Odisha news

ସମାପ୍ତ ହେଲା ବେତନଟୀ ରେଞ୍ଜ ଦ୍ୱାରା ଚାଲି ଥିବା ହାତୀ ପ୍ରତିରୋଧକ ଟ୍ରେଞ୍ଚ ଖନନ : ଝାଡଖଣ୍ଡି ହାତୀ କଳବରୁ ଏବେ ରକ୍ଷା ପାଇବେ ୧୦ଟି ଗ୍ରାମର ଲୋକେ

0

ବେତନଟୀ, ୯/୬ : ବେତନଟୀ ରେଞ୍ଜର ବଡାମପୁର ବନପାଳ କ୍ଷେତ୍ରର ବଡାମପୁର ରିଜର୍ଭର କୁରାଢ଼ିକ ଠାରୁ ବେତାନାସିଆ ପର୍ଯ୍ୟନ୍ତ ଚାରି କି:ମି: ଟ୍ରେଞ୍ଚ ଖୋଳା ଶେଷ ହୋଇଛି । ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂଙ୍କ ତତ୍ତ୍ୱାବଧାନରେ ବଡାମପୁର ବନପାଳ ଶିରିଶ ଦଳେଇ ଓ ବନ କର୍ମଚାରୀ ମାନେ ଏହି ଟ୍ରେଞ୍ଚ କାମକୁ ଶେଷ କରିଛନ୍ତି । ଏହା ଦ୍ୱାରା ଏବେ ଝାଡଖଣ୍ଡି ହାତୀ ପଲର ଗତିକୁ ରୋକା ଯାଇ ପାରିବ । ଏହି ହାତୀପଲ ଆସିବା ବେଳେ ଓ ଫେରିବା ବେଳେ ବଡାମପୁର କ୍ଷେତ୍ରରେ ରହି ବ୍ୟାପକ କ୍ଷୟକ୍ଷତି କରି ଥାଆନ୍ତି ।

ଏହି ଟ୍ରେଞ୍ଚ ହେବା ଦ୍ୱାରା ଏବେ କୁରାଢ଼ିକ, ପାଣିଶୋଳ, ବେତାନାସିଆ, କ୍ଷେତ୍ରପାଟଣା, ମଗୁଶିରିଆ, ଜାମଶୂଳୀ, ଚହଲାପଦା, ଫାଲଝରୀ ଓ ପାଖଆଖର ଦଶ ଗୋଟି ଗ୍ରାମ ଝାଡଖଣ୍ଡି ହାତୀ ପଲ ଦାଉରୁ ରକ୍ଷା ପାଇ ପାରିବ ବୋଲି ଜଣା ପଡିଛି । ବନ ବିଭାଗ ତରଫରୁ ଖୋଳା ଯାଇ ଥିବା ଏହି ଟ୍ରେଞ୍ଚର ଉପର ÷ଅଂଶଟି ତିନି ମିଟର ରହିଛି । ଗାତଟି କୋନ ଆକୃତିର ହୋଇ ଥିବା ବେଳେ ଏହାର ଗଭୀରତା ୨.୫ ମିଟର ଓ ତଳର ଓସାର ଗୋଟିଏ ମିଟର ବୋଲି ଜଣା ପଡିଛି । ଏହି ଟ୍ରେଞ୍ଚ ଖୋଳିବା ପାଇଁ କି:ମି: ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ବନ ବିଭାଗ ଖର୍ଚ୍ଚ କରୁ ଥିବାର ଜଣା ପଡିଛି । ତେବେ ବଡାମପୁର ବନପାଳ କ୍ଷେତ୍ରର ସମ୍ପୂର୍ଣ୍ଣ ଅଂଶକୁ ସିଲ କରିବାକୁ ହେଲେ ଆହୁରି ଛଅ କି:ମି: ଟ୍ରେଞ୍ଚର ଆବଶ୍ୟକତା ରହିଛି । ଏହି ଟ୍ରେଞ୍ଚ ଖୋଳା ହୋଇ ଗଲେ ହାତୀ ସୁରକ୍ଷା କାପୋଇ, କରତପଟା ଓ ବେଣାଶୋଳ ପର୍ଯ୍ୟନ୍ତ ସୁରକ୍ଷା ବଳୟ ବଢ଼ିବ ବୋଲି ଜଣା ପଡିଛି ।

Leave A Reply