Odisha news

ଗନିଆରୀ ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର

0
ନୁଆପଡ଼ା -୧୭/୨(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା  କୋମନା ବ୍ଲକ୍ ମାନିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗନିଆରୀ ଗାଁରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା  ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ,  ଜିଲ୍ଲା  ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍  ଉପାଧ୍ୟକ୍ଷ  ଜୟଦେବ ପ୍ରଧାନ,  ତହସିଲଦାର ପ୍ରୟାଶି ପ୍ରଧାନ,  ସ୍ଥାନୀୟ ସରପଞ୍ଚ ଯୋଗେନ୍ଦ୍ର ବାଗ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ବିଡ଼ିଓ ହେମନ୍ତ ପୁଟା ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ  କହିଥିଲେ ଯେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ଆପଣଙ୍କ ଯୋଜନା, ଏହା ଆପଣ ମାନଂକ ପାଇଁ , ଆପଣ ମାନଙ୍କ ଦ୍ବାରା ପରିଚାଳିତ ହେଉଛି l ଏହାର ଲାଭ ସମସ୍ତେ ଉଠାଇବାକୁ ଚେଷ୍ଟା କରନ୍ତୁ l ଏହି ପଞ୍ଚାୟତର ୭ ଗୋଟି ପରିବାର ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ ଦିନରୁ ଅଧିକ ଶ୍ରମ ଦାନ କରିଥିବାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ କରତାଳି ମଧ୍ୟରେ ସମ୍ବର୍ଦ୍ଧିତ କରଯାଇଥିଲା l
ଏହା ସହିତ ୭ ଜଣ ଶ୍ରମିକ ଙ୍କୁ ମନରେଗା ଯୋଜନାରେ ୯୦ ଦିନରୁ ଅଧିକ କାମ କରିଥିବାରୁ ସେମାନଙ୍କୁ ନିର୍ମାଣ ଶ୍ରମିକ ହିସାବରେ ପଞ୍ଜିକୃତ କରି ଲେବର୍ କାର୍ଡ ପ୍ରଦାନ କରାଗଲା l ସଭାରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକ,ଶ୍ରମ ଅଧିକାରୀ ମନୋରଞ୍ଜନ ନାୟକ, ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ସମିର କୁମାର ମୁଦୁଲି, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ପ୍ରକଳ୍ପ ରଶ୍ମି ରଞ୍ଜନ ପାତ୍ର ,ଉଦ୍ୟାନ ଅଧିକାରୀ ଆରାଧନା ଶବର  ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା  ବିଭିନ୍ନ ବିଭାଗୀୟ    ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ସମିତି ସଭ୍ୟ କୃଷ୍ଣଚନ୍ଦ୍ର ବେମାଲ ପ୍ରବାସୀ ଶ୍ରମିକ ସଚେତନତା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରା ଯାଉଥିବାରୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଥିଲେ l ଶେଷରେ  ସରପଂଚ ଯୋଗେନ୍ଦ୍ର ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lସୂଚନା ଯୋଗ୍ୟ ଯେ  ବର୍ତ୍ତମାନ ଜିଲ୍ଲାରେ  ଅନେକ  ଶ୍ରମ ଭିତ୍ତିକ ପ୍ରକଳ୍ପ କାମ ଆଗେଇ ଚାଲିଛି l  ବ୍ୟାଙ୍କ୍ ଜରିଆରେ ଅନେକ ମହିଳା ସ୍ୱୟଂ ସହାୟକ ଦଳଙ୍କୁ   ସାହାଯ୍ୟ ଯୋଗାଇ ଦିଆଯାଇଛି l
ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ମା ଭଉଣୀ ମାନେ ଘରର ପୁରୁଷ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳ ଉପସ୍ଥିତ ମହିଳା ମାନଙ୍କୁ ଅନୁରୋଧ କରିଥିଲେ l ସେ କହିଲେଯେ ବର୍ତ୍ତମାନ ଜିଲ୍ଲାରେ ମନରେଗା ଯୋଜନାରେ ଦୈନିକ ୫୪୦୦୦ ଶ୍ରମିକ ଶ୍ରମଦାନ କରି ଠିକ୍ ସମୟରେ ମଜୁରୀ ପାଇ ପାରୁଥିବାରୁ ନୂଆପଡ଼ା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି l ସମସ୍ତ ଶ୍ରମିକ ଏହାର ଲାଭ ଉଠାନ୍ତୁ ଏବଂ ମା ମାଟି ମନସ୍କ ହୋଇ ଜିଲ୍ଲାର ଉନ୍ନତି ରେ ଯୋଗଦାନ କରି ସୁଖୀ ପାରିବାରିକ ଜୀବନ ଅତିବାହିତ କରନ୍ତୁ l  ଆଜିର ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଶହ ଶହ ସଂଖ୍ୟାରେ ମହିଳା ତଥା ଜନ ସାଧାରଣ ଯୋଗ ଦେଇଥିଲେ lପୂର୍ବରୁ ଜିଲ୍ଲାପାଳ ଗ୍ରାମର ଦଶମ ଶ୍ରେଣୀର ଛାତ୍ର ତୁଷାର ବାଗ ଘରକୁ ଯାଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ ।
Leave A Reply