ନୂଆପଡା -୨୬/୪(ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ଆଲୋକ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜଳ ବିଭାଜିକା ପ୍ରକଳ୍ପ ଉପ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପାତ୍ର ଯୋଗ ଦେଇଥିଲେ। ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଧିକାରି ଡଃ ନାୟକ ସ୍ଵାଗତ ସମ୍ଭାଷଣ ସହିତ ପଶୁ ପାଳକ ଚାଷୀ ମାନଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁମୁଖି ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ । ଅତିଥି ମାନେ ପଶୁକୁଳ ମାନବ ସମାଜର ଏକ ଅପରିହାର୍ଯ୍ୟ ଅଙ୍ଗ ଏବଂ ଏହି ମୂକ ପ୍ରାଣୀ ମାନଙ୍କ ଯତ୍ନ ନେବା ଆମ ନୈତିକ କର୍ତ୍ତବ୍ୟ ବୋଲି କହିଥିଲେ । ସମନ୍ୱିତ ଚାଷ ପ୍ରଣାଳୀ ଅନୁସରଣ କଲେ ଜଣେ ଚାଷୀ ନିଶ୍ଚିତ ଭାବରେ ଲାଭବାନ ହେବ ବୋଲି ସେମାନେ କହିଥିଲେ।
ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ନୂଆପଡା ଜିଲ୍ଲାରେ ପ୍ରାଣୀ ସମ୍ପଦ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଜିଲ୍ଲା ପ୍ରଶାସନ ତଥା ବ୍ୟାଙ୍କ୍ ମାନେ ଚାଷୀ ମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ସବୁବେଳେ ପ୍ରସ୍ତୁତ ରହିଛନ୍ତି । ସମସ୍ତେ ଏହାର ସୁଯୋଗ ନେଇ ଘରେ ବସି ଲକ୍ଷପତି ହୁଅନ୍ତୁ ।ପ୍ରାଣୀ ସମ୍ପଦର ବିକାଶ ହେଲେ ମଣିଷର ଉନ୍ନତି ହେବ। ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥା ରୋକିବା ଦିଗରେ ଏହା ନିଶ୍ଚିତ ଭାବରେ ସହାୟକ ହେବ। ଜିଲ୍ଲାର ସମସ୍ତ ଗୋଚର ଜମିକୁ ଅତିଶିଘ୍ର ଜବର ଦଖଲ ମୁକ୍ତ କରାଯିବ । ଆମ ଚାଷୀ ସ୍ବାବଲମ୍ବୀ ହେବା ସହ ସ୍ୱାଭିମାନ ସହିତ ବଞ୍ଚୁ । ଆଜିର ଏହି ସମାରୋହରେ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଶତାଧିକ ପଶୁ ପାଳକ ଚାଷୀ , ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ସେମାନଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ସରକାରଙ୍କ ବିଭିନ୍ନ ସହାୟତା ସମ୍ଵନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା। ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ବିଶେଷଜ୍ଞ ମାନେ ଦେଇଥିଲେ । ସଭାକୁ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡଃ ବାଳକୃଷ୍ଣ ଦ୍ବିବେଦୀ ସଂଯୋଜନା କରିଥିବା ବେଳେ ମଣ୍ଡଳ ପ୍ରାଣୀ ଚିକିତ୍ସାଧିକାରୀ ,ସିନାପାଲି ଡଃ କୃଷ୍ନଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।