Odisha news

ରାଷ୍ଟ୍ରୀୟ ବାଳିକା ଶିଶୁ ଦିବସ ଓ ସୃଷ୍ଟି ଗୋସ୍ୱାମୀ : ଜାନୁଆରୀ ୨୪ ତାରିଖ ରାଷ୍ଟ୍ରୀୟ ବାଳିକା ଶିଶୁ ଦିବସ ଉପଲକ୍ଷେ ….

0

ହିମାଂଶୁ ଶେଖର ଆଚାର୍ଯ୍ୟ : କୁହାଯାଏ- ‘ନାରୀ ଓ ପୁରୁଷ ସମାଜର ଚକ୍ରବେନି, ପ୍ରଗତି ସ୍ୟନ୍ଦନ ଚାଲିବ ନାହିଁ ଟି ଏକ ନରଚକ୍ର ଘେନି’ । ତେଣୁ ନାରୀମାନଙ୍କୁ ଅଦେ୍ର୍ଧକ ଆକାଶ ବୋଲି କୁହାଯାଏ । କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ, ଆମ ଦେଶ ଓ ରାଜ୍ୟରେ ପୁରୁଷମାନଙ୍କ ତୁଳନାରେ ନାରୀମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।

ଏହାର ପ୍ରମୁଖ କାରଣଗୁଡିକ ହେଲା କନ୍ୟା ସନ୍ତାନକୁ ବୋଝ ବୋଲି ବିଚାର କରିବା, ପୁତ୍ର ସନ୍ତାନ ପ୍ରତି ଆସକ୍ତି, ଆର୍ଥିକ ଦୁରବସ୍ଥା ଇତ୍ୟାଦି । ଏପରିକି ଧାର୍ମିକ ଦୃଷ୍ଟିକୋଣରୁ ଝିଅ ଯେତେ ଯାହା ହେଲେବି ଶାଶୁ ଘରକୁ ଯିବ, ପୁଅ ଭରଣପୋଷଣରେ ସହାୟ ହେବା ସହ ପିଣ୍ଡଦାନ କରିବ । ବର୍ଷବର୍ଷ ଧରି ଏହି ଭାବନା ଆମ ମୁଣ୍ଡରେ ବସା ବାନ୍ଧି ରହିଛି । ସ୍ୱାଧୀନତାପରେ ଦେଶରେ ଶିକ୍ଷାବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଘଟିଛି । ମହିଳା ଶିକ୍ଷାର ପ୍ରସାର ପ୍ରଚାର ମଧ୍ୟ ଘଟିଛି । ତଥାପି ନାରୀ ପ୍ରତି ଆମ ମାନସିକତାରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ ।

ଏବେବି ବାପା ମାଆ କନ୍ୟା ସନ୍ତାନ ଅପେକ୍ଷା ପୁତ୍ର ସନ୍ତାନ ଟିଏ ପାଇବାର ଇଛା ବଳବତ୍ତର ରହିଛି । ଆମର ମାଆ ଦରକାର, ସ୍ତ୍ରୀ ଦରକାର ଭଉଣୀ ଦରକାର କିନ୍ତୁ କନ୍ୟା ସନ୍ତାନ ଦରକାର ନାହିଁ । ପରିସଂଖ୍ୟାନ କୁହେ ୨୦୦୧ ମସିହା ଜନଗଣାନା ଅନୁସାରେ ବାଳିକା ଶିଶୁଙ୍କ ଅନୁପାତ ଆମଦେଶରେ ୯୨୭ଥିଲା ବେଳେ ୨୦୧୧ରେ ଏହା ୯୧୯କୁ ହ୍ରାସ ପାଇଛି । ଏହାହିଁ ବିଡମ୍ବନା ।

ବାଳିକା ଶିଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମ ଦେଶରେ ଜାନୁଆରୀ ୨୪ ତାରିଖକୁ ରାଷ୍ଟ୍ରୀୟ ବାଳିକା ଶିଶୁ ଦିବସ ରୂପେ ପାଳନ କରାଯାଉଛି । ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ୨୦୦୮ ମସିହାରୁ ଏହି ଦିବସକୁ ପାଳନ କରିଆସୁଅଛି । ଏହାର ଉଦେ୍ଦଶ୍ୟ ହେଲା ଶିଶୁ କନ୍ୟାଙ୍କ ବିକାଶ ପ୍ରତି ଯତ୍ନଶୀଳ ହେବା ଏଥିପାଇଁ ଶିକ୍ଷାର ପ୍ରସାର ପ୍ରଚାର ନିହାତି ଜରୁରୀ । ସେଥିପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ୨୦୧୫ ମସିହାରୁ ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ଆରମ୍ଭ କରିଛନ୍ତି ।

