ବିପିନ ବିହାରୀ ରାଉତ : ଚଳିତ ବର୍ଷ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ୨୦୨୧ ପାଇଁ ଘୋଷଣା ହୋଇଛି ପଦ୍ମ ସମ୍ମାନ । ଖୁସିର କଥା ଏଥର ଛଅ ଜଣ ଓଡ଼ିଆ ପଦ୍ମ ସମ୍ମାନ ପାଇଁ ଯୋଗ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପଦ୍ମବିଭୂଷଣ ପାଇଁ ଓ ଅନ୍ୟ ପାଞ୍ଚଜଣ ପ୍ରତିଭା ପଦ୍ମଶ୍ରୀ ସମ୍ମାନ ପାଇଁ । ଚଳିତ ବର୍ଷର ନିଜ ନିଜ ସାଧନା ଓ ପ୍ରତିଭାକୁ ନେଇ ଚମକ ରଖିଥିବା ଛଅ ଜଣ ଓଡ଼ିଆଙ୍କ ବିଶେଷତ୍ୱ ହେଉଛି ସେମାନେ ନିଜ କର୍ମ ଓ ଉଦ୍ଯୋଗକୁ ନେଇ ଏହିପରି ଭାରତର ଶ୍ରେଷ୍ଠ ସମ୍ମାନ ପାଇଁ ଯୋଗ୍ୟ ହୋଇଛନ୍ତି । ସେମାନଙ୍କ ନିଷ୍ଠାପର କର୍ମତତ୍ପରତା ଓ ସମାଜ ପାଇଁ ସମର୍ପିତ ସେବା ସାଧନା ହିଁ ସବୁଠାରୁ ବଡ଼ ଯୋଗ୍ୟତା । ନାଁ ସେମାନଙ୍କ ପଛରେ କୌଣସି ତଥାକଥିତ ଗଡ଼ଫାଦରଙ୍କ ପ୍ରୋତ୍ସାହନ ନାଁ ଆତ୍ମବଡ଼ିମା, ନାଁ ପଇସାର ପ୍ରାଚୁର୍ଯ୍ୟ ନାଁ ନିଜକୁ ବିଜ୍ଞପିତ କରିବାର ପ୍ରବଣତା ।
୨୦୨୧ ବର୍ଷ ପାଇଁ ଘୋଷିତ ପଦ୍ମବିଭୂଷଣ ପାଇବେ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ । ଶ୍ରୀ ସାହୁ ଦୀର୍ଘ ବର୍ଷ ଧରି ସେ ଓଡ଼ିଶାରେ ଭାସ୍କର୍ଯ୍ୟ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ଅନେକ ଶିଳ୍ପୀ ଗଢ଼ିଛନ୍ତି । ଦେଶ ବିଦେଶରେ ମଧ୍ୟ ସେ ଭାସ୍କର୍ଯ୍ୟ ଶିଳ୍ପରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ପଦ୍ମବିଭୂଷଣ ପାଇବା ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ “ପୁରସ୍କାର ଘୋଷଣା ପରେ ନିଶ୍ଚିତ ଆନନ୍ଦିତ । ମୁଁ କର୍ମ କରି ଚାଲିଛି, କେବେ ନିଜକୁ ଶ୍ରେଷ୍ଠ ଭାବିନି ।’ ସେ ଆହୁରି ମଧ୍ୟ କହିଛନ୍ତି “ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଆଶୀର୍ବାଦ କୃପା ଯୋଗୁଁ ଏହା ସମ୍ଭବ ହୋଇଛି ।’ ପୁରୀରେ ଜନ୍ମିତ ଶ୍ରୀ ସାହୁ ଓଡ଼ିଶା ସରକାରଙ୍କ ସହାୟତାରେ ୧୯୯୧ରେ ସୁଦର୍ଶନ ଆର୍ଟସ୍ ଆଣ୍ଡ କ୍ରାଫ୍ଟ ଭିଲେଜ ସ୍ଥାପନ କରିଛନ୍ତି ।
