ଆଜି ହେଉଛି ଶିଶୁ ଦିବସ । ଶିଶୁପ୍ରେମୀ ଚାଚା ନେହରୁଙ୍କ ଜନ୍ମ ଦିନ । ପଣ୍ଡିତ ଜବାହରଲାଲ ନେହରୁ ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱଧୀନତା ପାଇଲା । ସେ ହେଲେ ସ୍ୱଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଏହି ପଦବୀରେ ସେ ୧୯୬୪ ମସିହା ମେ ୨୭ ତାରିଖ ପର୍ଯ୍ୟନ୍ତ ସେହି ପଦବୀରେ ରହିଥିଲେ । ତାଙ୍କ ମୃତୁ୍ୟ ପରେ ନଭେମ୍ବର ୧୪ କୁ ତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଶିଶୁ ଦିବସ ଭାବେ ପାଳନ କରାଯାଉଅଛି ।
ଉଦେ୍ଦଶ୍ୟ ହେଲା ଶିଶୁକୁ ବଞ୍ଚିବାର ଅଧିକାର, ନିରାପତ୍ତା ଅଧିକାର, ଶିକ୍ଷା ଅଧିକାର ଓ ନିଜର ମତାମତ ପ୍ରକାଶ କରିବାର ଅଧିକାର ଦେବା ସହ ତାର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରାଇ ତାକୁ ଏକ ଉତ୍ତମ ନାଗରିକ ଓ ସୁଯୋଗ୍ୟ ଦାୟାଦ ରୂପେ ଗଢିବା । ଶିଶୁମାନେ ହିଁ ଭବିଷ୍ୟତର ନାଗରିକ ଓ ଦେଶର କର୍ଣ୍ଣଧାର । ଦେଶର ସାମଗ୍ରିକ ଅଭିବୃଦ୍ଧି ସେମାନଙ୍କ ଉପରେ ନିର୍ଭରଶୀଳ । ଏହି କଥାକୁ ଦୃଷ୍ଟିରେ ରଖି ବିଶ୍ୱରେ ଭାରତ ସମେତ ୧୫୦ରୁ ଉର୍ଦ୍ଧ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଶିଶୁ ଦିବସ ପାଳନ କରାଯାଉଅଛି ।
ଏକଥା ସତ ଯେ, ଆନ୍ତର୍ଜାତୀୟସ୍ତରଠାରୁ ଆରମ୍ଭକରି ଜାତୀୟସ୍ତର ଓ ବିଭିନ୍ନ ରାଜ୍ୟରେ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଅନେକ ଆଇନ ପ୍ରଣୟନ କରାଯାଇଛି, ବିଭିନ୍ନ ଯୋଜନା ରୂପାୟନ ହୋଇଛି । ଏସବୁ ସତ୍ତ୍ୱେ ଶିଶୁମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟିଯୁକ୍ତ ଆହାର ଓ ଶିକ୍ଷା ଆଦି ପ୍ରସଙ୍ଗ ଅବହେଳିତ ହୋଇଆସିଛି । ଶିଶୁଟି ଯଦି ଦୁଇଓଳି ଦୁଇମୁଠା ପେଟପୂରା ଖାଦ୍ୟ ଖାଇବାକୁ ପାଇବ ନାହିଁ ଓ ଦି’ ଅକ୍ଷର ପାଠ ପଢିବାର ସୁଯୋଗ ପାଇବ ନାହିଁ, ତାହାହେଲେ ସେ ଶିଶୁ ଶ୍ରମିକ ହେବାକୁ ବାଧ୍ୟ ହେବ ।
କିନ୍ତୁ କ୍ଷୋଭର ବିଷୟ ଏହି ଯେ, ଏତେ ସବୁ ଆଇନ କାନୁନ, ବିଧିବ୍ୟବସ୍ଥା ଥାଇ ମଧ୍ୟ ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ଫଳରେ ପେଟପାଟଣା ପାଇଁ ବହୁସଂଖ୍ୟାରେ ଶିଶୁ ବିଭିନ୍ନ କ୍ଷେତ୍ରରେ ଦୁଃଖ, ଦୁର୍ଦ୍ଦଶା, ଶୋଷଣ ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ପେଟ ଚାଖଣ୍ଡ ପାଇଁ କିଏ ହୋଟେଲ, ଗ୍ୟାରେଜ୍ ତ କିଏ ପୁଣି ବିଡି ବଳିବା, ଖଣିରେ ଇଟା ଭାଙ୍ଗିବା ଭଳି ବିପଦସଂକୁଳ କାମକରୁଛନ୍ତି ।