ଦିନଥିଲା ଶିଶୁ କନ୍ୟାକୁ କନ୍ୟାରତ୍ନ କୁହାଯାଉଥିଲା । ଏପରିକି ମାଆମାନଙ୍କୁ ଘରର ଦୁଆରମୁହଁ ବୋଲି କୁହାଯାଉଥିଲା । ସେଥିପାଇଁ ନେପୋଲିୟନ୍ ବୋନାପାର୍ଟ କହିଥିଲେ- ‘ମତେ ଜଣେ ଭଲ ମାଆ ଦିଅ, ମୁଁ ତୁମକୁ ଗୋଟିଏ ଭଲ ଦେଶ ଦେବି’ । ସତରେ ଭଲ ମାଆର ଆଦର ସବୁ ସମୟରେ ରହିଛି । ଏହି ଭଲ ମାଆମାନେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ, ଶ୍ରୀକୃଷ୍ଣ, ବଳରାମ, ବୀର ଆଲେକ୍ଜାଣ୍ଡର, ଛତ୍ରପତି ଶିବାଜୀ, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏ ଏପରିକି ଅନେକ ବୈଜ୍ଞାନିକ, ଶିକ୍ଷାବିତ୍, ସାହିତି୍ୟକ, ଦାର୍ଶନିକ ଓ ଜନନାୟକମାନଙ୍କୁ କେବଳ ଜନ୍ମ ଦେଇ ନାହାଁନ୍ତି ତାଙ୍କୁ ଲାଳନ ପାଳନ କରି ଅନେକ ଯଶକୀର୍ତ୍ତିର ଅଧିକାରୀ କରାଇପାରିଛନ୍ତି । ଇତିହାସ ଓ ପୁରାଣ ପୃଷ୍ଠାରେ ସେମାନଙ୍କ ନାମ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହିଛି ।

ଏସବୁ ସତ୍ତ୍ୱେ ପ୍ରତିଦିନ ବାଳିକା ଶିଶୁ ନାନା ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି । ଦିନକୁ ଦିନ ସେମାନେ ଦୁଷ୍କର୍ମରବି ଶିକାର ହେଉଛନ୍ତି । ଯାହା ଏକ ସଭ୍ୟ ସମାଜ ପ୍ରତି ନିନ୍ଦନୀୟ ଘଟଣା । ଏକ ସୁସ୍ଥ ସୁନ୍ଦର ଓ ବିକାଶଶୀଳ ସମାଜ ଗଠନ ପାଇଁ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ଏକାନ୍ତ ଅପରିହାର୍ଯ୍ୟ । ଏଦିଗରେ ଅଭିଭାବକ ଅଭିଭାବିକାମାନଙ୍କର ପ୍ରାଥମିକ ଦାୟିତ୍ୱ ରହିଛି । କାରଣ କେତେକ ସ୍ଥଳେ ବାପା ମାଆମାନେ ଅଳ୍ପ ବୟସ୍କ କନ୍ୟାମାନଙ୍କୁ ବିବାହ କରିଦେଉଛନ୍ତି । ଏହା ଆଦୈା ସମୀଚୀନ ନୁହେଁ ।

ଯଦିଓ ଆମ ଦେଶର ଆଇନ ଅନୁଯାୟୀ ବାଳିକାମାନଙ୍କ ବିବାହ ବୟସ ସୀମା ୧୮ ବୟସ ରହିଛି । ତଥାପି କେତେକ କ୍ଷେତ୍ରରେ ଏହା ଠାରୁ କମ୍ ବୟସରେ ବାଳିକାମାନେ ବିବାହ କରୁଥିବାର ଘଟଣା ଦେଖିବାକୁ ମିଳୁଛି । ଏଥିସହିତ କନ୍ୟା ଭ୍ରୁଣ ହତ୍ୟା ଏବଂ ଶିଶୁକନ୍ୟା ନିଖୋଜ ଭଳି ଘଟଣା ଘଟିଚାଲିଛି । ଯାହା ଶିଶୁକନ୍ୟାଙ୍କ ଭାଗ୍ୟକୁ ପଛକୁ ଠେଲି ଦେଉଛି । ଯଦିଓ ମହିଳା ଓ ଶିଶୁକଲ୍ୟାଣ ବିଭାଗ ତରଫରୁ ଅନେକ ଆଇନର ବ୍ୟବସ୍ଥା ରହିଛି ତାହା ପର୍ଯ୍ୟାପ୍ତ ହେଉନାହିଁ । ଏପରିକି ରାଜ୍ୟ ସ୍ତରରେ ଓ ଦେଶରେ ମହିଳା କମିଶନ ମଧ୍ୟ କାର୍ଯ୍ୟ କରୁଛି । ତଥାପି ବାଳିକା ଶିଶୁମାନଙ୍କ ସ୍ଥିତିରେ ସେପରି ବଡଧରଣର ପରିବର୍ତ୍ତନ ହେଉନାହିଁ ।

