ନୂଆପଡ଼ା – ୧୩/୦୧- ସକାଳ ଖବର (ସୁରେନ୍ଦ୍ର ତିୱାରୀ ) ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ କବି ପୀଠ ବରପାଲି ଠାରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଓ ମେହେର ସମାଜର ଶତବାର୍ଷିକ ମହାସଭା ଆୟୋଜନ କରାଯାଉଥିବା ବେଳେ ଏହି ଐତିହାସିକ କାର୍ଯ୍ଯକ୍ରମରେ ଯୋଗଦେବାକୁ ଆୟୋଜକ କମିଟି ତରଫରୁ ଓଡ଼ିଶା ରାଜ୍ଯପାଳଙ୍କୁ ନିମତ୍ରଣ କରାଯାଇଥିବା ଜଣାପଡ଼ିଛି । ନିଖିଳ ଓଡ଼ିଶା ମେହେର ସମାଜର ସଭାପତି ତଥା ନୂଆପଡ଼ା ଜିଲ୍ଲା ସିନାପାଲିର ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ନେତୄତ୍ୱରେ ଯାଇଥିବା ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ସହ ରାଜଭବନ ଭୁବନେଶ୍ୱର ରେ ସାକ୍ଷାତ ଆଲୋଚନା ବେଳେ ମହାମହିମ ରାଜ୍ଯପାଳ ରଘୁବର ଦାସ କାର୍ଯ୍ଯକ୍ରମକୁ ନେଇ ଖୁସି ବ୍ଯକ୍ତ କରିବା ସହ ପ୍ରଥମ ଦିବସରେ ଯୋଗଦେଇ ଏହି ସମରୋହକୁ ଉଦଘାଟନ କରିବାକୁ ସ୍ବୀକୄତି ଦେଇଛନ୍ତି ବୋଲି ସୁଚନା ମିଳିଛି। ଆଲୋଚନା ବେଳେ ରାଜ୍ଯପାଳ ଶ୍ରୀ ଦାସ ମେହେର ସମାଜର ବିଭିନ୍ନ ସାମାଜିକ କାର୍ଯ୍ଯକ୍ରମ ବିଷୟରେ ମଧ୍ଯ ପଚାରି ବୁଝିଥିଲେ । ସମାଜ ତରଫରୁ ପ୍ରଥମେ ରାଜ୍ଯପାଳଙ୍କୁ ଫୁଲତୋଡ଼ା ଏବଂ କବି ଗଙ୍ଗାଧରଙ୍କ ଏକ କାବ୍ଯ ସଙ୍କଳନ ପ୍ରଦାନ କରାଯାଇଥିଲା । ପ୍ରତିନିଧି ଦଳରେ ଅନ୍ଯମାନଙ୍କ ମଧ୍ଯରେ ସମାଜର ରାଜ୍ଯ କାର୍ଯ୍ଯକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେର, ଭୁବନେଶ୍ୱର ନଗର ସଭାପତି ମିହିର କୁମାର ମେହେର, ରାଜ୍ଯ ସଂଗଠକ ପ୍ରଫୁଲ୍ଲ କୁମାର ମେହେର, ଭୁବନେଶ୍ୱର ୟୁନିଟ୍ ସଂଯୋଜକ ଅଶୋକ କୁମାର ମେହେର ସାମିଲ ଥିଲେ । ସୂଚନାଯୋଗ୍ଯ ଯେ ସପ୍ତାହ ବ୍ଯାପି ଅନୁଷ୍ଠିତ ହେବାକୁ ଥିବା ଶ୍ରାଦ୍ଧ ଶତବାର୍ଷିକୀ ନିମନ୍ତେ ଆୟୋଜକ ମେହେର ସମାଜ ତରଫରୁ ବିଭିନ୍ନ କାର୍ଯ୍ଯକ୍ରମ ହାତକୁ ନିଆଯାଇଥିବା ବେଳେ ଏନେଇ ପ୍ରସ୍ତୁତି ମଧ୍ଯ ଜୋରଦାର ଚାଲିଥିବା ସୂଚନା ଦିଆ ଯାଇଛି ।