ଆଉ ପୁଣି କିଏ ବ୍ୟବସାୟ ପ୍ରତିଷ୍ଠାନ, ଘରୋଇ ଚାକର ଭାବେ କାମ କରୁଛନ୍ତି । ଏପରିକି କେତେକ ରାସ୍ତାରୁ ବା ଅଳିଆଗଦାରୁ ଭଙ୍ଗା ଟିଣ, ଲୁହା, ପ୍ଲାଷ୍ଟିକ୍ ଜରି ଇତ୍ୟାଦି ଗୋଟାଇ ଗୁଜୁରାଣ ମେଣ୍ଟାଇଥାନ୍ତି । ଏକ ହିସାବ ଅନୁଯାୟୀ ଦେଶରେ ଏବେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୧,୦୧,୨୮,୬୬୬ ଥିବା ବେଳେ ଆମ ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୩,୩୪,୪୧୬ ।
ଶିକ୍ଷାକୁ ସାର୍ବଜନୀନ, ମାଗଣ ଓ ବାଧ୍ୟତାମୂଳକ କରିବାପାଇଁ କେନ୍ଦ୍ର ସରକାର ୨୦୦୯ମସିହାରୁ ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି । ଆମ ରାଜ୍ୟରେ ଏହା ୨୦୧୦ମସିହା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେଉଛି । ଏହି ଆଇନ କାର୍ଯ୍ୟ କରିବାର ୧୦ବର୍ଷରୁ ଉଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ଏ ଦିଗରେ ଆମର ଅଗ୍ରଗତି ସନ୍ତୋଷଜନକ ହୋଇପାରିନାହିଁ ।
ଯେଉଁ ଶିଶୁମାନେ ମଧ୍ୟାହ୍ନଭୋଜନ ଆକର୍ଷଣରେ ବିଦ୍ୟାଳୟକୁ ଆସନ୍ତି, ପାରିବାରିକ ଦାରିଦ୍ର୍ୟ କାରଣରୁ ସେହି ବିଦ୍ୟାଳୟ ଶିକ୍ଷା ପରେ ପାଠପଢା ଛାଡି ଦେଇଥାନ୍ତି । ଆମ ଦେଶରେ ସର୍ବଶିକ୍ଷା ଯୋଜନା ୨୦୦୧-୦୨ ମସିହାରୁ ଆରମ୍ଭ ହେଲାଣି । ଏଥିପାଇଁ ସ୍କୁଲରେ ମାଗଣା ପୁସ୍ତକ, ପୋଷାକ ଓ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ତଥାପି ଆମ ରାଜ୍ୟ ତଥା ଦେଶରେ ପ୍ରାୟ ଅନେକ ପିଲା ବିଦ୍ୟାଳୟ ବାହାରେ ରହିଯାଉଛନ୍ତି । ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢିଥିଲେ ମଧ୍ୟ ଅଧାରୁ ଅନେକ ଶିଶୁ ପାଠ ଛାଡିବା ଦେଖାଯାଉଛି । ସବୁ ଉଦ୍ୟମ ସତ୍ତ୍ୱେ ଏବଂ ସ୍ୱାଧୀନତାର ୭୪ବର୍ଷ ପରେ ବି ବିଶ୍ୱର ଏକ ତୃତୀୟାଂଶ ନିରକ୍ଷର ଲୋକ ଆମ ଦେଶରେ ଅଛନ୍ତି । ଏହାର କାରଣ ଓ ନିରାକରଣ ସମ୍ପର୍କରେ ତର୍ଜମା କରିବାର ଅଛି ।
ଶିଶୁ ଶ୍ରମିକ ବ୍ୟବସ୍ଥାର ଜନନୀ ହେଉଛି ଦାରିଦ୍ର୍ୟ । ଅର୍ଥାତ୍ ଦାରିଦ୍ର୍ୟ ଦୂର ନହୋଇପାରିଲେ ଯେତେ ଯୋଜନା କଲେବି ତାହା ଫଳପ୍ରସୂ ହୋଇପାରିବ ନାହିଁ । ଏକ ଆକଳନ ଅନୁଯାୟୀ ଦେଶର ୭୭ ଭାଗ ଲୋକ ଦୈନିକ ୨୦ ଟଙ୍କା ବି ଆୟ କରିପାରୁନାହାନ୍ତି । ମିଳିତ ଜାତିସଂଘର ସହସ୍ରାବ୍ଦୀ ଲକ୍ଷ୍ୟରେ କୁହାଯାଇଥିଲା ୨୦୧୫ ସୁଦ୍ଧା ଦାରିଦ୍ର୍ୟ, କ୍ଷୁଧା ଓ ରୋଗ ବିରୋଧରେ କାର୍ଯ୍ୟକାରୀ ବ୍ୟବସ୍ଥା ଗ୍ରହଣ କରାଯିବ । ମାତ୍ର ଅଦ୍ୟାବଧି ଏହି ଲକ୍ଷ୍ୟ ପୂରଣ ହୋଇପାରିନାହିଁ । ଦାରିଦ୍ର୍ୟ ହେତୁ ଦେଶର ସାକ୍ଷରତା ହାର ୭୫ ପ୍ରତିଶତ ତଳେ ରହିଛି ।
