ମହାନଦୀରେ ବନ୍ୟା ପରିସ୍ଥିତି ପାଇଁ ବିଜେଡ଼ି-ବିଜେପି ଦାୟୀ: ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର, ୩୧ ଅଗଷ୍ଟ- ମହାନଦୀରେ ଚଳିତ ବନ୍ୟା ପରିସ୍ଥିତି ପାଇଁ ଉଭୟ ବିଜେଡ଼ି ଏବଂ ବିଜେପି ଦାୟୀ । ଖରାଦିନେ ମହାନଦୀରେ ପାଣିଟୋପେ ଆସୁନଥିବାବେଳେ ଏବେ ମହାନଦୀ କୂଳରେ ଥିବା ଗାଁଗୁଡିକ ପାଣିଘେରରେ ରହିଛି । ବିଜେଡ଼ି ସରକାରଙ୍କ ବିଜେପି ପ୍ରୀତି ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ପିସିସି ସଭାପତି କହିଛନ୍ତି, ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବିଜେପି ସରକାର ଏକାଧିକ ବନ୍ଧ ବାନ୍ଧିବା ସମୟରେ ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜେଡ଼ି ସରକାର ସବୁ ଜାଣି ନ ଜାଣିବାର ଅଭିନୟ କରିଥିଲେ । ଏକଥା ଓଡ଼ିଶାବାସୀ ଜାଣିବାପରେ ବିଜେଡ଼ି ଲୋକ ଦେଖାଣିଆ ଭାବେ ମହାନଦୀ ବଂଚାଅ ଅଭିଯାନ ହାତକୁ ନେଇଥିଲା । ସୁଖାସୋଡାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନ ଆରମ୍ଭ କରିଥିଲେ ଏବଂ ଛତିଶଗଡ଼କୁ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଥିଲେ । କିନ୍ତୁ ତା’ପରେ ବିଜେଡ଼ି ସରକାରୀ ନୀରବ ରହିଲେ । କାରଣ ଛତିଶଗଡ଼ ସରକାର ମହାନଦ ଉପରେ ବ୍ୟାରେଜ ନିର୍ମାଣ କାମ ଶେଷ କରିସାରିଥିଲେ ଏବଂ ଆହୁରି ଅଧିକ ସଂଖ୍ୟାରେ ବ୍ୟାରେଜ ନିର୍ମାଣ ଚଳାଇ ରଖିଛନ୍ତି । ଗ୍ରୀଷ୍ମ କାଳରେ ଓଡ଼ିଶା ମଧ୍ୟକୁ ଯେଭଳି ଟୋପାଏ ପାଣି ନଆସିବ ସେଥିପାଇଁ କଲ୍ମା ବ୍ୟାରେଜର ସବୁତକ ଫାଟକ ବନ୍ଦ ରଖାଯାଇଥିଲା । ମୋ÷ସୁମୀ ଆସିବାପରେ ଡ୍ୟାମ୍ର ଜଳସ୍ତର ବୃଦ୍ଧିପାଇବା ସତ୍ୱେ ଛତିଶଗଡ଼ ସରକାର ଡ୍ୟାମ୍ ଫାଟକ ଖୋଲିନଥିଲେ । କିନ୍ତୁ ମହାନଦୀର ଉପରମୁଣ୍ଡରେ ବର୍ଷାହେବା ପରେ ଛତିଶଗଡ଼ ସରକାର ହଠାତ ତାଙ୍କ ବ୍ୟାରେଜରୁ ଜଳ ନିଷ୍କାସନ ଆରମ୍ଭ କରିଦେଲେ । ଏହାଦ୍ୱାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମାତ୍ରାଧିକ ବୃଦ୍ଧିପାଇଲା । ଫଳରେ ଜଳଭଣ୍ଡାର କର୍ତୃପକ୍ଷ ୨୫ଟି ଫାଟକ ଖୋଲି ଜଳ ନିଷ୍କାସନ କରୁଛନ୍ତି । ଏହାଦ୍ୱାରା ମହାନଦୀର ନିମ୍ନ ଅବବାହିକାରେ ଗୁରୁତର ବନ୍ୟା ପରିସ୍ଥିତି ଦେଖାଦେଇଛି ।
ଗ୍ରୀଷ୍ମକାଳରେ ଯେଉଁ ସୁଖାସୋଡ଼ା ଶୁଖିଲା ପଡ଼ିଥିଲା ଏବେ ସେଠାରେ ସବୁଆଡେ ପାଣି ଭର୍ତି ହୋଇ ରହିଛି । କେତେକ ନଦୀକୂଳ ଗ୍ରାମ ପାଣିଘେରରେ ରହିଥିବାବେଳେ କେତେକ ସ୍ଥାନରେ ପୋଲ ଓ ରାସ୍ତା ଉପରେ ବନ୍ୟାପାଣି ଚାଲୁଥିବାରୁ କେତେକ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏଭଳି ପରିସ୍ଥିତି ପାଇଁ ଉଭୟ ବିଜେଡ଼ି ଓ ବିଜେପି ଦାୟୀ ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ଜଳ ପରିଚାଳନା ନେଇ ଓଡ଼ିଶା ଏବଂ ଛତିଶଗଡ ସରକାରଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହୁନଥିବା ଅଭିଯୋଗ କରିଛନ୍ତି । ଏପରିକି ଛତିଶଗଡ଼ ସରକାର କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ବେଖାତିର କରୁଥିବା ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।