ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା ମା’ର ଅନୈତିକ ପ୍ରେମ ଶିଶୁପୁତ୍ରର ଜୀବନ ନେଲା, ହତ୍ୟା ଅଭିଯୁକ୍ତ ପ୍ରେମିକ ଓ ପ୍ରେମିକା ଗିରଫ
ପଟ୍ଟାମୁଣ୍ଡାଇ ତା ୩.୧୦.୨୦୨୨- ସମ୍ପ୍ରତି ପରକିୟା ପ୍ରୀତି ଓ ଅନୈତିକ ପ୍ରେମ ସମ୍ପର୍କ ଘଟଣା ବୃଦ୍ଧି ପାଉଥିବାରୁ ସାମାଜିକ ବ୍ୟବସ୍ଥା ଭୁଶୁଡି ପଡିବାରେ ଲାଗିଛି I ମା’ର ଅନୈତିକ ପ୍ରେମ ସମ୍ପର୍କ ଯୋଗୁଁ ଏକ ନିଷ୍ପାପ ଶିଶୁ ପୁତ୍ରର ଜୀବନ ଚାଲିଯାଇଛି I ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଦିହୁଡିପୁର ପଂଚାୟତରେ ଦେଖିବାକୁ ମିଳିଛି I ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି I ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦିହୁଡିପୁର ପଂଚାୟତ ମାଟିଆପଡା ଗ୍ରାମର ସୁକାନ୍ତ ନାଥଙ୍କ ପତ୍ନୀ ସସ୍ମିତା ନାଥ ନିଜର ପିଲାମାନଙ୍କୁ ପଢାଇବା ପାଇଁ ଗାଁରୁ ଆସି ପଟ୍ଟାମୁଣ୍ଡାଇ ସହର ଚୂନଡିହ ଠାରେ ଘର ଭଡା ନେଇ ରହୁଥିଲେ I ପଟ୍ଟାମୁଣ୍ଡାଇ ସହର ଭଡା ଘରେ ସସ୍ମିତାଙ୍କ ସହିତ ବଡ଼ ଝିଅ (୧୨)ବର୍ଷ, ବଡ଼ ପୁଅ (୧୦) ବର୍ଷ ଓ ସାନପୁଅ( ୨) ବର୍ଷ ରହୁଥିଲେ I
ସସ୍ମିତାଙ୍କ ସ୍ୱାମୀ ସୁକାନ୍ତ ବାଙ୍ଗାଲୋରରେ ରହି କାମ କରୁଛନ୍ତି Iଇତ୍ୟବସରରେ ବିବାହିତା ମହିଳା ସସ୍ମିତାଙ୍କର ପଟ୍ଟାମୁଣ୍ଡାଇ ଥାନା ଗୋପ୍ତିରା ଗ୍ରାମର ଲଷ୍ମୀଧର ବାଇଙ୍କ ସହିତ ଦୀର୍ଘ ୬ମାସ ହେବ ଅନୈତିକ ପ୍ରେମ ସମ୍ପର୍କ ଗଢି ଉଠିଥିଲା I କ୍ରମଶଃ ଏହି ସମ୍ପର୍ଜ ନିବିଡ଼ ହେବାକୁ ଲାଗିଲା I ପ୍ରେମିକ ଲଷ୍ମୀଧର ବିବାହିତା ପ୍ରେମିକା ସସ୍ମିତାଙ୍କୁ ଧରି ରାଜ୍ୟ ବାହାରକୁ ଯିବା ପାଇଁ ସ୍ଥିର କରିଥିଲେ I ଯୋଜନା ଅନୁଯାୟୀ ବଡ଼ ଝିଅ ଓ ପୁଅକୁ ସ୍ୱାମୀଙ୍କ ପରିବାର ପାଖରେ ଛାଡିବାକୁ ଥିବାବେଳେ ମା କ୍ଷୀର ଖାଉଥିବା ୨ ବର୍ଷର ନିଷ୍ପାପ ଶିଶୁ ପୁତ୍ର ଏଥିରେ ବାଧକ ସାଜିଥିଲା I ତାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଯୋଜନା ପ୍ରସ୍ତୁତ ହେଲା I ତା ୧.