ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ବିଭିନ୍ନ ବିଭାଗର ସଚିବଙ୍କ ସହ କରୋନା ସ୍ଥିତି ସମୀକ୍ଷା କରିଛନ୍ତି : ଆଗାମୀ ୧୫ ଦିନରୁ ୧ ମାସ ଚ୍ୟାଲେଞ୍ଜ ହେବ ଆମ ପାଇଁ
ଭୁବନେଶ୍ବର: ରାଜ୍ୟରେ କରୋନା ମୁକାବିଲାର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକସେବା ଭବନରେ ବିଭିନ୍ନ ବିଭାଗର ସଚିବଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୧୫ ଦିନରୁ ୧ ମାସ ଚ୍ୟାଲେଞ୍ଜ ସୃଷ୍ଟି କରିବ । ବିମାନ ଓ ରେଳ ଚାଲିବା ପରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ସମୟରେ ଉପଯୁକ୍ତ ଢ଼ଙ୍ଗରେ ଅଜଣା ଭାଇରସ୍ ସହ ମୁକାବିଲା କରିବାକୁ ପଡ଼ିବ । ନମୁନା ପରୀକ୍ଷଣ କ୍ଷେତ୍ରରେ ଆମ ରାଜ୍ୟ ହେଉଛି ଦେଶର ଅଗ୍ରଣୀ ରାଜ୍ୟ ।
ଦୁଇମାସର ଲକଡାଉନ ମଧ୍ୟରେ ସରକାର ଅନେକ ଉପଲବ୍ଧି ହାସଲ କରିଛନ୍ତି । ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ସ୍ତରରେ ଅନେକ ଶିକ୍ଷା ମିଳିଛି । ଏହାକୁ ଆଧାର କରି ଆଗକୁ ରଣକୌଶଳ ପୁନଃନିର୍ଦ୍ଧାରଣ କରିବାକୁ ହେବ। ଏହା ଫଳରେ ସଂକ୍ରମଣ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଅଣାଯିବା ସହିତଅର୍ଥନୈତିକ, ଜୀବିକା କାର୍ଯ୍ୟକଳାପ ସ୍ୱାଭାବିକ ହୋଇପାରିବ । ସଙ୍ଗରୋଧ ପାଇଁ ଆଗକୁ ସାର୍ଟିଫିକେସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।
ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମୋଟ୍ ୯୫ ପ୍ରତିଶତ କ୍ୱାରେଣ୍ଟିନ୍ ସେଣ୍ଟରରୁ ଆସିଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି । କେବଳ ଏତିକି ନୁହେଁ, ଆଇସିଏମଆର ସୁପାରିସକୁ ମଧ୍ୟରେ ଧ୍ୟାନରେ ରଖାଯାଇଛି । ପରୀକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରହିଛି ରାଜ୍ୟ । ସାମାଜିକ ଦୂରତା ସାମଜିକ ବହିଷ୍କାର ନୁହେଁ । ଆଗକୁ ସଚେତନତା ପାଇଁ ଆହୁରି ପଦକ୍ଷେପ ନିଆଯିବ ।