ନୂଆପଡଡା -୧୨/୧୨ (ସୁରେନ୍ଦ୍ର ତିୱାରୀ)ଆଜି ନୂଆପଡ଼ା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସଦଭାବନା ସଭା ଗୃହରେ ମାଣ୍ଡିଆ କ୍ରୟ ପାଇଁ ଜିଲ୍ଲା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛିl ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନୀୟ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥି ଭାଵରେ ଯୋଗଦାନ କରିଥିଲେ l ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ ସଭାର ଉଦ୍ଦେଶ୍ୟ ଓ ଜିଲ୍ଲା ପ୍ରଶାସନ ତଥା କୃଷି ବିଭାଗ ତରଫରୁ ମାଣ୍ଡିଆ କ୍ରୟ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ଵନ୍ଧରେ ଅବଗତ କରାଇଥିଲେ l ସରକାରଙ୍କ ଶ୍ରୀ ଅନ୍ନ ଯୋଜନା, ବିଗତ ବର୍ଷ ମାଣ୍ଡିଆ କ୍ରୟ ର ଲକ୍ଷ୍ୟ ଓ ସଫଳତା ହାସଲ ଉପରେ ସୂଚନା ଦେଇଥିଲେ l ଜିଲ୍ଲାପାଳ କହିଲେଯେ ରାଜ୍ୟ ସରକାର ମାଣ୍ଡିଆ ଉତ୍ପାଦନ ଓ ବିକ୍ରୀ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରି ଏହାକୁ ମଧ୍ୟାହ୍ନ ଭୋଜନ ଓ ଅଙ୍ଗନ ବାଡି କେନ୍ଦ୍ରରେ ଖାଦ୍ୟ ହିସାବରେ ସାମିଲ କରିଛନ୍ତି l ଏବର୍ଷ ଜିଲ୍ଲାର ୯୯ ଟି ଗ୍ରାମ ପଞ୍ଚାୟତର ୩୪୯ ଟି ଗାଁରେ ମାଣ୍ଡିଆ ଚାଷ ହୋଇଛି l ହେକ୍ଟର ପ୍ରତି ୧୯ କୁଇଣ୍ଟାଲ ହିସାବରେ ଏବଂ କୁଇଣ୍ଟାଲ ପ୍ରତି ୪୫୦୦ ଟଙ୍କା ଦେଇ ସରକାର ମଣ୍ଡି ଜରିଆରେ ମାଣ୍ଡିଆ କ୍ରୟ କରିବେ l ଏବର୍ଷ ଖରିଫ୍ ଋତୁ ପାଇଁ ୩୫ ଟି ମଣ୍ଡି ଜରିଆରେ ୬୨୮୬ ଜଣ ଚାଷୀଙ୍କ ଠାରୁ କୋଡ଼ିଏ ହଜାର କୁଇଣ୍ଟାଲ ମାଣ୍ଡିଆ କ୍ରୟ ପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି l ଏହା ଆସନ୍ତା ୨ ଜାନୁୟାରୀ ୨୦୨୫ ରୁ ଆରମ୍ଭ ହେବ l ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲାରେ ସଚେତନତା ରଥ ବୁଲିବ lରାଗି କୁ କେହି ଅବହେଳିତ ଶସ୍ୟ ବୋଲି ଭାବନ୍ତୁ ନାହିଁ l ବର୍ତ୍ତମାନ ସମୟର ଏହା ଏକ ମୂଖ୍ୟ ଖାଦ୍ୟ ହେବାକୁ ଯାଉଛି l ବିଧାୟକ ଶ୍ରୀ ଢୋଲକିଆ କହିଲେଯେ, ମାଣ୍ଡିଆ କିଭଳି ଭଲ ଭାବରେ ଚାଷୀଙ୍କ ଠାରୁ କିଣା ଯାଇ ପାରିବ ତା ଉପରେ ପ୍ରଶାସନ ନଜର ରଖୁ l ଗତ ବର୍ଷ ହୋଇଥିବା ଅସୁବିଧା ର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ସମସ୍ତ ଅଧିକାରୀ ଧ୍ୟାନ ଦେବେ l ବର୍ତ୍ତମାନ ସମୟରେ ଖାଦ୍ୟ ହିସାବରେ ରାଗି ର ଚାହିଦା ବୃଦ୍ଧି ପାଇଥିବାରୁ ଏହାକୁ ବେଶି ଚାଷୀ ଚାଷ କରନ୍ତୁ l ସଭାର ଆୟୋଜକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ ମାଣ୍ଡିଆ ର ମହତ୍ତ୍ଵ ସମ୍ଵନ୍ଧରେ ସମସ୍ତଙ୍କୁ ଅବଗତ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ସଭାରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଏ ପିଡି ଯୋଗେଶ୍ୱର ଭୋଇ , ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ବେଉରିଆ, ସମସ୍ତ ବିଡିଓ, ସମସ୍ତ ତହସିଲଦାର,ଡି ପି ସି ମିଶନ ଶକ୍ତି, ବିଭିନ୍ନ ଏଫ୍ ପି ସି ଏଲ୍ – ଯଥା ମା ସୁନାଦେଇ , ଦ୍ଵାରସିନୀ, ଉଦନ୍ତୀ, ସବୁଜ କୋମନା, ମର୍ଯ୍ୟାଦା ସଂସ୍ଥାର ଅଧିକାରୀ, ମଣ୍ଡି ପରିଚାଳକ, ବିଭିନ୍ନ ବ୍ଲକ୍ ର କୃଷି ଅଧିକାରୀ, କୃଷକ,ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଙ୍କ ସହ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଯୋଗଦାନ କରିଥିଲେ l