ସାଲେପୁର, ୧୩ ।୫- ସାଲେପୁର ଅଞ୍ଚଳରେ ପ୍ରଶାସନ ପକ୍ଷରୁ କରୋନା ସଚେତନତା ଓ ପ୍ରଶାସନିକ କାର୍ଯ୍ୟକ୍ରମ ସୁଚାରୁ ରୂପେ କାର୍ଯ୍ୟକାରୀ ହେଉନାହିଁ । ଏହାର ସ୍ପଷ୍ଟ ନଜିର ଦେଖିବାକୁ ମିଳିଛି ଆଜି ସାଲେପୁର ଅଞ୍ଚଳରେ । ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସରକାର ରାଜ୍ୟ ବାହାରୁ ଆଣୁଥିବାବେଳେ କରୋନା ସଂକ୍ରମଣକୁ ରୋକିବାପାଇଁ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖିବାପାଇଁ ଗୁରୁତ୍ୱର ସହ କାର୍ଯ୍ୟ କରିବାପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ କଡ଼ା ନିର୍ଦେଶ ଦେଇଥିବାବେଳେ ସାଲେପୁର ଅଞ୍ଚଳରେ ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ ।
ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ସାଲେପୁର ବଜାର ସମେତ ବିଭିନ୍ନ ସ୍ଥାନରେ ବସ୍ରୁ ଓହ୍ଲାଇ ଏଣେତେଣେ ବୁଲୁଥିବା ସହ କେତେକ ପ୍ରବାସୀ ଓଡ଼ିଆ ନିଜ ସଂପର୍କୀୟମାନଙ୍କୁ ଡାକି ମନଇଚ୍ଛା ଘରକୁ ପଳାଇଯାଉଥିବାର ଦେଖିବାକୁ ମିଳିଛି । ଏ ସବୁ ସମସ୍ୟା ଉପୁଜିଛି ସ୍ଥାନୀୟ ପ୍ରଶାସନର ଖାମଖିଆଲୀ ନୀତି ଯୋଗୁ ।
ଦୈନଦିନ ବସ୍ ଓ ଅନ୍ୟ ଯାନମାନଙ୍କରେ ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ସାଲେପୁରରେ ପହଞ୍ଚôଲାପରେ ସେମାନଙ୍କୁ ନିୟମ ଅନୁଯାୟୀ ପ୍ରଥମେ ସାଲେପୁର କଲେଜରେ ହୋଇଥିବା ନୋଡ଼ାଲ ସେଣ୍ଟରରେ ତାଙ୍କର ନାମ ପଂଜିକରଣ କଲାପରେ ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବାବେଳେ ଅଧିକାଂଶ ସମୟରେ ପ୍ରଶାସନିକ ଅଧିକାରୀମାନେ ଅନୁପସ୍ଥିତ ରହୁଥିବାରୁ ଏହି ପ୍ରବାସୀ ଓଡ଼ିଆମାନେ ମନଇଚ୍ଛା ବିଭିନ୍ନ ସ୍ଥାନରେ ବସ୍ରୁ ଓହ୍ଲାଇବା ସହ କେତେକ ପ୍ରବାସୀ ଓଡ଼ିଆ ନିଜ ନିଜ ଘରକୁ ପଳାଇଯାଉଥିବାବେଳେ ଅନ୍ୟ କେତେକ ପ୍ରବାସୀ ଓଡ଼ିଆ ଘଣ୍ଟା ଘଣ୍ଟା ଧରି ସାଲେପୁର ବଜାରରେ ବୁଲିବା ଓ ବିଭିନ୍ନ ଦୋକାନରେ ଚା’ ଓ ଜଳଖିଆ ଖାଇବା ନଜିର ମଧ୍ୟ ରହିଛି । ଆଜି ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥିଲା ସାଲେପୁର ଅଞ୍ଚଳରେ ।
ଆଜି ସକାଳ ପ୍ରାୟ ୫ଟା ସମୟରେ ଦୁଇଟି ଭଲ୍ବୋ ବସ୍ରେ ପଂଜାବରୁ ୪୦ରୁ ଉଦ୍ଧ୍ୱର୍ ପ୍ରବାସୀ ଓଡ଼ିଆ ଆସି ସାଲେପୁର ବଜାରରେ ଓହ୍ଲାଇ ପରିସ୍ରା କରିବା, ଦାନ୍ତ ଘଷିବା ଓ ଏଣେତେଣେ ବୁଲିବା ସହ ବିଭିନ୍ନ ଦୋକାନରେ ଚା’ ଜଳଖିଆ ଖାଉଥିବା ଦେଖାଯାଇଥିଲା । ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ ଏପରି ସମସ୍ୟା ଉପୁଜିଥିଲା । କେତେକ ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଖବର ପାଇ ସେଠାରେ ପହଞ୍ଚô ଏହି ପ୍ରବାସୀ ଓଡ଼ିଆମାନଙ୍କୁ ବୁଝା ସୁଝା କରିବା ସହ ବସ୍ରେ ବସାଇ ସାଲେପୁର କଲେଜରେ ହୋଇଥିବା ନୋଡ଼ାଲ ସେଣ୍ଟରକୁ ପଠାଇଥିଲେ । ଏହିଭଳି ଏହି ଅଞ୍ଚଳରେ ନିୟମିତ ଚାଲୁଥିଲେ ମଧ୍ୟ ପ୍ରଶାସନର ଏ ଦିଗରେ ନିଘା ନାହିଁ ।
ସରକାର କରୋନା ସଂକ୍ରମଣକୁ ରୋକିବାପାଇଁ ଯେଉଁ କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି, ତାହା ଏଠାରେ ସୁଫଳ ହେଲାପରି ମନେ ହେଉନାହିଁ । ଅପର ପକ୍ଷରେ ସାଲେପୁର ବ୍ଲକ୍ ଅଞ୍ଚଳରେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିବା ବହୁ ପ୍ରବାସୀ ଓଡ଼ିଆ ହୋମ୍ କ୍ୱାରେଣ୍ଟାଇନ୍ର ନିୟମ ନମାନି ବଜାର ଘାଟରେ ବୁଲିବା ସହ ଜିନିଷପତ୍ର କିଣା କିଣି କରୁଥିବା ଦେଖାଯାଇଛି । ଯଦି ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆନଯାଏ, ତେବେ ଆଗାମୀ ଦିନରେ ସାଲେପୁରରେ ମଧ୍ୟ କରୋନା ସଂକ୍ରମଣକୁ ବ୍ୟାପିବାରେ ଏଡାଇଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି ।