Odisha news

ପାଣି ପାଇଁ   ରାସ୍ତାରୋକ ଓ ଭୋଟ ବର୍ଜନ ଚେତାବନୀ

0
ନୂଆପଡା- ୨୪/୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ରାଜ୍ୟ ସରକାର ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି କିନ୍ତୁ  ଏହାର ଓଲଟା ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଡ଼ମଝର ପଞ୍ଚାୟତ ଅନ୍ତର୍ଗତ ରୁଣିବସା ଗ୍ରାମରେ । ଉକ୍ତ ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ କରିବା ପାଇଁ ପାଇପ ପୋତା ଯାଇ ଷ୍ଟାଣ୍ଡପୋଷ୍ଟ ମଧ୍ୟ ନିର୍ମାଣ ସରିଛି ହେଲେ ଲୋକମାନଙ୍କୁ ବୁନ୍ଦାଏ ମଧ୍ୟ ପାଣି ପିଇବାକୁ ମିଳୁନାହିଁ । ସୂଚନା ମୁତାବକ ଗତ ଦୁଇ ବର୍ଷ ତଳେ ଡମଝର ଗ୍ରାମରୁ  ରୁଣିବସା ଗାଁକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ରୁଣିବସା ଠାରେ ସରକାରଙ୍କ ତରଫରୁ ଗୋଟିଏ ଓଭରର୍ହେଡ ଜଳ ଟେଙ୍କ ନିର୍ମାଣ ସରିଛି। ହେଲେ ଓଭରହେଡ ଟେଙ୍କ ନିର୍ମାଣ ହେବା ଦିନଠାରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖତ ଖାଉଛି, ଲୋକଙ୍କ କାମରେ ଆସୁନାହିଁ। ଗ୍ରାମର ମହିଳାମାନେ ଆଜି ଗାଁ ରାସ୍ତା ଉପରେ ମାଠିଆ, ଗରିଆ , ବାଲଟି ଧରି ପ୍ରାତଃ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ହେଲେ କୌଣସି ପଦାଧିକାରୀ ଘଟଣାସ୍ଥଳକୁ ଆସିନଥିଲେ।  ଗ୍ରାମରେ ନଳକୂପ ପାଣିର କଥା ନ କହିବା ଭଲ।  ମହିଳାମାନେ ଦୁଇ କିଲୋମିଟର ଦୂର ନଦୀକୁ ବହୁ କଷ୍ଟରେ ଯାଇ ଟାଣ ଖରାରେ ପିଇବା ପାଣି ଆଣୁଥିବା ଅଭିଯୋଗ ହେଉଛି। ସଂପୃକ୍ତ ପାଇପ ପୋତାଯାଇଥିବା ଠିକାଦାରଙ୍କୁ ଏ ବିଷୟରେ ପଚାରିବାରୁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା କର୍ଲାକୋଟ ଠାରୁ ରୁଣିବସା, ଡମଝରରୁ ପଲସଦା ଛକରେ ସଂଯୋଗ ହୋଇଛି। ରାସ୍ତା କାମ ଠିକାଦାରଙ୍କ ମେସିନରେ କାମ କରିଥିବାରୁ ପାଇପ ଗୁଡ଼ିକ ବାରମ୍ବାର ନଷ୍ଟ ହୋଇ ଯାଉଥିବାରୁ ମରାମତି ମଧ୍ୟ କରାଯାଉଛି ବୋଲି ସଂପୃକ୍ତ ଠିକାଦାର ପ୍ରକାଶ କରିଥିଲେ । ଏ ପଟେ ଗ୍ରାମବାସୀଙ୍କ କହିବା ଅନୁସାରେ ଦୀର୍ଘ ଦୁଇ ବର୍ଷ ହେଲା ୬ ମାସରେ ଦୁଇଥର ୩ ମାସରେ ଥରେ ପାଣି ଆସୁଛି ବୋଲି କହିଥିଲେ। ଗାଁରୁ ନିକଟସ୍ଥ ଘରଧରା ନଦୀକୂଳରେ ଏକ ଗଭୀର କୂଅ ଖୋଲି ସ୍ଵତନ୍ତ୍ର ବ୍ୟବସ୍ଥା କରି ପାଣି ଯୋଗାଣ କରାଗଲେ ପାଣି ପାଇ ପାରିବୁ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଥିଲେ। ଗାଁରେ ଜନସଂଖ୍ୟା ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ରହିଥିବା ବେଳେ ଗୋଟିଏ ୱାର୍ଡ ରହିଛି।  ଏଠାରେ ଏକ ପ୍ରାଥମିକ ବିଦ୍ୟାଳୟ  ଅଛି। ହେଲେ ମଧ୍ୟାହ୍ନ ଭୋଜନ ପାଇଁ ରାନ୍ଧିବା କଷ୍ଟକର ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଅସୁବିଧା ଭୋଗି ଆସୁଛନ୍ତି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ସଦାଶିବ ବେହେରାଙ୍କୁ ପଚାରିବାରୁ  ସମ୍ପୃକ୍ତ ଠିକାଦାର ଓ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛି ଓ ଖୁବ୍ ଶୀଘ୍ର ଜଳ ଯୋଗାଣ କରାଯିବ ବୋଲି କହିଥିଲେ। ପାଣି ଯୋଗାଣ କରା ନଗଲେ ଆସନ୍ତା ୨୦୨୪ ବିଧାନ ସଭା ଓ ଲୋକସଭା ନିର୍ବାଚନର ଗାଁ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରା ନଗଲେ ଭୋଟ ବର୍ଜନ କରାଯିବ ବୋଲି ଗାଁର ଉମାଶଙ୍କର ବେହେରା , ଇନ୍ଦ୍ରମଣି ବେହେରା, ଖ୍ୟମାନିଧି ବେହେରା, ରିଖିରାମ ବେହେରା, ରାଧାମୋହନ ବେହେରା , ରମା ବେହେରା, ପର୍ଶୁରାମ ବେହେରା , ନାଏବ ସରପଞ୍ଚ ସସ୍ମିତା ବେହେରା , ୱାର୍ଡ ମେମ୍ବର ସେବନି ବେହେରା ପ୍ରମୁଖଙ୍କ ସହ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
Leave A Reply