ନୂଆପଡା -୧୦/୪ (ସୁରେନ୍ଦ୍ର ତିୱାରୀ) ସାମାଜିକ ସୁରକ୍ଷା ଯୋଜନାରେ ସ୍ବଚ୍ଛତା ରହୁନି । ଅନେକ ବୃଦ୍ଧ ବୃଦ୍ଧା ଏହି ଯୋଜନାରେ ସାମିଲ ରହି ଥିଲେ ମଧ୍ଯ ପ୍ରଶାସନିକ ଅବହେଳା ପାଇଁ ଦୀର୍ଘ ୧୦ ମାସ ହେବ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ରହି ଦୁଃସ୍ଥ ଜୀବନ ଅତିବାହିତ କରୁଛନ୍ତି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଲବୋଡ ପଞ୍ଚାୟତ ଭୁଲିଆଭଟା ଗ୍ରାମର ଜଳଧର ରଣା (୬୫) ଆଜକୁ ୧୦ ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ରହି ଥିବା ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ବୃଦ୍ଧ ଲୋକ ହୋଇଥିବା ବେଳେ ତାଙ୍କ ନାମରେ ଭତ୍ତା ମଞ୍ଜୁର ହୋଇଛି। ତାଙ୍କ ବ୍ୟାଙ୍କ ପାସବୁକ ଏକାଉଣ୍ଟ ନମ୍ୱର ରେ ଭତ୍ତା ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ହେଲେ ଆଜକୁ ୧୦ ମାସରୁ ଅଧିକ ହେଲା ଭତ୍ତା ବାବଦକୁ ଟଙ୍କାଟିଏ ମଧ୍ଯ ସରକାରୀ ସହାୟତା ପାଇନଥିବା ଶ୍ରୀ ରଣା ପ୍ରକାଶ କରିଛନ୍ତି। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠୁ ଆରମ୍ଭ କରି ସିନାପାଲି ବ୍ଲକ ବିଭାଗୀୟ କାର୍ଯ୍ଯାଳୟ କୁ ଭତ୍ତା ଟଙ୍କା ପାଇଁ ଯୋଗାଯୋଗ କରିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଆଜି ହେବ କାଲି ହେବ ବୋଲି କହି ଚାଲିଥିବା ବେଳେ ଭୁଆଁ ବୁଲାଇ ଚାଲିଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ସିନାପାଲି ବ୍ଲକ କାର୍ଯ୍ୟାଳୟ ଠାରୁ ଦିର୍ଘ ୨୦ କିଲୋମିଟର ଦୂର ରେ ଥିବା ଭୁଲିଆଭଟା ଗ୍ରାମରୁ ଅନ୍ୟ ଲୋକଙ୍କ ସାହା ଭରସା ରେ ସିନାପାଲି ବ୍ଲକ କାର୍ଯ୍ୟାଳୟକୁ ଯାତାୟାତ କରି ନିଜର ଦୁଃଖ ଜଣାଉଥିବା ବେଳେ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ଅଧିକାରୀ କେହି କର୍ଣ୍ଣପାତ କରୁନଥିବା ବେଳେ ଏହା ଭୁଲ୍ ଅଛି ତାହା ଭୁଲ ଅଛି ବୋଲି ଫେରାଇ ଦେଉଥିବା ପ୍ରକାଶ କରିଛନ୍ତି। ଏହି ଭତ୍ତା ଟଙ୍କା ରୁ ନିଜ ପାଇଁ ଔଷଧ ତଥା ଅନ୍ୟାନ୍ୟ ଆବଶ୍ଯକ ଜିନିଷ ପତ୍ର କିଣି ଚଲୁଥିବା ବେଳେ ବର୍ତ୍ତମାନ ୧୦ ମାସ ହେଲା ଭତ୍ତା ଟଙ୍କା ନପାଇବାରୁ ବହୁତ ଅସୁବିଧା ର ସମ୍ମୁଖିନ ହେଉଥିବା ହିତାଧିକାରୀ ପ୍ରକାଶ କରିଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।