Odisha news

୧୩ ଲକ୍ଷ ୮୫ ହଜାର ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ବନ ବିଭାଗ ଫରେଷ୍ଟର ଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ।

0

ନୂଆପଡ଼ା-୮/୧୨  ସକାଳ ଖବର (ସୁରେନ୍ଦ୍ର ତିୱାରି)  କୋମନା ବନାଞ୍ଚଳ ଅଧିନ ଫରେଷ୍ଟର ଘନଶ୍ୟାମ ଶବର ନଗଦ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ଫରେଷ୍ଟର ଶ୍ରୀ ଶବରଙ୍କ ଠାରୁ ମୋଟ ନଗଦ ୧୩ ଲକ୍ଷ ୮୫ ହଜାର ଟଙ୍କା ଜବତ କରିଛନ୍ତି। ଗତ ବୁଧବାର ସନ୍ଧ୍ୟାରେ କୋମନା ସେକ୍ସନ ଫରେଷ୍ଟର ଶ୍ରୀ ଶବର ନିଜ ବାଇକ (OD-26-F – 4075 ) ରେ ଖଡ଼ିଆଳ ସ୍ଥିତ ନିଜ ବାସ ଭବନକୁ ଯାଉଥିଲେ। ସନ୍ଧ୍ୟାରେ ଫରେଷ୍ଟର ଶ୍ରୀ ଶବର ଲକ୍ଷାଧିକ ଟଙ୍କା ନଗଦ ଧରି ନିଜ ଘରକୁ ଯାଉଥିବା ଭିଜିଲାନ୍ସ ବିଭାଗ ପୂର୍ବରୁ ଖବର ପାଇଥିଲା। ଏହି ଖବର ଅନୁସାରେ ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଛକି ବସିଥିଲା। ଫରେଷ୍ଟର ଶ୍ରୀ ଶବର କୋମନା ଅଫିସରୁ ବାହାରି ଖଡ଼ିଆଳ ବାସ ଭବନକୁ ଯିବା ବାଟରେ ଜାତୀୟ ରାଜପଥ ୩୫୩ ଉପରେ ଭିଜିଲାନ୍ସ ଟିମ ଚଢାଉ କରି ତଲାସି କରିଥିଲେ। ସେଠାରେ ଏକ ବ୍ୟାଗରେ ନଗଦ ୫ ଲକ୍ଷ ୫ ହଜାର ଟଙ୍କା ଧରିଥିଲେ। ଏହି ଟଙ୍କା କେଉଁଠୁ ଆସିଲା ବୋଲି ଫରେଷ୍ଟର ଶ୍ରୀ ଶବରଙ୍କୁ ଭିଜିଲାନ୍ସ ଅଧିକାରୀ ପଚାରିବାରୁ ସଠିକ୍ ଉତ୍ତର ଓ ହିସାବ ଦେଇ ପାରିନଥିଲେ। ସେଠାରେ ନଗଦ ରାଶିକୁ ଜବତ କରି ଅଧିକ ତଦନ୍ତ ଚଳାଇଥିଲେ। ସେଠାରୁ ଫରେଷ୍ଟର ଶ୍ରୀ ଶବରଙ୍କୁ ଧରି ନିଜ ସରକାରୀ ବାସ ଭବନ ଓ ଅଫିସରେ ଚଢାଉ କରିଥିଲେ। କୋମନା ସ୍ଥିତ ସରକାରୀ ବାସ ଭବନରେ ଚଢାଉ କରି ୮ ଲକ୍ଷ ଟଙ୍କା ଠାବ କରିଥିଲେ। ତାଙ୍କର ଅଫିସରେ ଖାନତଲାସ କରି ଟେବୁଲ ଡ୍ରରୁ ୮୦ ହଜାର ଟଙ୍କା ଠାବ କରିଥିଲେ। ଏଭଳି ଫରେଷ୍ଟର ଶ୍ରୀ ଶବରଙ୍କ ଠାରୁ ମୋଟ ୧୩ ଲକ୍ଷ ୮୫ ହଜାର ଟଙ୍କା ଭିଜିଲାନ୍ସ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଏବେ ରାତିରେ ଖଡ଼ିଆଳ ସ୍ଥିତ ବାସ ଭବନ ଓ ବରଗାଁ ପୈତୃକ ଘରେ ଭିଜିଲାନ୍ସ ଟିମର ଚଢାଉ ଜାରି ରହିଥିବା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି। ତଦନ୍ତ ଅବ୍ୟାତ୍ ଥିବାରୁ ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ।

Govt
Leave A Reply