୧୦.୨୦୨୨ ରିଖ ଦିବା ୨ଟା ସମୟରେ ଉଭୟ ପ୍ରେମିକ ଲଷ୍ମୀଧର ଓ ପ୍ରେମିକା ସସ୍ମିତା ୨ବର୍ଷର ଶିଶୁ ପୁତ୍ରକୁ ଗାଧୋଇ ଦେବା ପାଇଁ ଗାଧୁଆ ଘରକୁ ନେଇଯାଇଥିଲେ I ଗାଧୋଇବା ସମୟରେ ଶିଶୁ ପୁତ୍ରଟି କାନ୍ଦିବାରୁ ତାର ମା ତଥା ପ୍ରେମିକା ସସ୍ମିତାଙ୍କ ଉପସ୍ଥିତିରେ ପ୍ରେମିକ ଲଷ୍ମୀଧର ଉତକ୍ଷିପ୍ତ ହୋଇ ତାକୁ ଗାଧୁଆ ଘର ପକ୍କା ଚଟାଣରେ କଚାଡି ଦେଇଥିଲା I ଏହା ପରେ ଶିଶୁ ପୁତ୍ରଟି ସଂଜ୍ଞIହୀନ ହୋଇ ପଡିବାରୁ ତାକୁ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା I
ମାତ୍ର ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ I ଏହା ପରେ ଶିଶୁ ପୁତ୍ର ଭଡା ଘର ସିଡ଼ିରୁ ପଡି ମୃତ୍ୟୁବରଣ କରିଥିବା ସସ୍ମିତା ଶାଶୁ ଘର ଲୋକଙ୍କୁ ଜଣାଇବା ସହିତ ମାଟିଆପଡା ଗ୍ରାମରେ ତାର ଶବକୁ ପୋତି ଦେଇଥିଲେ I ତେବେ ଘଟଣାଦିନ ଭଡା ଘରେ ଉପସ୍ଥିତ ଥିବା ମୃତ ଶିଶୁ ପୁତ୍ରର ବଡ଼ ଭଉଣୀ ଓ ଭାଇ ଘଟଣା ସ୍ଥଳରେ ପହଂଚି ଲଷ୍ମୀଧର ତାକୁ ମା ସସ୍ମିତା ଉପସ୍ଥିତିରେ ଗାଧୁଆ ଘରେ କଚାଡି ଦେଇଥିବା ଦେଖିବାକୁ ପାଇଥିଲେ I ତା ୨.୧୦.୨୦୨୨ରିଖ ରେ ସସ୍ମିତାଙ୍କ ବାପା ଏହି ଘଟଣା ଶୁଣି ତାଙ୍କ ଶାଶୁ ଘରକୁ ଆସିଥିବା ବେଳେ ସସ୍ମିତାଙ୍କ ବଡ଼ ଝିଅ ତା ଅଜା ଆଗରେ ସେ ଦିନର ଘଟଣା ବର୍ଣ୍ଣନା କରିବା ସହିତ ସସ୍ମିତାଙ୍କ ପ୍ରେମିକ ଲଷ୍ମୀଧର ତାର ଛୁଆ ଭାଇକୁ ଗାଧୁଆ ଘରେ କଚାଡି ମାରି ଦେଇଥିବା ନେଇ ପ୍ରକାଶ କରିଥିଲା Iଏହି ସମ୍ପର୍କରେ ଶୁଣିବା ପରେ ପ୍ରେମିକା ସସ୍ମିତାଙ୍କ ବାପା ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ I ସରପଞ୍ଚ ଏ ବିଷୟରେ ପଟ୍ଟାମୁଣ୍ଡାଇ ଥାନାକୁ ଜଣାଇଥିଲେ I ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ତପନ କୁମାର ରାଉତଙ୍କ ନିର୍ଦେଶରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା I ମା ସସ୍ମିତାଙ୍କ ପ୍ରେମିକ ଲଷ୍ମୀଧର ମା ଉପସ୍ଥିତିରେ ତାଙ୍କର ୨ବର୍ଷର ନିଷ୍ପାପ ସାନ ଭାଇକୁ ଗାଧୁଆ ଘରେ କଚାଡି ମାରି ଦେଇଥିବା ପୋଲିସରେ ବୟାନ ଦେଇଥିଲା I
