ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ଯାଇ ଏସଆଇଟିି ସରୋଜ ସେଠୀକୁ ଗିରଫ କରି ପରୀ ହତ୍ୟାକାରୀ ସଜାଇଛି : ବିଶେଶ୍ୱର ଟୁଡୁ
ଦୁର୍ନୀତିତଗ୍ରସ୍ତ ସରକାରୀ ଅଧିକାରୀ ଏବଂ ଭ୍ରଷ୍ଟ ନେତାଙ୍କୁ ସୁରକ୍ଷା ଦେବା ରାଜ୍ୟସରକାରଙ୍କ ପ୍ରାଥମିକତା ପାଲଟିଛି
ରାଜ୍ୟରେ ବ୍ୟାପକ ଭାବେ ବାଲି ଦୁର୍ନୀତି ଚାଲିଥିବାବେଳେ ପ୍ରଶାସନିକ ଅଧିକାରୀ ଭିନିଲ କିଷ୍ଣାଙ୍କୁ ଅପହରଣ କରାଯିବାର ନାଟକ ରଚା ଯାଇଥିଲା
ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସରକାର ଏସଆଇଟି ଗଠନ କରିଛନ୍ତି
ଏସଆଇଟି ତଦନ୍ତ ନକରି ସରକାରଙ୍କ ନିଦେ୍ର୍ଦଶରେ କାର୍ଯ୍ୟ କରୁଛି
ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ସରକାର ଚାହୁଁ ନାହାଁନ୍ତି
ବାବୁଲି ନାଏକ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ଖସାଇବା ପାଇଁ ରାଜ୍ୟସରକାର ବିରାଟ ଷଡଯନ୍ତ୍ର ରଚିଛନ୍ତି
ଶିଶୁ ଅପହରଣ, ହତ୍ୟା ଓ ଅଙ୍ଗତସ୍କରୀ ଗ୍ୟାଙ୍ଗ ପଛରେ ବିଜେଡିର ହାତ ରହିଛି
ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,ତା.୨୨/୧୨: ସରକାରଙ୍କ ଉପରକୁ ଆଙ୍ଗୁଲି ଉଠିଲେ ସେ ସଙ୍ଗେ ସଙ୍ଗେ ଘଟଣାକୁ ଭିନ୍ନ ରଙ୍ଗ ଦେଇଥାନ୍ତି । ପୂର୍ବରୁ ରାଜ୍ୟସରକାରଙ୍କର ଏହି ଅଭ୍ୟାସ ରହିଆସିଛି । ବାଲି, ମୋରମ, ପଥର ଚୋରି ହେବା ସମୟରେ ରାଜ୍ୟସରକାର ଏସଆଇଟି ଗଠନ କରି ଜଣେ ସରକାରୀ ଅଫିସରଙ୍କୁ ବହିଷ୍କାର କଲେ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବଂ ଏହି ଦୁର୍ନୀତିରେ ସାମିଲ ଥିବା ବିଜେଡି ନେତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ରାଜ୍ୟରେ ବ୍ୟାପକ ଭାବେ ବାଲି ଦୁର୍ନୀତି ଚାଲିଥିବାବେଳେ ପ୍ରଶାସନିକ ଅଧିକାରୀ ଭିନିଲ କିଷ୍ଣାଙ୍କୁ ଅପହରଣ କରାଯିବାର ନାଟକ ରଚା ଯାଇଥିଲା ।
ଆଉ ଏବେ ପରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀ ବାବୁଲି ନାଏକ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ସୁରକ୍ଷା ଦେବାକୁ ଯାଇ ଜଣେ ଜଣେ ନାବାଳକକୁ ଗିରଫ କରି ହତ୍ୟାକାରୀ ସଜାଯାଉଛି । ଦୁର୍ନୀତିତଗ୍ରସ୍ତ ସରକାରୀ ଅଧିକାରୀ ଏବଂ ଭ୍ରଷ୍ଟ ନେତାଙ୍କୁ ସୁରକ୍ଷା ଦେବା ରାଜ୍ୟସରକାରଙ୍କ ପ୍ରାଥମିକତା ପାଲଟିଛି । ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସରକାର ଏସଆଇଟି ଗଠନ କରିଛନ୍ତି ଏବଂ ଏସଆଇଟି ତଦନ୍ତ ନକରି ସରକାରଙ୍କ ନିଦେ୍ର୍ଦଶରେ କାର୍ଯ୍ୟ କରୁଛି । ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ଯାଇ ଏସଆଇଟିି ସରୋଜ ସେଠୀକୁ ଗିରଫ କରି ପରୀ ହତ୍ୟାକାରୀ ସଜାଇଛି ବୋଲି ବିଜେପି ସାଂସଦ ବିଶେଶ୍ୱର ଟୁଡୁ ଅଭିଯୋଗ କରିଛନ୍ତି ।
ରାଜ୍ୟସରକାରଙ୍କ ଏସଆଇଟି ଉପରେ ଆମର ବିଶ୍ୱାସ ନାହିଁ ।