ଏସବୁ ଘଟଣା ପୁର୍ଣ୍ଣଛେଦ ପାଇଁ ସରକାରଙ୍କୁ କିଛି ଠୋସ୍ ପଦକ୍ଷେପ ନେବାକୁ ହେବ । କେବଳ ‘ବେଟି ବଚାଓ ଓ ବେଟି ପଢାଓ’ ଅଭିଯାନ ଏହି ଲକ୍ଷ୍ୟପୂରଣର ଏକମାତ୍ର ବିକଳ୍ପ ନୁହେଁ । ବହୁ ଚର୍ଚ୍ଚିତ ଶିକ୍ଷାଅଧିକାର ଆଇନ୍ ମଧ୍ୟ ସବୁ ବାଳିକା ଶିଶୁଙ୍କୁ ସ୍କୁଲକୁ ଆଣିପାରି ନାହିଁ । ତେଣୁ ବାଳିକା ଶିଶୁଙ୍କ ପାଇଁ ଶିକ୍ଷା ବାଧ୍ୟତାମÿୂଳକ କରିବା ସହ ସେମାନଙ୍କର ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଉଚିତ୍ । ଏଥିସହିତ ବାପା ମାଆମାନେ ମଧ୍ୟ କନ୍ୟା ସନ୍ତାନମାନଙ୍କ ଲାଳନ ପାଳନରେ ପାତରଅନ୍ତର ନୀତି ପରିହାର କରିବା ଦରକାର । ସେହିପରି କନ୍ୟା ସନ୍ତାନମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ଉପରେ ନୀତିଗତ ନିଷ୍ପତ୍ତି ସରକାରୀ ଓ ବେସରକାରୀ ସ୍ତରରେ ନେବା ଯଥାର୍ଥ ମନେ ହୁଏ । ବିଶେଷକରି ବାଳିକା ଶିଶୁମାନଙ୍କୁ ଖରାପ ନଜରରେ ଦେଖୁଥିବା ବା ସେମାନଙ୍କ ପ୍ରତି ଦୁଷ୍କର୍ମ ଆଚରଣ କରୁଥିବା ଦୋଷୀମାନଙ୍କୁ ଦୁଷ୍ଟାନ୍ତମୂଳକ ଦଣ୍ଡ ବିଧାନର ଯଥେଷ୍ଟ ଆବଶ୍ୟକତା ରହିଛି ।

ରାଷ୍ଟ୍ରୀୟ ବାଳିକା ଶିଶୁ ଦିବସ ପାଳନ ଅବସରରେ ଏକ ଖୁସି ଖବର ଆସିଛି । ଏବେ ବାସ୍ତବରେ ଜଣେ ଛାତ୍ରୀ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଜଣାପଡିଛି । ଜଣେ ବ୍ୟକ୍ତି ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବା କଥା ଶୁଣିଲେ ସ୍ୱତଃ ମନକୁ ଆସେ ଅନୀଲ କପୁରଙ୍କ ଅଭିନୀତ ‘ନାୟକ’ ଚଳଚିତ୍ର କଥା । କିନ୍ତୁ ବାସ୍ତବରେ ହରିଦ୍ୱାର ବାସିନ୍ଦା ସୃଷ୍ଟି ଗୋସ୍ୱାମୀ ଜାତୀୟ ବାଳିକା ଦିବସ ଅବସରରେ ୨୪ ତାରିଖରେ ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଏହାକୁ ମଞ୍ଜୁରୀ ଦେଇଛନ୍ତି । ରାଜ୍ୟ ବିଧାନସଭାର ୧୨୦ନମ୍ବର ରୁମ୍ରେ ଏହି ବୈଠକ ଅନୁଷ୍ଠିତ ହେବ । ସେ ଦିନକ ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ।

ଏହାସହିତ ବିଭାଗର ଅଧିକାରୀମାନେ ବିଭିନ୍ନ ଯୋଜନାକୁ ନେଇ ତାଙ୍କୁ ୫ମିନିଟ୍ରଏକ ରିପୋର୍ଟ ଦେବେ । ଛାତ୍ରୀ ଓ ବାଳିକାଙ୍କୁ ସଶକ୍ତିକରଣ ହେଉଛି ଏହାର ମୁଖ୍ୟ ଉଦେ୍ଦଶ୍ୟ । ଏହି ନିଯୁକ୍ତିକୁ ନେଇ ସୃଷ୍ଟି କହିଛନ୍ତି ଯେ, ଏହାଦ୍ୱାରା ସବୁ ଝିଅ ବଡ ଉପଲବ୍ଧି ହାସଲ କରିବେ । ଏଥିପାଇଁ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ସୃଷ୍ଟି ଗୋସ୍ୱାମୀ ରୁରକୀର ବିଏସଏମ୍ ପିଜି କଲେଜରେ ଏଗ୍ରିକଲଚରରେ ବିଏସସି କରୁଛନ୍ତି । ସେ ପୂର୍ବରୁ ଅନେକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଭାଗନେଇ ସାରିଛନ୍ତି । ଏପରିକି ୨୦୧୮ ମେ ରେ ସେ ଉତ୍ତରାଖଣ୍ଡ ବାଲ୍ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ଏକ ଠିକଣା ଓ ଅଭିନବ ପଦକ୍ଷେପ । ତଥାପି ବାଳିକା ଶିଶୁମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଆମକୁ ସବୁ ସ୍ତରରେ ନିଷ୍ଟାପର ଭାବେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ । ଏହାହିଁ ରାଷ୍ଟ୍ରୀୟ ବାଳିକା ଶିଶୁ ଦିବସର ଅନୁଚିନ୍ତା ।

Leave A Reply