ପଟ୍ଟାମୁଣ୍ଡାଇ ପୋଲିସ ଏହି ଅଭାବନୀୟ ଘଟଣାର ପର୍ଦାଫାଶ କରିବା ପାଇଁ କୌଶଳ କ୍ରମେ ମୃତ ଶିଶୁ ପୁତ୍ରର ମା ତଥା ପ୍ରେମିକ ଲଷ୍ମୀଧରଙ୍କ ପ୍ରେମିକା ସସ୍ମିତାଙ୍କୁ ଥାନାକୁ ଡକାଇ ଆଣିଥିଲା I ନିଜକୁ ବଞ୍ଚାଇବା ସହିତ ଅନୈତିକ ପ୍ରେମ ସମ୍ପର୍କକୁ ଲୁଚାଇବାକୁ ଯାଇ ପ୍ରେମିକା ସସ୍ମିତା ତାର ଶିଶୁପୁତ୍ରକୁ ପ୍ରେମିକ ଲଷ୍ମୀଧର ଭଡା ଘର ଗାଧୁଆ ଘରେ କଚାଡି ମାରି ଦେଇ ଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲା I ପଟ୍ଟାମୁଣ୍ଡାଇ ପୋଲିସ ପ୍ରେମିକ ଲଷ୍ମୀଧରକୁ ଜେରା କରିବା ପରେ ତାର ବିବାହିତା ପ୍ରେମିକା ସସ୍ମିତାଙ୍କ ସହିତ ଅନୈତିକ ପ୍ରେମ ସମ୍ପର୍କ ଥିବା ପୋଲିସ ନିକଟରେ ସ୍ୱୀକାର କରିଛି I ଆଜି ପଟ୍ଟାମୁଣ୍ଡାଇ ତହସିଲଦାର ତଥା ମାଜିଷ୍ଟ୍ରେଟ ଦିଲ୍ଲୀପ ସେଠୀଙ୍କ ସମ୍ମୁଖରେ ପୋଲିସ ଅଭିଯୁକ୍ତର ବୟାନ ରେକର୍ଡ କରିଛି I ଏଥି ସହିତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ତପନ କୁମାର ରାଉତ, ତଦନ୍ତକାରୀ ଅଫିସର ଅନନ୍ତ ବିଶ୍ୱାଳ ପ୍ରମୁଖ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିଆପଡା ଗ୍ରାମରୁ ମାଟି ତଳେ ପୋତା ହୋଇଥିବା ଶିଶୁପୁତ୍ରର ଗଳିତ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି I ପଟ୍ଟାମୁଣ୍ଡାଇ ପୋଲିସ ଏ ସମ୍ପର୍କରେ ଥାନା କେଶ ନଂ୪୮୬/୨୨ରେ ଭାରତୀୟ ପିଙ୍ଗଳ କୋର୍ଡର ୨୯୪,୩୨୩,୩୦୨,୫୦୬ ଦଫାରେ ଏକ ମୋକଦ୍ଦମା ରୁଜୁ କରି ଏହି ମାମଲାରେ ସମ୍ପୃକ୍ତ ପ୍ରେମିକ ଲଷ୍ମୀଧର ବାଇ ଓ ବିବାହିତା ପ୍ରେମିକା ସସ୍ମିତା ନାଥଙ୍କୁ ଗିରଫ କରିଛି I ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇ ଆଇ ସି ଶ୍ରୀ ରାଉତ ପ୍ରକାଶ କରିବା ସହିତ ଶବ ବ୍ୟବଛେଦ ରିପୋର୍ଟ ଆଧାରରେ ପୋଲିସର ତଦନ୍ତ ପ୍ରକ୍ରିୟା ଆଗେଇବ ବୋଲି ସୂଚନା ଦେଇଛନ୍ତି I ଏହି ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି I