ଫୁଲନଖରା : ବାରଙ୍ଗ ବ୍ଲକ କୁରାଙ୍ଗପ୍ରଧାନ ପଞ୍ଚାୟତ ଅନ୍ତର୍ଗତ କୁରୁଣ୍ଟି ମୌଜାରେ ଯାଇଥିôବା ଏକ ସଫେଇ ନାଳକୁ ପୋତି ସେଥିରେ ରାସ୍ତା ନିର୍ମାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବହୁ ବର୍ଷର ପୁରାତନ ଏହି ସଫେଇ ନାଳ ମାଧ୍ୟମରେ ଅଟଳା, ନୂଆଗାଁ, ଧମିଲୋ, ଇଛାଦେଈପାଟଣା, ବାଲିଅନ୍ତା, ବେଣୁପୁର, କୁରୁଣ୍ଟି, ଅଡ଼ା, ତିରଣପଦା, ଦୁଦୁରାବସ୍ତ, ନଛିପୁର, ଗଙ୍ଗେଶ୍ୱର ଆଦି ଅଞ୍ଚଳର ଉଦବୃତ୍ତ ବର୍ଷା ଜଳ ନିଷ୍କାସନ ହୋଇଥାଏ ।
କିନ୍ତୁ କିଛି ଦିନ ହେବ ଜନୈକ ବିଲଡ଼ର ନିଜର ପ୍ରୋଜେକ୍ଟ ସ୍ଥାନକୁ ଯିବା ଉଦେଶ୍ୟରେ ଏହି ନାଳୀକୁ ବେଆଇନଭାବେ ପୋତି ରାସ୍ତା ନିର୍ମାଣ କରିଥିଲେ । କୁରୁଣ୍ଟି ଗ୍ରାମବାସୀ ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ବିଲଡ଼ର ଗ୍ରାମବାସୀଙ୍କ କଥାକୁ ଗୁରୁତ୍ୱ ନଦେଇ ତାଙ୍କ କାର୍ଯ୍ୟ ଅବ୍ୟାହତ ରଖିଲେ । ଏ ନେଇ ଗ୍ରାମବାସୀ ସ୍ଥାନୀୟ ବ୍ରାହ୍ମଣଝରିଲୋ ରାଜସ୍ୱ ନିରୀକ୍ଷକ ଓ ବାରଙ୍ଗ ତହସିଲଦାରଙ୍କ ନିକଟରେ ନିଜର ଅଭିଯୋଗ ଦାଖଲ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ସମ୍ପୃକ୍ତ ବିଲଡ଼ର ଗହୀର ମଝିରେ ଏକ ପ୍ଲଟ କିଣି ତା’କୁ ଘରବାରି ଜମିରେ ପରିଣତ କରିବାକୁ ଚକ୍ରାନ୍ତ ଚଳାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଯଦି ଉକ୍ତ ସଫେଇ ନାଳକୁ ଜବର ଦଖଲ ମୁକ୍ତ କରାନଯାଏ ତେବେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ପ୍ରତାପ ମହାପାତ୍ର, ପ୍ରବୋଧ ମହାପାତ୍ର, ପ୍ରଭାସ ମହାପାତ୍ର, ଅନିରୁଦ୍ଧ ଭୋଇ, ସୁରେଶ ଦାଶ, ରାମଚନ୍ଦ୍ର ଭୋଇ, ଜୟନ୍ତ ଦାଶ, ନୟନା ଭୋଇ, ପ୍ରମୋଦ ଭୋଇ ପ୍ରମୁଖ ଚାଷୀ ଘୋଷଣା କରିଛନ୍ତି ।