ନୂଆପଡ଼ା -୧୬/୫(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ାରେ ଜିଲ୍ଲା ବିଦ୍ୟୁତ କମିଟି ବୈଠକ ସମ୍ମାନୀୟା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସଦଭାବନା ସଭାଗୃହରେ ଆୟୋଜିତ ଏହି ସଭାରେ ମାନ୍ୟବର ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ଡଲୀ ମାଝୀ, ବିଦ୍ୟୁତ୍ ବିଭାଗର ପଦାଧିକାରୀ ମାନେ ଯୋଗ ଦେଇଥିଲେ l ଜିଲ୍ଲାରେ ବିଦ୍ୟୁତ୍ ବିତରଣ ଏବଂ ପରିଚାଳନାକୁ ଲୋକାଭିମୁଖୀ କରିବା ପାଇଁ ମାନ୍ୟବର ସାଂସଦ ଓ ବିଧାୟକ ବିଭିନ୍ନ ପ୍ରସ୍ତାବ ଦେଇଥିଲେ l ସମ୍ମାନୀୟା ସାଂସଦ କହିଲେ ଯେ ଭୀଷଣ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ବିଭାଗ ମାନବିକ ଦୃଷ୍ଟିକୋଣରୁ କୌଣସି ବି ହିତାଧିକାରୀଙ୍କ ସଂଯୋଗ ବିଚ୍ଛିନ୍ନ କରିବେ ନାହିଁ l ଅଚଳ ହୋଇ ପଡିଥିବା ସମସ୍ତ
ଟ୍ରାନ୍ସଫରମର୍ ଗୁଡିକ ଶୀଘ୍ର ମରାମତି କରି ଉଠା ଜଳସେଚନ ତଥା ପାନୀୟ ଜଳ ଯୋଗାଣ ପଏଣ୍ଟ ମାନଙ୍କୁ ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ୍ ଯୋଗାଇ ଦିଅନ୍ତୁ l ବର୍ତ୍ତମାନ ଜିଲ୍ଲାରେ ଗୋଟିଏ ସୋଲାର ପାୱାର ପ୍ରୋଜେକ୍ଟ କାମ ଚାଲିଛି l ଏହା ସମ୍ପୂର୍ଣ୍ଣ ହେଲେ ଏଥିରୁ ଦୁଇ ହଜାର ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇ ଦିଆଯିବ l ଜିଲ୍ଲାରେ ଅତିଶୀଘ୍ର ଦ୍ଵିତୀୟ ସୋଲାର ପାୱାର ପ୍ରୋଜେକ୍ଟ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସେ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦେଇଥିଲେ l ଜିଲ୍ଲାରେ ପୁରୁଣା ଲୁହା ବିଦ୍ୟୁତ୍ ଖମ୍ଵ ସବୁ ବଦଳାଇ କଙ୍କ୍ରିଟ୍ ଖମ୍ଵ ଲଗାଇବା ପାଇଁ ଏବଂ ପୁରୁଣା ତାର ସ୍ଥାନରେ ନୂତନ କେବୁଲ୍ ଟାଣିବା ପାଇଁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ l ବିଭିନ୍ନ ଗ୍ରାମ ଏବଂ ବସ୍ତି ମାନଙ୍କର ବିଦ୍ୟୁତ୍ ସମସ୍ୟା ସେ କମିଟି ଆଗରେ ଉପସ୍ଥାପନ କରିଥିଲେ l ମାନ୍ୟବର ବିଧାୟକ ମଧ୍ଯ ଜନସାଧାରଣଙ୍କ ବିଭିନ୍ନ ବିଦ୍ୟୁତ୍ ସମସ୍ୟା ଉପରେ ଆଲୋକପାତ କରିବା ସହିତ ସାଲେଭଟାକୁ ନୂଆପଡ଼ା ସହର ବିଦ୍ୟୁତ୍ ଫିଡର ରେ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ l ଲୋ ଭୋଲ୍ଟେଜ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ l
ଏସବୁ ସମସ୍ୟା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଆଜିକାର ବୈଠକରେ ଡିଜିଏମ, ଓପିଟିସିଏଲ ଗଜରେ କେରକେଟା, ନିର୍ବାହୀ ଯନ୍ତ୍ରୀ ଟିପିଡବ୍ଲୁଓଡିଏଲ ସୁଖ୍ୟାତ ଦେବ ପରିଡା, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯୋଗେଶ୍ୱର ଭୋଇ ଡେପୁଟି ଡାଇରେକ୍ଟର ପ୍ଲାନିଂ ପରିମଳ ସାମଲ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିଦ୍ୟୁତ୍ ଏସ୍ ଡି ଓ ଅବିନାଶ ବିଶ୍ଵାଳ, ପ୍ରଦୀପ୍ତ କୁମାର ଖିଲାର ପ୍ରମୁଖ ଯୋଗ ଦେଇଥିଲେ l