୧୦ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ ଅଦେ୍ର୍ଧକ ପ୍ରାରମ୍ଭିକ ପର୍ଯ୍ୟାୟରେ ପାଠପଢାର ସୁଯୋଗ ପାଆନ୍ତି ନାହିଁ । ୧୦ ଭାଗରୁ ଏକ ଭାଗ ଶିଶୁ କଲେଜ ପର୍ଯ୍ୟନ୍ତ ପହଞ୍ଚି ଥାଆନ୍ତି । ଏଦିଗରେ କିପରି ସୁଧାର ଆସିବ ସେ ଦିଗରେ ଚିନ୍ତା କରିବାକୁ ପଡିବ ଓ ସମସ୍ତ ଶିଶୁଙ୍କୁ ଶିକ୍ଷା ସୁଯୋଗ ଦେବାକୁ ହେବ । କାରଣ ଶିକ୍ଷା ହେଉଛି ମାନବ ସମ୍ବଳ ବିକାଶର ମୁଖ୍ୟ ଆୟୁଧ ଓ ପ୍ରଗତିର ଚାବିକାଠି । ଏଣୁ, ଶିକ୍ଷା ଅଧିକାର ଆଇନ ବଳରେ ଶିଶୁ ଶ୍ରମିକମାନଙ୍କୁ ବିଦ୍ୟାଳୟ ପରିସରକୁ ଆଣିବା ପାଇଁ ନିର୍ଦ୍ଦିଷ୍ଟ ବ୍ୟବାସ୍ଥା କରାଯିବା ଜରୁରୀ ।
ଏଥିସହିତ ଦେଶର ଗରିବ ଲୋକ ଯେତିକି ରୋଜଗାର କରନ୍ତି ତା’ର ୮୦ ପ୍ରତିଶତ ଖାଦ୍ୟ ପାଇଁ ବ୍ୟୟ କରିଥାନ୍ତି । ତେଣୁ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କର ସାମର୍ଥ୍ୟ ରହେନାହିଁ । ଯଦ୍ୱାରା ଦେଶରେ ୪୨ ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର । ଅର୍ଥାତ୍ ଏମାନଙ୍କ ଓଜନ ବୟସ ଅନୁସାରେ ସ୍ୱଭାବିକ ଓଜନଠାରୁ ଯଥେଷ୍ଟ କମ୍ । ଦେଶର ପ୍ରତି ଏକ ହଜାର ଶିଶୁଙ୍କ ମଧ୍ୟରୁ ୫୩ ଜଣ ଶିଶୁଙ୍କର ଅକାଳ ମୃତୁ୍ୟ ଘଟୁଛି । କେବଳ ସେତିକି ନୁହେଁ ଦେଶରେ ପ୍ରତିଦିନ ୬ ହଜାର ଶିଶୁ ମୃତୁ୍ୟବରଣ କରୁଛନ୍ତି ।
ଏହା ଏକ ଜାତୀୟ ଲଜ୍ଜା । ଆମ ରାଜ୍ୟ କଥା ଆହୁରି ତଦ୍ରୁପ । ଏବେ ଆମ ରାଜ୍ୟରେ ପ୍ରତି ହଜାରରେ ୫୧ ଶିଶୁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଥିପାଇଁ ଅର୍ଥନୈତିକ ମାନଦଣ୍ଡ ଅପେକ୍ଷା ସମ୍ବଳର ଅସମ ବଣ୍ଟନ ଓ ମାନସିକତାର ଅଭାବ ହିଁ ପ୍ରମୁଖ କାରଣ । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ନିରାପଦ ମାତୃତ୍ୱ ପାଇଁ ଜନନୀ ସୁୁରକ୍ଷା ଯୋଜନା ରହିଛି । ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପୁଷ୍ଟିହୀନତା ଥିବା ଶିଶୁୁଙ୍କୁ ପ୍ରୋଟିନ୍ୟୁକ୍ତ ଖାଦ୍ୟ ଓ ଔଷଧ ଯୋଗାଇବାର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ଏହି ଯୋଜନାର ପ୍ରକୃତ ଲକ୍ଷ୍ୟ ହାସଲ ହୋଇପାରୁନାହିଁ ।
ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ସମାଜ ଗଠନ ଶିଶୁ ମାନଙ୍କ ଉନ୍ନତି ବିନା ଅସମ୍ଭବ । ସେମାନଙ୍କ ପ୍ରତି ଅବହେଳା ଏକ ଜାତୀୟ ଅପରାଧ । ଶିଶୁ ଓଠରେ ହସ ଫୁଟାଇବା ପାଇଁ ସବୁସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି ।
