Odisha news

ସାମାଜିକ ଗଣମାଧ୍ୟମରେ କଂଗ୍ରେସର ସ୍ପିକ୍ ଅଫ୍ ଇଣ୍ଡିଆ ଆଜି ଭାଗ ନିଅନ୍ତୁ, ଦେଶକୁ ରକ୍ଷା କରନ୍ତୁ – ନିରଞ୍ଜନ ପଟ୍ଟନାୟକ

0

ଭୁବନେଶ୍ୱର, ୨୭ /୦୫  : ପ୍ରବାସୀ ଶ୍ରମିକମାନଙ୍କୁ ନଗଦ ଟଙ୍କା ଦେବା , ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଦେବା ଏବଂ ବାହାରେ ଥିବା ପ୍ରବାସୀମାନଙ୍କୁ ତୁରନ୍ତ ସେମାନଙ୍କ ଅଂଚଳକୁ ଫେରାଇ ଆଣିବା ଆଦି ୩ ଟି ଦାବି ନେଇ ଆସନ୍ତାକାଲି (ଗୁରୁବାର) ଦିନ କଂଗ୍ରେସ ପକ୍ଷରୁ ସ୍ପିକ୍ ଅଫ୍ ଇଣ୍ଡିଆର ଆୟୋଜିତ ହେବ । ଗୁରୁବାର ଦିନ ୧୧ ଟାରୁ ଦିନ ୨ ଟା ମଧ୍ୟରେ ସାମାଜିକ ଗଣମାଧ୍ୟମ ଯଥା ଫେସ୍‌ବୁକ୍‌, ଟ୍ୱିଟର ଏବଂ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଦାବି ଉପସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।
ବୁଧବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲକ୍ ଡାଉନ୍ ଯୋଗୁଁ ଦୁର୍ଦ୍ଦଶାରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ସିଧାସଳଖ ଆସନ୍ତା ୬ ମାସ ପାଇଁ ମାସକୁ ୭୫୦୦ ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ କରିବା ଏବଂ ତତ୍‌କ୍ଷଣାତ ସେମାନଙ୍କୁ ୧୦ ହଜାର ଟଙ୍କା ଅଗ୍ରୀମ ଆକାରରେ ସେମାନଙ୍କ ଖାତାରେ ଜମା କରାଯାଉ । ୨ୟତଃ କୃଷକମାନଙ୍କର ରବି ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି । ମାର୍ଚ୍ଚ ମାସ ୨୫ ତାରିଖ ପାଖରୁ ଆଜି ପର୍ଯ୍ୟନ୍ତ କୃଷକମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟ ଯଥା ପନିପରିବା ଠାରୁ ଆରମ୍ଭ କରି ଧାନ, ମୁଗ, ବିରି ବଜାରରେ ବିକ୍ରୀ କରିପାରିଲେ ନାହିଁ । ରବି ଋତୁର ଋଣ ଏବଂ ଋଣ ଉପରେ ସୁଧ କୃଷକଙ୍କ ମୁଣ୍ଡ ଉପରେ ନଳିତା ବିଡା ସଦୃଶ । ସମସ୍ୟା ଘେରରେ ଥିବା କୃଷକ, ଶ୍ରମିକ ଏଭଳି ଏକ ସ୍ଥିତିରେ ଆସନ୍ତା ଖରିଫ୍ ଋତୁ ପାଇଁ କୃଷକମାନଙ୍କୁ ବିହନ ଠାରୁ ଆରମ୍ଭ କରି ସାର, କୀଟନାଶକ ଔଷଧ ଏବଂ ନଗଦ ଅର୍ଥର ସହାୟତା ପ୍ରଦାନ କରାଯାଉ । ୩ୟତଃ ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ତୁରନ୍ତ କେନ୍ଦ୍ର ସରକାର ଟ୍ରେନ୍ ଯୋଗେ ନିଜ ଅଂଚଳରେ ଆଣି ପହଂଚାନ୍ତୁ । ଏ ଶ୍ରମିକଙ୍କୁ ରାଜ୍ୟ ରାଜ୍ୟ ଭିତରେ ନ ବାଂଟି, ନିର୍ଦ୍ଦିଷ୍ଟ ରାଜ୍ୟର ଶ୍ରମିକ ନକହି ସେମାନଙ୍କୁ ଭାରତ ବର୍ଷର ଶ୍ରମିକ, ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ ପ୍ରଗତିର ମୂଳ ଚାବିକାଠି ବୋଲି ଗ୍ରହଣ କରି ତାଙ୍କୁ ଅତିଶୀଘ୍ର ନିଜ ଅଂଚଳକୁ ଫେରାଇ ଆଣିବାର ବ୍ୟବସ୍ଥା କରିବା ସହିତ ଯାତ୍ରା ସମୟରେ ତାଙ୍କର ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।
ଏହି କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ, ନେତୃବୃନ୍ଦ, ଛାମୁଆ ସଂଗଠନ ତଥା କଂଗ୍ରେସ ପ୍ରେମୀ ବନ୍ଧୁ ଏବଂ ଓଡିଶାର ସଚେତନ ନାଗରିକଙ୍କୁ ଅନୁରୋଧ ଏହା ଅଧିକରୁ ଅଧିକତର ସାମାଜିକ ଗଣମାଧ୍ୟମରେ ଏହି ୩ଟି ଦାବିକୁ ଉପସ୍ଥାପନ କରିବାକୁ ପିସିସି ସଭାପତି ନିବେଦନ କରିଛନ୍ତି ।

IEC 2 years
Leave A Reply