ବାଦଲ ଭୂୟାଁ : କରୋନା ମହାମାରୀ ସମଗ୍ର ଭାରତର ଅର୍ଥନୀତିକୁ ପ୍ରଭାବିତ କରିଛି । ଭାରତର ଅର୍ଥନୀତିକୁ ବଳିଷ୍ଠ ଅବଦାନ ରଖିଥିବା ଶିଳ୍ପ ଜଗତ ମଧ୍ୟ ଏଥିରେ କ୍ଷତି ସହିବା ସହ ଏହା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଜ ଦାନାପାଣି ପାଇଁ ଅନେକ ଶ୍ରମିକ, ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀମାନେ ଏଯାବତ୍ ଭଲ ଭାବେ ସଳଖି ଛିଡ଼ା ହେବାକୁ ସକ୍ଷମ ହୋଇନାହାଁନ୍ତି । ତେବେ ବଡ଼ ଖୁସିର କଥା ଓଡ଼ିଶା ସରକାର ଏ କ୍ଷେତ୍ରରେ ଆଗୁଆ ରାଜ୍ୟ ଭାବେ ନିଜ ରାଜ୍ୟର ଶିଳ୍ପ ଜଗତ ପାଇଁ ଅନେକ ପ୍ରୋତ୍ସାହନ ଘୋଷଣା ସହ କେନ୍ଦ୍ରର ସହଯୋଗ ମଧ୍ୟ ଲୋଡ଼ିଛନ୍ତି । ଓଡ଼ିଶାର ମଜବୁତ୍ ବିଜେଡ଼ି ସରକାର ଶିଳ୍ପ କ୍ଷେତ୍ର ପାଇଁ ଅନେକ ପ୍ରକଳ୍ପ ଓ ପ୍ରୋତ୍ସାହନ ଓ ସହଯୋଗ ନିଜ ଉଦ୍ୟମରେ ଜାରି ରଖିଛନ୍ତି ।
ଶିଳ୍ପ କରିଡ଼ରରେ ସାମିଲ ହେବା ପାଇଁ ଯେଉଁ ଯୋଗ୍ୟତା ଦରକାର, ତାହା ଓଡ଼ିଶାରେ ଅଛି । ଶିଳ୍ପ କରିଡ଼ର ଓଡ଼ିଶା ଦେଇ ଗଲେ ରାଜ୍ୟର ଅର୍ଥନୈତିକ ବିକାଶରେ ଏହାର ବଡ଼ ଯୋଗଦାନ ରହିବ । ତେଣୁ ଓଡ଼ିଶା ଦେଇ କେନ୍ଦ୍ର ସରକାର ପୂର୍ବ ଭାରତୀୟ ଶିଳ୍ପ କରିଡ଼ର ପ୍ରତିଷ୍ଠା କରନ୍ତୁ ବୋଲି ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କରିଡ଼ର ଓଡ଼ିଶା ମଧ୍ୟ ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ପଞ୍ଜାବର ଅମୃତସର ଠାରୁ ପଶ୍ଚିମବଙ୍ଗର କୋଲକାତା ଯାଏ ପୂର୍ବ ଭାରତ ଫ୍ରେଟ୍ କରିଡ଼ର କାର୍ଯ୍ୟ ହେବାକୁ ଯାଉଛି । ଓଡ଼ିଶାରେ ସୁଦୀର୍ଘ ବନ୍ଦର ଏବଂ ବେଳାଭୂମି ଥିବାରୁ ଏହି କରିଡ଼ର ଅର୍ଥନୈତିକ ଭାବେ ଆହୁରି ଉନ୍ନତ ହୋଇପାରିବ । ତେଣୁ ପ୍ରସ୍ତାବିତ ଅମୃତସର-କୋଲକାତା କରିଡ଼ରକୁ ଓଡ଼ିଶାକୁ ସମ୍ପ୍ରସାରଣ କରିବା ଦାବି ରାଜ୍ୟ ସରକାର ଜୋରଦାର କରିଛନ୍ତି । କରୋନା ସମୟରେ ଓଡ଼ିଶା ପୂର୍ବବର୍ଷ ଅପେକ୍ଷା ୫୫ ପ୍ରତିଶତ ଅଧିକ ରତ୍ପାନୀ କରିପାରିଥିଲା ।
ଅନୁରୂପ ଭାବେ ଲକ୍ଡାଉନ୍ ସମୟରେ ରାଜ୍ୟ ବାହାରୁ ପୁଞ୍ଜି ଆଣିବାରେ ସଫଳ ହୋଇଥିଲା । ଏହି ସମୟରେ ରାଜ୍ୟ ସରକାର ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶା ମୁହାଁ କରାଇପାରିଛନ୍ତି । ଇଜ୍ ଅଫ୍ ଡୁଇଙ୍ଗ ବିଜନେସରେ ରାଜ୍ୟ ଜାତୀୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଛି । ପୁଞ୍ଜିନିବେଶ ସମ୍ପର୍କିତ ନିଷ୍ପତ୍ତିକୁ ତୁରନ୍ତ ସମାଧାନ କରିବା ପାଇଁ ଗୋସ୍ୱିପ୍ଟ ପୋର୍ଟାଲ କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଦୀର୍ଘ ଦିନରୁ ଉଚ୍ଚସ୍ତରୀୟ କମିଟି କାର୍ଯ୍ୟ କରୁଛି । ସେହିପରି ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ନିୟମିତ ସମୟ ବ୍ୟବଧାନରେ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ବୈଠକ ବସି ପ୍ରକଳ୍ପ ଅନୁମୋଦନ କରାଯାଉଛି । ଓଡ଼ିଶାର ଆଠଟି ଜିଲ୍ଲା ଖଣିଜ ସମ୍ପଦ ସମୃଦ୍ଧ । ପାରାଦ୍ୱୀପ, ଧାମରା ବନ୍ଦର, ସହ ସୁଦୀର୍ଘ ବେଳାଭୂମି ରହିଛି । ତେଣୁ କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ ଶିଳ୍ପ କରିଡ଼ର ଯଦି ଓଡ଼ିଶାମୁହାଁ ହୋଇପାରିବ ତେବେ ରାଜ୍ୟର ଅର୍ଥନୀତିକୁ ବଳିଷ୍ଠ କରିବ ।
ଏଥିସହ କରିଡ଼ର ହେଉଥିବା ଜିଲ୍ଲାବାସୀଙ୍କ ଆର୍ଥିକ ସାମାଜିକ ଉନ୍ନତି ହୋଇ ପାରିବ । ଭାରତ ସରକାର ପାଞ୍ଚଟି ଶିଳ୍ପ କରିଡ଼ର ଯୋଜନା କରିଛନ୍ତି । ହେଲେ ଏହି ପାଞ୍ଚଟି ମଧ୍ୟରୁ କୌଣସି ଗୋଟିଏ ବି ଓଡ଼ିଶା ଦେଇ ଯାଉନାହିଁ । ଦିଲ୍ଲୀ, ମୁମ୍ବାଇ ଶିଳ୍ପ କରିଡ଼ର (ଡିଏମ୍ଆଇସି), ବେଙ୍ଗଲୁରୁ-ମୁମ୍ବାଇ ଶିଳ୍ପ କରିଡ଼ର (ବିଏମ୍ଇସି), ଚେନ୍ନାଇ-ବାଙ୍ଗାଲୋର ଶିଳ୍ପ କରିଡ଼ର (ସିବିଆଇସି), ବିଶାଖାପାଟଣା-ଚେନ୍ନାଇ ଶିଳ୍ପ କରିଡ଼ର (ଭିସିଆଇସି) ଏବଂ ଅମୃତସର-କୋଲକାତା ଶିଳ୍ପ କରିଡ଼ର (ଏକେଆଇସି) । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କୋଲକାତା ଏବଂ ଦକ୍ଷିଣ ଭାଗରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ଶିଳ୍ପ କରିଡ଼ର ପ୍ରସ୍ତାବ ଥିବାବେଳେ ତାହା ଭିତ୍ତିଭୂମି ଥିବା ଓଡ଼ିଶା ନ ଆସିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଓଡ଼ିଶା ଦେଇ ଶିଳ୍ପ କରିଡ଼ର ହେଲେ କେବଳ ଓଡ଼ିଶା ନୁହେଁ, ଅନ୍ୟମାନେ ମଧ୍ୟ ଉପକୃତ ହୋଇପାରିବେ । ଏହା ଦ୍ୱାରା ଏକେଆଇସି-ଭିସିଆଇସି ଯୋଡ଼ି ହେବ । ଯାହା ଦ୍ୱାରା କୋଲକାତା ସହ ଚେନ୍ନାଇର ମଧ୍ୟ ଏକ ପ୍ରତ୍ୟକ୍ଷ ସଂଯୋଗ ପ୍ରତିଷ୍ଠା ହୋଇ ପାରିବ । ଏହାଦ୍ୱାରା ସାରା ଦେଶରେ ଏକ ଶୃଙ୍ଖଳ ସମସ୍ତ ଅଞ୍ଚଳ ଯୋଡ଼ି ହୋଇପାରିବ । ପାରାଦ୍ୱୀପ, ଗୋପାଳପୁର ଏବଂ ଧାମରା ବନ୍ଦରକୁ ବାକ୍ୱାର୍ଡ଼ ଏବଂ ଫରୱାର୍ଡ଼ ଲିଙ୍କେଜ୍ ଦ୍ୱାରା ଉତ୍ତର ଏବଂ ଦକ୍ଷିଣ ଭାରତୀୟ ଶିଳ୍ପ କରିଡ଼ର ସହ ଯୋଗାଯୋଗ କରାଯିବା ପାଇଁ ଚିନ୍ତା କରାଯାଉଛି । ହେଲେ ଲିଙ୍କେଜ୍ ପ୍ରତିଷ୍ଠା ଅପେକ୍ଷା ସିଧାସଳଖ କରିଡ଼ର ପ୍ରତିଷ୍ଠା ରାଜ୍ୟର ସ୍ୱାର୍ଥର ଦ୍ୱିଗୁଣିତ କରିବ ବୋଲି ଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି ।
ଏହାକୁ ବାଦ୍ ଦେଲେ ଭାରତୀୟ ରେଳବାଇ ସୁଦୀର୍ଘ ୪୦୦୦ କିଲୋମିଟର ଏକ ଫ୍ରେଟ୍ ପଣ୍ୟ କରିଡ଼ର ଡିଏଫ୍ସି ନେଇ ବିଚାର କରୁଛନ୍ତି । ଏହା ଦ୍ୱାରା ଦେଶର ପଶ୍ଚିମ ଭାଗ, ଦକ୍ଷିଣ ଭାଗକୁ ଓଡ଼ିଶା ବନ୍ଦର ସହର ସହ ସଂଯୋଗୀକରଣ କରିହେବ । ଏହି ଡିଏଫସି ଦ୍ୱାରା ପାରାଦ୍ୱୀପ, ଧାମରା, ଗୋପାଳପୁର ସମେତ ଆନ୍ଧ୍ର ପ୍ରଦେଶର ଚାରିଟି ପ୍ରମୁଖ ସହରକୁ ଯୋଗାଯୋଗ କରିବ । ଏହି ଡିଏଫ୍ସି ଓଡ଼ିଶାର ଶିଳ୍ପ ସମୃଦ୍ଧ ସହର କଳିଙ୍ଗ ନଗର ମଧ୍ୟ ଦେଇ ଯିବ ବୋଲି ଜଣାପଡ଼ିଛି । ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଅବଦାନ ସମଗ୍ର ଭାରତ ପାଇଁ ଏକ ଆଦର୍ଶଣୀୟ ଉଦାହରଣ । ରାଜ୍ୟରେ ବ୍ୟାପକ ଖଣିଜ ସମ୍ପଦ ଭରି ରହିଛି ଓ ଏହା ସହ କୁଶଳୀ, ଅଣକୁଶଳୀ ଶ୍ରମଶକ୍ତି ମଧ୍ୟ ରହିଛି । ରାଜ୍ୟର ପ୍ରଗତିରେ ଶିଳ୍ପକ୍ଷେତ୍ରର ଅବଦାନ ଯଥେଷ୍ଟ ରହିଛି । ଏ କ୍ଷେତ୍ରରେ କେନ୍ଦ୍ରର ସହଯୋଗ ରହିଲେ ଓଡ଼ିଶା ଏକ ଶିଳ୍ପ ବିକଶିତ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇବ ।