Odisha news

ସିନର୍ଜି କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ଫୁଲନଖରା,-ସ୍ଥାନୀୟ ଫୁଲନଖରାଠାରେ ଥିବା ସିନର୍ଜି ଇଂଜିନିୟରିଙ୍ଗ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହା ଦୁଇ ଦିନ ଧରି ଚାଲିଥିଲା । ଏହି ଉପଲକ୍ଷେ ଆୟୋଜିତ ସଭାରେ ବିପିୟୁଟି କୁଳପତି ଡଃ. ଚିତ୍ତରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଇଂଜିନିୟରିଙ୍ଗ କଲେଜ ପାଇଁ ରହିଥିବା ସରକାରୀ ଆଚାର ସଂହିତା ଓ ଅନ୍ୟାନ୍ୟ ପରିଚାଳନାଗତ ନିୟମ ସଂକ୍ରାନ୍ତରେ ଉଦବୋଧନ ଦେଇଥିଲେ । ଡିଗ୍ରୀ କଲେଜ ଅଧ୍ୟକ୍ଷା ଡଃ. ଯୋଗେଶ୍ୱରୀ ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସଞ୍ଜୟକୁମାର ପଣ୍ଡା, ଅନୁଷ୍ଠାନର ମୁଖ୍ୟ ପରିଚାଳନା ଟ୍ରଷ୍ଟି ବିନୋଦ ଦାଶ, ଇଂ. ଧରଣୀଧର ସାହୁ, ପ୍ରଶାସନିକ ଅଧିକାରୀ ପ୍ରଫେସର ଚିତ୍ରସେନ ଜଗତଦେଓ, ଟ୍ରଷ୍ଟି ଇଂ.ଅଜୟକୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥିରୂପେ ମଞ୍ଚାସୀନ ରହି ନିଷ୍ଠା ଓ ଶୃଙ୍ଖଳିତ ଧାରାରେ ଅଧ୍ୟୟନ କଲେ ସଫଳତା ନିଶ୍ଚୟ ହାସଲ ହେବବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ । ଛାତ୍ର ପ୍ରତିନିଧି ଭାର୍ଗବରଞ୍ଜନ ସାହୁ ଓ ବିକାଶ ରାୟ କଲେଜ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା, ସେମିନାର, କାର୍ଯ୍ୟକ୍ରମ ଓ କର୍ମଶାଳା ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ।

ଏହି ଅବସରରେ ବିଭିନ୍ନ ବିଭାଗର ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଓ ଅଧ୍ୟାପିକା ଉତ୍ସବ ପରିଚାଳନା କରିଥିଲାବେଳେ ଛାତ୍ରଛାତ୍ରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ଶେଷରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.