କନ୍ଧମାଳ ଜିଲ୍ଲାର ଆଧ୍ୟାତ୍ମିକ କବୟିତ୍ରୀ ପୂର୍ଣ୍ଣମାସୀ ଜାନିଙ୍କୁ ମିଳିଛି ପଦ୍ମଶ୍ରୀ ଉପାଧି । ଖଜୁରୀପଡ଼ା ବ୍ଲକ ବାରିପଦା ନିବାସୀ ପୂର୍ଣ୍ଣମାସୀ ତାଡିସରୁ ବାଇ ଭାବେ ପରିଚିତ । ଦିନେ ବି ବିଦ୍ୟାଳୟ ଯାଇ ନଥିବା ତଥା ଭାଷା ସାହିତ୍ୟର ଅ ଆ ଜାଣି ନଥିବା ତାଡିସରୁ ବାଇଙ୍କ କଣ୍ଠ ନିସୃତ ଅନର୍ଗଳ ଅସଂଖ୍ୟ ଭକ୍ତି ସଙ୍ଗୀତ କେବଳ କନ୍ଧମାଳ ଜିଲ୍ଲା ନୁହେଁ ବରଂ ଓଡ଼ିଶାବାସୀଙ୍କୁ ଚମକ୍ରୃତ କରି ଆସିଛି । କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଦଳପଡ଼ା ଠାରେ ନୀଳକଣ୍ଠ ଜାନୀ ଓ ରାଣିମତାଙ୍କ ଔରସରୁ ୧୯୪୪ରେ ଜନ୍ମିତ ପୂର୍ଣ୍ଣମାସୀ ଆରାଧନା ଜାନିଙ୍କୁ ବାହା ହୋଇଥିଲେ । ତାଙ୍କର ଛଅ ସନ୍ତାନ କ୍ରମାଗତ ପ୍ରାଣ ହରାଇଛନ୍ତି ।
ଏହି ଘଟଣା ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗଭୀର ଦୁଃଖ ଦେବା ସହ ଧୀରେ ଧୀରେ ଆଧ୍ୟାତ୍ମିକତା ଆଡ଼କୁ ଟାଣି ନେଇଥିଲା । ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ବ୍ରହ୍ମପୁର ବଡ଼ ମେଡ଼ିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡାକ୍ତର କୃଷ୍ଣମୋହନ ପାଠୀଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷର ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ମିଳିଛି । ଚିକିତ୍ସା ସେବା କ୍ଷେତ୍ରରେ ପଦ୍ମଶ୍ରୀ ପାଇବାରେ ପ୍ରଫେସର ପାଠୀ ରାଜ୍ୟରେ ପ୍ରଥମ କୁହାଯାଉଛି । ପ୍ରଫେସର ପାଠୀ ବହୁମୁଖି ପ୍ରତିଭାର ଅଧିକାରୀ । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଡକ୍ଟର ଅଫ୍ ସାଇନ୍ସ ସମ୍ମାନରେ ସମ୍ମାନିତ କରାଯାଇଛି ।
