ପାରାଦୀପ,୪ା୭ : ପଣ୍ୟ କାରବାରରେ ଇତିହାସ ରଚିଛି ପାରାଦୀପ ବନ୍ଦର । ଦୀର୍ଘ ଦିନ ଧରି ପଣ୍ୟ କାରବାରରେ ପ୍ରଥମ ସ୍ଥାନରେ ରହୁଥିବା ଗୁଜୁରାଟର ଦୀନଦୟାଲ ବନ୍ଦରକୁ ପଛରେ ପକାଇ ଦେଇଛି ପାରାଦୀପ ବନ୍ଦର । ଚଳିତ ଆର୍ଥିକ ବର୍ଷରେ ପ୍ରଥମ ତିନି ମାସରେ ପାରାଦୀପ ବନ୍ଦର ୨୫.୭୩ ମିଲିଅନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି । ଅନ୍ୟପଟେ ଏହି ସମୟରେ ଦୀନ ଦୟାଲ ବନ୍ଦର ୨୫.୦୫ ମିଲିଅନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି ।
ଫଳରେ ଦୀର୍ଘ ଦିନର ପ୍ରୟାସ ପରେ ଆଜି ପାରାଦୀପ ବନ୍ଦର ଏହି ମାଇଲଖୁଂଟ ଅତିକ୍ରମ କରିବାକୁ ସକ୍ଷମ ହୋଇଛି । କେବଳ ସେତିକି ନୁହେଁ ଦେଶରେ ଥିବା ବୃହତ ୧୨ଟି ବନ୍ଦରରେ ହୋଇଥିବା ପଣ୍ୟକାରବାରରେ ପାରାଦୀପ ବନ୍ଦର ଅଂଶ ଶତକଡ଼ା ୧୮.୧୩ ଭାଗ ରହିଛି । ଏ ନେଇ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଓ ଉପାଧ୍ୟକ୍ଷ ଏକେ ବୋଷ ବନ୍ଦରର ସମସ୍ତ କର୍ମଚାରୀ, ଶ୍ରମିକ ସଂଘ, ରାଜ୍ୟ ସରକାର, ଜିଲ୍ଳା ପ୍ରଶାସନ, ଷ୍ଟିଭେଡୋୟର୍ସ ସହ ବନ୍ଦରରେ ହେଉଥିବା କାରବାର ସହ ଜଡ଼ିତ ସମସ୍ତ ସଂସ୍ଥାକୁ କୃତଜ୍ଞତା ଜଣାଇଛନ୍ତି । ସମସ୍ତଙ୍କ ପ୍ରୟାସ ଯୋଗୁଁ ଆଜି ବନ୍ଦର ଇତିହାସରେ ଏକ ନୂଆ ଫର୍ଦ୍ଦ ଲେଖା ହୋଇପାରିଲା ବୋଲି ଅଧ୍ୟକ୍ଷ ଶ୍ରୀ ରୟ କହିଛନ୍ତି ।