Odisha news

ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ଧାନ,ଗଜା ଆଶଙ୍କା

0

ନର୍ଲା (ଦୀପକ କୁମାର ଠାକୁର)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ଚାଷୀମାନଙ୍କ ପାଇଁ ସମସ୍ୟା ପିଛା ଛାଡୁନି। ଆରମ୍ଭରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଓ ମଣ୍ଡି ଖୋଲିବା ପରେ ମିଲରଙ୍କ ମନମାନୀ ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଲେ। ବର୍ତମାନ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି। ରାଜ୍ୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବର୍ଷା ଲାଗି ରହିବ। ଏଭଳି ସ୍ଥିତିରେ ବ୍ଲକର କୈାଣସି କ୍ରୟ କେନ୍ଦ୍ରରେ ଧାନକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ। ତେଣୁ ଚାଷୀମାନେ ବାଧ୍ୟ ହୋଇ ଖୋଲା ଆକାଶ ତଳେ ଅସୁରକ୍ଷିତ ଭାବରେ ଧାନକୁ ରଖିବାକୁ ବାଧ୍ୟ ହେଉଛନ୍ତି। କ୍ରୟକେନ୍ଦ୍ର ଗୁଡିକରେ ଭିତ୍ତିଭୂମିର ଅଭାବ ଏବଂ ପରିଚାଳନା ଗତ ତୃଟି ଯୋଗୁଁ ବର୍ତ୍ତମାନ ଚାଷୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ନର୍ଲା ବ୍ଲକରେ ଥିବା ସମସ୍ତ କ୍ରୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଯୋଗୁଁ ହଜାର ହଜାର ବସ୍ତା ଧାନ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳିଛି। ନର୍ଲା ପେକ୍ସରେ ୨୩ ଜଣ ଚାଷୀଙ୍କର ୧୦୦୦ କୁଇଣ୍ଟାଲ ଧାନ ବର୍ଷାରେ ଭିଜୁଥିବା ବେଳେ ଭାନପୁର ଠାରେ ୩୦୦, ଘୋଡାବନ୍ଧ ରେ ୩୫୦, ଭିମକେଲା ଠାରେ ୧୧୦୦ ,ଶାନ୍ତପୁର ପେକ୍ସରେ ୩୦୦ କୁଇଣ୍ଟାଲ , ରୁପ୍ରା,ଗିଗିନା,ପଲମ,ରୁପ୍ରାରୋଡ,ତୁଳାପଡା ଆଦି କ୍ରୟକେନ୍ଦ୍ରରେ ମଧ୍ୟ ଶହ ଶହ କୁଇଣ୍ଟାଲ ଧାନ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।

Ad2
Leave A Reply