Odisha news

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ଦାବି ଜଣାଇଲେ ବିଜେଡି ସାଂସଦ

0

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ଫେରାଇ ଆଣିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବୁଧବାର ବିଜେଡିର ଏକ ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ଦାବି ଜଣାଇଛନ୍ତି। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ୪ ଜଣିଆ ପ୍ରତିନିଧିଦଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି  ୟେସ୍ ବ୍ୟାଙ୍କରୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ଫେରାଇ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

 

ଯେହେତୁ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ଜମାକାରୀଙ୍କ ଉଠାଣ ଉପରେ କଟକଣା ଲଗାଇଛନ୍ତି, ସେ ଦୃଷ୍ଟିରୁ ଶ୍ରୀଜଗନ୍ନାଥ ମନ୍ଦିରର ପାଣ୍ଠି ଉଠାଣକୁ ନେଇ ସଂଶୟ ସୃଷ୍ଟି ହୋଇଛି। ଏଥିସହ ସାଂସଦମାନେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୀତାରମଣଙ୍କୁ ଏ ନେଇ ଲେଖିଥିବା ଚିଠିର ଏକ ନକଲ ହସ୍ତାନ୍ତର କରିଥିଲେ। ଏହାପରେ ଅର୍ଥମନ୍ତ୍ରୀ ସୀତାରମଣ ବିଜେଡି ସାଂସଦମାନଙ୍କୁ ଆଶ୍ବାସନା ଦେଇ କହିଥିଲେ କି ୟେସ୍ ବ୍ୟାଙ୍କରେ ଜମାଥିବା ପ୍ରତିଟି ଟଙ୍କା ସୁରକ୍ଷିତ ରହିଛି ଏବଂ ଜମାକାରୀ ଏହା ଫେରିପାଇବେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହିତ ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଚ୍ୟୁତ ସାମନ୍ତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ୟେସ୍ ବ୍ୟାଙ୍କ ପ୍ରସଙ୍ଗ ଆଲୋଚନା କରିଥିଲେ।

India Today

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ହିନ୍ଦୁମାନଙ୍କର ପବିତ୍ର ତୀର୍ଥସ୍ଥଳୀ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ ଅନୁଯାୟୀ ମନ୍ଦିର ପରିଚାଳନା କମିଟି ପରିଚାଳିତ ହୋଇଥାଏ। ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ସମ୍ପାଦିତ ହୁଏ। ଏଥିପାଇଁ ବିଭିନ୍ନ ପ୍ରକାର ପାଣ୍ଠି ଯଥା, ପ୍ରତିଷ୍ଠା ପାଣ୍ଠି, କର୍ପସ୍‌ ପାଣ୍ଠି ଏବଂ ମନ୍ଦିର ପାଣ୍ଠି ଅର୍ଥର ପରିଚାଳନା ଭାର ଶ୍ରୀମନ୍ଦିର ପ୍ରଶାସନ ହାତରେ ନ୍ୟସ୍ତ କରାଯାଇଛି। ସେଥିରୁ ୫୪୫ କୋଟି ଟଙ୍କା ପୁରୀ ସ୍ଥିତ ୟେସ୍‌ ବ୍ୟାଙ୍କରେ ଦୀର୍ଘ ମିଆଦି ଜମା ଆକାରରେ ରଖାଯାଇଛି। ଏହି ଜମାରାଶିର ମିଆଦ ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି। କିନ୍ତୁ ଏହା ଭିତରେ ୟେସ୍‌ ବ୍ୟାଙ୍କର ସଂକଟ ସ୍ଥିତିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ଉପରେ କଟକଣା ଜାରି କରିଛି। ଆଇନ ମୁତାବକ ଶ୍ରୀମନ୍ଦିର ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ହେଉଛି ବୈଧାନିକ ସଂସ୍ଥା, ଯାହା ଉପରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ବାସ ଯୋଡ଼ି ହୋଇ ରହିଛି।

Leave A Reply