ଉଲ୍ଲେଖନୀୟ ସେବା ତଥା ମେଡ଼ିକାଲ କ୍ଷେତ୍ରରେ ଶ୍ରେଷ୍ଠ ଅଧ୍ୟାପନା ପାଇଁ ପ୍ରଫେସର ପାଠୀଙ୍କୁ ସର୍ବୋଚ୍ଚ ଡା.ବିସି ରାୟ ଜାତୀୟ ପୁରସ୍କାର, ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀକୁ ଅଧିକ ଲୋକପ୍ରିୟ କରିିଥିବାରୁ ତାଙ୍କୁ ଡ.ଜିଏସ୍ ଦାଶମହାପାତ୍ର ପୁରସ୍କାର ଓ ସ୍ୱର୍ଣ୍ଣପଦକ, ୨୦୦୦ରେ ଆନ୍ତର୍ଜାତିକ କଲେଜ ଅଫ ସର୍ଜନସର ସର୍ବୋଚ୍ଚ ପୁରସ୍କାର ଡ.ଆରଜି ଗିଣ୍ଡେ ମେମୋରିଆଲ ଓରେସନ ଆୱାଡ଼, ୨୦୦୨ରେ ଆସୋସିଏସନ ଅଫ ସର୍ଜନ ଅଫ ଇଣ୍ଡିଆନର ସର୍ବୋଚ୍ଚ ଗବେଷଣା ପୁରସ୍କାର ଡ.ରଙ୍ଗାଚାରୀ ଓରେସନ ଆୱାଡ଼, ୨୦୦୫ରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ଆଦି ପାଇଛନ୍ତି ।
ସମାଜ ସେବାରେ ଆଜୀବନ ସମର୍ପିତା, ଗାନ୍ଧୀବାଦୀ କର୍ମୀ, ତ୍ୟାଗ ଓ ମାନବିକତାର ପ୍ରତୀକ ବାଲେଶ୍ୱର ମାଟିର ଝିଅ, ରାୟଗଡ଼ା ଜିଲ୍ଲାରେ କର୍ମରତା ଶାନ୍ତି ଦେବୀ ପାଇବେ ପଦ୍ମଶ୍ରୀ ସମ୍ମାନ । ଅଳ୍ପ ବୟସରୁ ଶାନ୍ତି ଦେବୀ ସ୍ୱାମୀ ରତନ ଦାସଙ୍କ ସହ ରାୟଗଡ଼ା ଜିଲ୍ଲା ଗୁଣପୁର ଯାଇ ସେବା ସମାଜ ସଙ୍ଗଠନ ଗଢ଼ି ସେବା କାର୍ଯ୍ୟରେ ବ୍ରତୀ ଅଛନ୍ତି । ୧୮ ଏପ୍ରିଲ ୧୯୩୪ରେ ଜନ୍ମିତ ଶାନ୍ତିଙ୍କ ବାପା ରାଜେନ୍ଦ୍ର ମୋହନ ଦାସ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ରବୀନ୍ଦ୍ର ମୋହନ ଦାସଙ୍କ ବଡ଼ଭାଇ । ସେ ଆଇଏ ଶିକ୍ଷା ପରେ ରତନ ଦାସଙ୍କୁ ବିବାହ କରିଥିଲେ । ୧୯୫୧-୫୩ ମଧ୍ୟରେ ସ୍ୱାମୀଙ୍କ ସହ କୋରାପୁଟର ଶଙ୍ଖଲପଦର ଗାଁକୁ ଆସି ଆଶ୍ରମ ପ୍ରତିଷ୍ଠା ସହ ଅସହାୟ ପିଲାଙ୍କ ଲାଳନ ଓ ଶିକ୍ଷା ପ୍ରଦାନ ଓ କୁଷ୍ଠରୋଗୀଙ୍କ ସେବାରେ ବ୍ରତୀ ହେଲେ । ୧୯୫୫-୫୬ରେ ବିନୋବା ଭାବେଙ୍କୁ ଭେଟି ଭୂଦାନ ଆନେ୍ଦାଳନରେ ସାମିଲ ହେଲେ ।
ପ୍ରଫେସର ଡକ୍ଟର ରଜତ କୁମାର କରଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ମନୋନୀତ କରିଛନ୍ତି । