତ୍ରା ସମ୍ପନ୍ନ ହୋଇଛି । ଲକ୍ଷ୍ମୀନାରାୟଣ ଦେବ, ଗୋପୀନାଥ ଦେବ ଓ ହରିଶଙ୍କର ଦେବଙ୍କ ସହିତ ଅରଡ଼ିଆପଦାର ରାଧାମାଧବ ଦେବ ଓ ଅରିଲୋର ଯୁଗଳକିଶୋର ଦେବ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ଆସି ମହୀଧରପଡ଼ା ମେଡ଼ିକାଲ ଛକସ୍ଥିତ ତ୍ରିନାଥ ଦେବଙ୍କ ଗାଦିରେ ଏକତ୍ର ହୋଇଥିଲେ । ସେଠାରେ ସମସ୍ତ ଠାକୁର ପଙ୍କ୍ତି ଭୋଗ ଖାଇଲାପରେ ଶୋଭାଯାତ୍ରାରେ ବାହାରି ଖଣ୍ଡାଗର ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମର ନୃସିଂହ ମହାନ୍ତିଙ୍କ ଦାଣ୍ଡରେ ଠାକୁରମାନେ ଭୋଗ ଖାଇସାରି ମହୀଧରପଡ଼ା ଗ୍ରାମ ମଧ୍ୟଦେଇ ଲକ୍ଷ୍ମୀନାରାୟଣଙ୍କ ଚକଡ଼ାରେ ପହଞ୍ଚôଥିଲେ ।
ସେଠାରେ ପାରମ୍ପରିକ ବିଧି ମୁତାବକ ଲକ୍ଷ୍ମୀନାରାୟଣ ଦେବଙ୍କଦ୍ୱାରା ମେଣ୍ଢା କୁଡ଼ିଆ ପୋଡ଼ି ପର୍ବ ଅନୁଷ୍ଠିତ ହୋଇଥିଲା । ଏହାପରେ ଅନ୍ୟ ତିନି ଠାକୁର ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲାବେଳେ ଲକ୍ଷ୍ମୀନାରାୟଣ ଦେବ ଝୁଲଣ ବେଦୀରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ । ଏହି ଅବସରରେ ଗ୍ରାମ ଅବଧାନ ନୂତନ ଜଗନ୍ନାଥ ପଞ୍ଜିକା ପାଠ କରି ଆଗାମୀ ବର୍ଷକର ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ସମ୍ପର୍କରେ ସୂଚନା ଦେଇଥିଲେ । ଲଉଡ଼ି, ରାମତାଳି, ଘୋଡ଼ା ଓ ଷଣ୍ଢ ନାଚ ସମେତ ବାଜା, ବାଣ, ବନାଟି ଖେଳ ପ୍ରଦର୍ଶନ ଦେଖିବାକୁ ବିଶେଷ ଜନ ସମାଗମ ହୋଇଥିଲା ।
ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ନିକଟରେ ଆରମ୍ଭ ହୋଇଥିବା ମୀନାବଜାରରେ ଶତାଧିକ ଅସ୍ଥାୟୀ ଦୋକାନ ଖୋଲିଥିଲା । କିଶୋରଚନ୍ଦ୍ର ଦାଶ, ଲକ୍ଷ୍ମୀଧର ମୁଦୁଲି, ପ୍ରଦୁ୍ୟମ୍ନ ପଟ୍ଟନାୟକ, ଉଦୟନାଥ ରଥ, ପ୍ରଣବ ପଟ୍ଟନାୟକ, ବାନାମ୍ବର ମୁଦୁଲି, ଅଶୋକ ରଥ, ନୃସିଂହ ମହାନ୍ତି, ମନମୋହନ ଦାଶ, ଦୁର୍ଗାଚରଣ ମହାପାତ୍ର, ଅଶୋକ ଦାସ, ଗୋପୀନାଥ ଯାଦବ, ମଦନମୋହନ ଦାଶ ପ୍ରମୁଖ ଝୁଲଣ ଯାତ୍ରା ପରିଚାଳନା କରିଥିଲାବେଳେ ଖଣ୍ଡାଗର, ମହୀଧରପଡ଼ା ଓ ଅରଡ଼ିଆପଦା ଗ୍ରାମ ମୁରବି ଓ ଯୁବଗୋଷ୍ଠୀ ସହଯୋଗ କରିଥିଲେ । ସଦର ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲା ।