Odisha news

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଗୁଜୁରାଟରେ ଓଡ଼ିଶା ନିବେଶକ ସମ୍ମିଳନୀ : ଓଡ଼ିଶାରେ ନିବେଶ କରିବାକୁ ନିବେଶକ ମାନଙ୍କୁ ଆହ୍ବାନ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ତିନି ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି। ଆଜି ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ସେ ଶିଳ୍ପପତିମାନଙ୍କୁ ଭେଟି ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ନିବେଶକମାନଙ୍କ ପସନ୍ଦ ପାଲଟିଥିବା ଓଡ଼ିଶାରେ ନିବେଶ କରିବାକୁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି।

ନିବେଶକମାନେ ଓଡ଼ିଶାର ରସାୟନ, ଗ୍ଲାସ୍‌ ଓ ଉପକରଣ, ଧାତବ ଭଳି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପୁଞ୍ଜିନିବେଶ ଆଣିବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌କୁ ଅହମଦାବାଦରେ ଭବ୍ୟ ସ୍ବାଗତ କରାଯାଇଥିଲା। ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଅସାହି ସଙ୍ଗୱନ କଲର୍ସ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ଗୋକୁଳ ଜୟକୃଷ୍ଣ, ଅତୁଲ ଲିମିଟେଡ୍‌ର ନିସ୍ଥା ଲାଲଭାଇ, ନିର୍ମା ଲିମିଟେଡ୍‌ର କର୍ସନଭାଇ ପଟେଲ, ଆର୍‌ଏମ୍‌ଟିଏଲ୍‌ର ପ୍ରକାଶ ସାଂଘଭି ଓ ବୋରୋସିଲ୍‌ ଲିମିଟେଡ୍‌ର ସିଇଓ ମେଲ୍‌ୱିନ ମୋସେସ୍‌ ସାକ୍ଷାତ କରିଥିଲେ।

ଗୁଜରାଟ ଗସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ରାଜ୍ୟବାସୀଙ୍କ କଲ୍ୟାଣ ଓ ଓଡ଼ିଶାକୁ ପ୍ରଗତିର ଶୀର୍ଷକୁ ନେବା ପାଇଁ ଆମ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ରାଜ୍ୟର ଶିଳ୍ପ ସମୃଦ୍ଧି ଓ ଆମ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ସ‌ର୍ବୋଚ୍ଚ ପ୍ରାଥମିକତା। ସେହି ସଂକଳ୍ପକୁ ସାକାର କରିବା ପାଇଁ ନିବେଶକମାନଙ୍କୁ ଆକୃଷ୍ଟ କରି ଓଡ଼ିଶାରେ ଶିଳ୍ପ ଓ ନିଯୁକ୍ତିକୁ ଆହୁରି ତ୍ବରାନ୍ବିତ କରିବା ଲକ୍ଷ୍ୟରେ ମୁଁ ଗୁଜରାଟ ଗସ୍ତରେ ଆସିଛି।

ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶାର ଶିଳ୍ପ ସାମର୍ଥ୍ୟ ସହ ପରିଚିତ କରାଇବା ଏବଂ ସେମାନଙ୍କୁ ଆମ ରାଜ୍ୟର ଏହି ଅପରାଜେୟ ବିକାଶ ଯାତ୍ରାରେ ସହଭାଗୀ କରାଇବା ଏହି ଗସ୍ତର ମୂଳ ଅଭିପ୍ରାୟ।। ଆମର ଯୁବଶକ୍ତିଙ୍କ ପାଇଁ ନିଜ ମାଟିରେ ହିଁ ସମ୍ମାନଜନକ ଜୀବିକାର ସୁଯୋଗ ସୃଷ୍ଟି କରିବା ସହ ଏକ ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Govt
Leave A Reply