ଭୁବନେଶ୍ବର: ବିଭିନ୍ନ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ଗାନ୍ଧି ଛକ ଫାଣ୍ଡିରେ ଇନଚାର୍ଜ ଭାବେ ମୁତୟନ ଥିଲେ। ସେ ବ୍ରଜରାଜଗନରରେ ରହୁଥିବା ବେଳେ ଗଂଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଞ୍ଚଳରେ ଗୋପାଳ ଦାସଙ୍କ ପରିବାର ରହୁଛନ୍ତି। ଗଞ୍ଜାମ ଜିଲ୍ଲା ଜଳେଶ୍ବରଖଣ୍ଡିରେ ସେ ଜନ୍ମ ହୋଇଥିଲେ ବୋଲି ସୂଚନା ମିଳିଛି। ଚାକିରି ଜୀବନ ଆରମ୍ଭ କରିବା ସମୟରେ ସେ କନେଷ୍ଟବଳ ଥିଲେ। ବିଗତ ୧୨ଦିନ ପୂର୍ବରୁ କନଷ୍ଟେବଳରୁ ପଦୋନ୍ନତି ପାଇ ଏଏସ୍ଆଇ ପଦରେ ଅବସ୍ଥାପିତ ହୋଇଥିଲେ। ସେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ମୁତୟନ ହୋଇଛନ୍ତି।
ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସଂପର୍କରେ ମୁଁ କିଛି ଜାଣି ନାହିଁ। ଝିଅଙ୍କ ସହିତ ଆଜି ଭିଡିଓ କଲିଂରେ କଥା ହୋଇଥିଲେ। ଅଚାନକ କାମ ଅଛି କହି କଲ୍ କାଟି ଦେଇଥିଲେ। ତେଣୁ ତାଙ୍କ ସହିତ ମୁଁ ମୋବାଇଲ୍ ଫୋନରେ କଥା ହୋଇପାରିନାହିଁ। ୪ରୁ ୫ ବର୍ଷ ଆଗରୁ ଘରକୁ ଆସିଥିଲେ। ସେ ମାନସିକ ରୋଗର ଶିକାର ଥିଲେ। ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ ମୁଁ କିଛି ଜାଣି ନଥିଲି। ଏବେ ମୋ ପିଲାମାନେ ଚିନ୍ତାରେ ଅଛନ୍ତି। ଘଟଣାର ତଦନ୍ତ ହେବା ଦରକାର।
ତେବେ ମାସକ ତଳେ ମନ୍ତ୍ରୀ ନବ ଦାସ ଗାଳି ଦେଇଥିଲେ ବୋଲି କୁହାଯାଉଛି। ଯଦି ଏହି ଘଟଣା ସତ ହୋଇଥିବ, ତା’ହେଲେ ଏଥିରେ ଗୋପାଳ ଦାସ ପ୍ରତିକ୍ରିୟାଶୀଳ ହୋଇ ଏହି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ଠୋସ୍ କଥା ସାମ୍ନାକୁ ଆସିନାହିଁ। ତେଣେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