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୮୭ ବର୍ଷ ବୟସ୍କ ଶ୍ରୀ କରଙ୍କ ଜନ୍ମ କଟକ ଜିଲ୍ଲା ମହାଙ୍ଗା ବ୍ଲକ କୁଅାଁପାଳ ନିକଟସ୍ଥ ଚାଇଁଆପାଳ ଗାଁରେ । ମାତା ସ୍ୱର୍ଗତ ଇନ୍ଦୁମଣି ଦେବୀ ଓ ପିତା କୁଳମଣି କରଙ୍କ କୋଳମଣ୍ଡନ କରି ୨ ଅକ୍ଟୋବର ୧୯୩୪ରେ ଜନ୍ମ ଗ୍ରହଣ କରିଥିବା ରଜତ କୁମାର ଜଣେ ପ୍ରମୁଖ ଲେଖକ, ନାଟ୍ୟକାର, ଭାଷ୍ୟକାର, ଅଧ୍ୟାପକ ତଥା ଶିକ୍ଷା ପ୍ରଶାସକ ଭାବେ ଓଡ଼ିଶାରେ ବେଶ ପରିଚିତ । ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଏସିଆନ ଇନ୍ଷ୍ଟିଚୁ୍ୟଟ ଅଫ ଏଜୁକେସନ ପ୍ଲାନିଂ ଆଣ୍ଡ ଆଡ଼ମିନିଷ୍ଟ୍ରେସନରୁ ଏଜୁକେସନ ପ୍ଲାନିଂ ଆଣ୍ଡ ଆଡ଼ମିନିଷ୍ଟ୍ରେସନ ଡିଗ୍ରୀ ହାସଲ ପରେ ନିଜର ଅଧ୍ୟାପନା ଜୀବନ ସେ ଆରମ୍ଭ କରିଥିଲେ । ଶିକ୍ଷକ ନନ୍ଦ ପୃଷ୍ଟି । ବୟସ ୧୦୨ ବର୍ଷ । ଦୀର୍ଘ ୭୫ ବର୍ଷ ଧରି ପ୍ରାଥମିକ ଶିକ୍ଷା ସହିତ ସଂପୃକ୍ତ ।
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତିରା ଗାଁରେ ନନ୍ଦସାରଙ୍କ ଘର । ଯେଉଁଠି କେବଳ ତପସିଲଭୁକ୍ତ ଉପଜାତିର କୈବର୍ତ୍ତ ଓ ହରିଜନ ଶ୍ରେଣୀ ପିଲାଙ୍କ ପାଇଁ ନନ୍ଦ ସାର ଦୀର୍ଘ ୭୫ ବର୍ଷ ଧରି ଚଳାଇଛନ୍ତି ଚାଟଶାଳି । ଏହି ଚାଟଶାଳୀରୁ ବାହାରିଥିବା ହଜାର ହଜାର ମେଧାବୀ ଏବେ ରାଜ୍ୟରେ ପ୍ରତିଷ୍ଠିତ । ନନ୍ଦସାର ଚାଟଶାଳି ପରମ୍ପରାକୁ ଆଜି ବି ବଞ୍ଚାଇଛନ୍ତି । ୧୯୩୯ରେ ନନ୍ଦକିଶୋର ହାତିବାରୀ ଗ୍ରାମର ମାଇନର ସ୍କୁଲରୁ ସପ୍ତମ ପାସ କରି ଦାରିଦ୍ର୍ୟର କଷାଘାତରୁ ଆଗରୁ ପଢ଼ିପାରି ନଥିଲେ । ସେ ପଢ଼ି ପାରିଲେନି କିନ୍ତୁ ଗାଁ ପିଲା ପଢ଼ନ୍ତୁ, ସେଥିଲାଗି ୧୯୪୬ ମସିହାରେ ଆରମ୍ଭ କଲେ ଚାଟଶାଳି । ତାଙ୍କ ପ୍ରଥମ ବ୍ୟାଚ ଛାତ୍ରଙ୍କ ମଧ୍ୟରୁ ଅଧିକାଂଶ ଏବେ ଆରପାରିରେ ମାତ୍ର ସେ ଏବେ ବି ୧୦୨ ବର୍ଷରେ ସାଧନା ଜାରି ରଖିଛନ୍ତି । ଏହି ଲେଖକ ପଦ୍ମ ସମ୍ମାନ ପାଇଁ ନିଜ କୃତୀ ଓ ସ୍ୱୀକୃତିକୁ ନେଇ ଛଅଜଣ ଗର୍ବିତ ଓଡ଼ିଆଙ୍କ ସାଧନା ପାଇଁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ସେମାନଙ୍କ ଅଧ୍ୟବସାୟ, ତ୍ୟାଗ ଓ ସାଧନାକୁ ଆହୁରି ଉଜ୍ଜୀବିତ କରି ଆମ୍ଭ ମାନଙ୍କୁ ପ୍ରେରଣା ଯୋଗାଉଥାନ୍ତୁ ।