ନୂଆପଡ଼ା -୯/୬ (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସିଲଭା ପଞ୍ଚାୟତ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପ୍ରବାସୀ /ଦାଦନ ଶ୍ରମିକ ମାନଙ୍କ ପାଇଁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଖରିଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ,ଜିଲ୍ଲା ଶ୍ରମ ଅଧିକାରୀ, ଓ ପ୍ରାଧିକରଣର ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ପ୍ରବାସୀ ଶ୍ରମିକ ମାନଙ୍କ ପଞ୍ଜୀକରଣ, ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଦ୍ୱାରା ଦାଦନ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ସଂପର୍କୀତ କାର୍ଯ୍ୟକ୍ରମ,ଶିଶୁ ଶ୍ରମିକ ଉଚ୍ଛେଦ, ଅଣସଙ୍ଗଠିତ ଶ୍ରମିକ ମାନଙ୍କ ଅଧିକାର ତଥା ଶ୍ରମିକ ମାନଙ୍କ ପାଇଁ ଉପଲବ୍ଧ ସରକାରଙ୍କ ବିଭିନ୍ନ ଯୋଜନା ଆଲୋକପାତ କରାଇ ଥିଲେ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ମାଗଣା ଆଇନସେବା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ସିଲଭା ଗ୍ରାମ ଓ ଖରିଆର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦୁଇଟି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକ୍ରମ କରାଯାଇଥିଲା। ସିଲଭାରେ ଜିଲ୍ଲା ଅଧିକାରୀମାନେ ମାଛଚାଷ, ବତକପାଳନ, ପୋଖରୀଖନନ ଇତ୍ୟାଦି ବିଷୟରେ ବିଭିନ୍ନ ସରକାରୀ ଯୋଜନାଗୁଡ଼ିକ ବିଷୟରେ ତଥ୍ଯ ଦେଇ ସେଗୁଡ଼ିକର ଲାଭ ଉଠାଇବାକୁ ଓ ଅନ୍ୟ ରାଜ୍ଯକୁ ନଯାଇ ନିଜେ ଆର୍ଥିକରୂପରେ ସ୍ୱାବଲମ୍ବୀ ହେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।