Odisha news

କରୋନା ସଂକ୍ରମଣ ଦେଶରେ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି

0

ନୂଆଦିଲ୍ଲୀ: ଦେଶରେ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୯ ହଜାର ୯୮୭ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ଏହା ସର୍ବାଧିକ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୫୯୮ ଓ ମୃତ୍ୟୁସଂଖ୍ୟା ୭ ହଜାର ୪୬୬କୁ ବୃଦ୍ଧି ପାଇଛି।

କେବଳ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି। ଆଜି ମୁମ୍ବାଇରେ ୫୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ନୂଆ ୧ ହଜାର ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୁମ୍ବାଇ ମହାନଗର ନିଗମ ଡେପୁଟି କମିଶନର ଶିରିଶ ଦୀକ୍ଷିତଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ ମାଧବୀ ରାଜେ ସିନ୍ଧିଆ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି। ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ତଥା ରାଜ୍ୟର ପୂର୍ବତନ ଅର୍ଥ ସଚିବ ତୁହୀନ୍ କାନ୍ତ ପାଣ୍ଡେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେହିଭଳି ଓଡ଼ିଶାରେ ୩ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରଥମ ସଂକ୍ରମିତ ଚିହ୍ନଟ ହେବାର ପ୍ରାୟ ୨ ମାସରେ ସଂଖ୍ୟା ୧ ହଜାର, ଅଢ଼େଇ ମାସରେ ୨ ହଜାର ଓ ୩ ମାସ ନପୂରୁଣୁ ୩ ହଜାର ଟପିଛି ଏହି ସଂଖ୍ୟା।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ର ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ମୋଟ ୩୧୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୩୩ ସୁସ୍ଥ ହୋଇଥିବା ୯୬୬ ଏବେବି ଚିକିତ୍ସିତ ହେଉଛନ୍ତି। ଓଡ଼ିଶାର କରୋନା ମହାମାରୀ ୯ ଜଣଙ୍କ ଜୀବନ ନେଇଛି।

Nalco

Leave A Reply