ନିମାପଡା,୧ା୮ା :କୋଭିଡ ମହାମାରୀ ସମୟରେ ନିମାପଡାରେ ଚାଲିଛି ସରଗରମ ରାଜନିତୀ ।ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଗତ ଦୁଇଦିନ ତଳେ କୋଭିଡ-୧୯ ନିୟମକୁ ଉଲ୍ଲଘଂନ କରି ନିମାପଡା ଠାରେ ଥିବା ସରକାରୀ ପୂର୍ତ ଡାକବଙ୍ଗଳା ଠାରେ ଏକ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ସେଥିରେ ସାମାଜିକ ଦୂରତା ରକ୍ଷା ନକରିବା ନେଇ ସ୍ଥାନୀୟ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ନାଁରେ ନିମାପଡା ଥାନାରେ ଏତଲା ଦିଆଯାଇଛି ।ଡାକବଙ୍ଗଳା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨ଶହରୁ ଉଦ୍ଧ୍ୱର୍ ଲୋକଙ୍କୁ ମନ୍ତ୍ରୀ ନିଜ ଦଳରେ ସାମିଲ କରିଥିବା ବିଜେପିର ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।
ମହାମାରୀ କରୋନା ନେଇ ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସରକାରୀ ଡାକବଙ୍ଗଳାରେ ଶହ ଶହ ଲୋକଙ୍କୁ ନିଜ ଦଳରେ ମିଶାଇ କୋଭିଡ-୧୯ଗାଇଡଲାଇନ ଏବଂ ସାମାଜିକ ଦୂତରତାକୁ ସଂପୂର୍ଣ୍ଣ ଉଲଘଂନ କରିଛନ୍ତି ବୋଲି ବିଜେପି ନିମାପଡା ମଣ୍ଡଳ ସଭାପତି ମାନସ ପ୍ରଧାନ ଥାନାରେ ଏକ ଅଭିଯୋଗ କରିଛନ୍ତି ।ବିଜେପିର ଏହି ଅଭିଯୋଗ ସଂପର୍କରେ ନିମାପଡା ବ୍ଲକ ବିଜେଡି ସଭାପତି ଅଶୋକ ସାହୁଙ୍କୁ ପଚାରିବାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତରେ ଡାକବଙ୍ଗଳାରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଠାରେ ବିଜେପିର ମାତ୍ର ୨୧ ଜଣ ନେତୃତ୍ୱ ଆସି ବିଜେଡିରେ ସାମିଲ ହୋଇଥିଲେ ।
କୋଭିଡର କୈାଣସି ନିୟମ ଉଲ୍ଲଂଘନ କରାଯାଇନାହିଁ,ବିଜେପିର ଏପରି ଅଭିଯୋଗ ସଂପୂର୍ଣ୍ଣ ଭିତିହୀନ ହୋଇଥିବା ବେଳେ ବିଜେପି ଭୋକ ବିକଳରେ ତାଟିଆ କାମୁଡୁଛି ବୋଲି କହିଛନ୍ତି ।ଏସଂପର୍କରେ ଥାନା ଆଇଆଇସି ଜନାର୍ଦ୍ଦନ ପାଢୀଙ୍କୁ ପଚାରିବାରେ ଅଭିଯୋଗକୁ ଭିତିକରି ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି ।