ରାଜ୍ୟସରକାରଙ୍କ ନିଦେ୍ର୍ଦଶରେ ଏସଆଇଟି ବୟାନ ରଖୁଛି । ପରୀ ପ୍ରସଙ୍ଗରେ ଆଲୋଚନା ହେଲେ କାଳେ ଲୋକେ ସତ ଜାଣିଯିବେ ସେଥିପାଇଁ ରାଜ୍ୟସରକାର ବିଧାନସଭା ଗୃହକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରିଦେଲେ । ଗିରଫ ହୋଇଥିବା ସରୋଜ ସେଠୀକୁ ଫସାଇବା ପାଇଁ ଏସଆଇଟି ଷଡଯନ୍ତ୍ର କରିଥିବା କଥା ଗଣମାଧ୍ୟମରେ ଖୋଦ୍ ସରୋଜ ବୟାନ ଦେଇଛି । ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ସରକାର ଚାହୁଁ ନାହାଁନ୍ତି । ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟସରକାର ତଦନ୍ତ ଭାର ସିବିଆଇ ଦେବା ପାଇଁ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦାବି କରିଛନ୍ତି ।
ବାବୁଲି ନାଏକ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ଖସାଇବା ପାଇଁ ରାଜ୍ୟସରକାର ବିରାଟ ଷଡଯନ୍ତ୍ର ରଚିଛନ୍ତି ଏବଂ ଏହାର ମଙ୍ଗ ଧରିଛନ୍ତି ପୋଲିସ ମହାନିଦେ୍ର୍ଦଶକ ଏବଂ ଏସାଇଟି ମୁଖ୍ୟ । ସାମ୍ବିଧାନିକ ବିଧି ବ୍ୟବସ୍ଥାର ପ୍ରମୁଖ ସ୍ଥାନରେ ରହି ଶାସକ ଦଳର ମୁଖପାତ୍ର ଭଳି ସେମାନେ ଆଚରଣ କରୁଛନ୍ତି । ବିଜେଡି ସରକାର ଅପରାଧକୁ ପୋତ୍ସାହନ ଦେଉଛି ଏବଂ ନିରୀହ ପିଲାଙ୍କୁ ଅପରାଧୀ ସଜାଉଛି । ଶିଶୁ ଅପହରଣ, ହତ୍ୟା ଓ ଅଙ୍ଗତସ୍କରୀ ଗ୍ୟାଙ୍ଗ ପଛରେ ବିଜେଡିର ହାତ ରହିଛି ।
ଏନସିପିସିଆର କହିବା ସତ୍ୱେ ଏସଆଇଟି ଜବରଦସ୍ତି ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟରେ କେବଳ ଜଣେ ପରୀ ନୁହେଁ ଏହି ପଦଯାତ୍ରା ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ବାହାରିଛି । ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ । ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁମାନଙ୍କୁ ନ୍ୟାୟ ନମିଳିବା ଯାଏଁ ଏହି ଲଢେଇ ଜାରି ରହିବ ।
ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଆରମ୍ଭ ହୋଇଥିବା “ପରୀକୁ ନ୍ୟାୟ ପାଇଁ ପଦଯାତ୍ରା” ତୃତୀୟ ଦିନରେ ପହଂଚିଛି । ରବିବାର ଦିନ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ସାରୁଅରୁ ବାହାରି ବୋଲଗଡ (ପିଚୁକୁଳି) ପର୍ଯ୍ୟନ୍ତ ଯାଇଛି । ଆସନ୍ତାକାଲି ୨୩ ତାରିଖରେ ବୋଲଗଡ (ପିଚୁକୁଳି)ରୁ ଇଟାମାଟି ଏବଂ ୨୪ ତାରିଖରେ ଇଟାମାଟିରୁ ନୟାଗଡ ହୋଇ ଯଦୁପୁରଠାରେ ଏହି ପଦଯାତ୍ରା ସମାପ୍ତ ହେବ ।
ତୃତୀୟ ଦିନ ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଉପସଭାନେତ୍ରୀ ସୁକେଶି ଓରାମ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି ଓ ବିରଂଚି ନାରାୟଣ ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ର, କୃଷ୍ଣଚନ୍ଦ୍ର ପାତ୍ର, ଅଶୋକ ମିଶ୍ର, ସଂପଦ ସ୍ୱାଇଁ, ସାରଦା ଶତପଥୀ, ଅଜୟ ମିଶ୍ର, ରିଷଭ ନନ୍ଦଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।
ଏହି ପଦଯାତ୍ରା ଅବସରରେ ପଦଯାତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତାଙ୍କ ସମେତ ସଚେତନ ନାଗରିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଛାତ୍ରନେତା ତଥା ସମାଜର ବିଭିନ୍ନ କ୍ଷେତ୍ରର ନେତୃତ୍ୱ ମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।