ଚଣ୍ଡିଖୋଲ,୧୨/୧୨: ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଧାନମଣ୍ଡଳ ଗ୍ରାମରେ ଜନ୍ମିତ ପୂର୍ବତନ ସାଂସଦ ତଥା ଅନେକ ସାମାଜିକ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ମୋହନ ଜେନାଙ୍କର ସୋମବାର ଦିନ ପ୍ରାୟ ସାଢେ ଚାରିଟା ବେଳେ ପରଲୋକ ଘଟିଛି ! ସେ ଗତ ୨୦ ଦିନ ହେବ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ! ତେବେ ଆଜି ସେଠାରେ ତାଙ୍କର ପରଲୋକ ଘଟିଥିଲା ! ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ହରପ୍ରିୟା ପାଣିଗ୍ରାହୀ, ଝିଅ ଡାକ୍ତର ଆଦ୍ୟା ଅନିନ୍ଦିତା ଓ ଜ୍ୱାଇଁ ଡାକ୍ତର ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ !
ତାଙ୍କର ବିୟୋଗ ପରେ ତାଙ୍କ ମର ଶରୀରକୁ ପ୍ରଥମେ ତାଙ୍କ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବାସଭବନକୁ ନିଆଯାଇ ସେଠାରେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ରଖାଯିବ ଓ ପରେ ତାଙ୍କ ମର ଶରୀର ନିଜ ଗ୍ରାମ ଧାନମଣ୍ଡଳକୁ ଅଣାଯାଇ ଏଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି ଜଣାପଡିଛି! ତାଙ୍କ ବିୟୋଗାତ୍ମକ ଖବର ପ୍ରଚାରିତ ହେବା ପରେ ସମଗ୍ର ବଡ଼ଚଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ଶ୍ରୀ ଜେନା ଛାତ୍ର ଜୀବନରୁ ସାମ୍ୟବାଦୀ ବିଚାର ଧାରାରେ ଅନୁପ୍ରାଣିତ ହୋଇ ସଙ୍ଘର୍ଷମୟ ଜୀବନ ଆରମ୍ଭ କରିଥିଲେ! ପରେ ବିଜୁ ଜନତା ଦଳରୁ ଟିକେଟ ପାଇ ସ୍ବର୍ଗତ ଜେନା ଗତ ୨୦୦୪ ରୁ ୨୦୦୯ ଓ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଦୁଇ ଦୁଇ ଥର ଯାଜପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ! ସାଂସଦ ଥିବା ସମୟରେ ସେ ଯାଜପୁର ସମେତ ବଡ଼ଚଣା ଅଞ୍ଚଳର ବିକାଶଧାରାକୁ ତ୍ୱରାନ୍ୱିତ କରିଥିଲେ !
ତାଙ୍କ ଉଦ୍ୟମରେ ଯାଜପୁର ଠାରେ ଜିଲ୍ଲା ଗୌତମ ବୁଦ୍ଧ ସସ୍କୃତି ଭବନ ନିର୍ମାଣ ହୋଇଥିଲା ! ସେହିପରି ତାଙ୍କ ସାଂସଦ ପାଣ୍ଠିରୁ ଚଣ୍ଡିଖୋଲ ସ୍ଥିତ ବାବା ଭୈରଵାନନ୍ଦ ସ୍ୱଂଶାସିତ ମହାବିଦ୍ୟାଳୟ ପରିସରରେ “ନବ ମାଳତୀ ପ୍ରେକ୍ଷାଳୟ” ନିର୍ମାଣ ଆରମ୍ଭ ହୋଇଥିଲା ! ବିରୂପା ନଦୀର ଗଜେନ୍ଦ୍ରପୁର ଠାରେ ଓ ବନମାଳିପୁର ଠାରେ ଦୁଇଟି ସେତୁ ନିର୍ମାଣ ହୋଇଥିଲା ! ସେହିପରି ତାଙ୍କ ଉଦ୍ୟମରେ ପୌରାଣିକ ପୀଠ ଗାଙ୍ଗୀ ପାହାଡକୁ ସବୁଦିନାଆ ରାସ୍ତା ନିର୍ମାଣ କରାଯାଇଥିଲା ! ସେ ଧାନମଣ୍ଡଳ ସ୍ଥିତ ହୋଲି ଜେସସ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସହିତ ଶତାଧିକ ସାମାଜିକ ଅନୁଷ୍ଠାନର ମୁଖ୍ୟ ଭାବେ ଦୀର୍ଘ ବର୍ଷ ଧରି ରହିଥିଲେ!
ତାଙ୍କ ଅକାଳ ବିୟୋଗରେ ଯାଜପୁର ଏମ ପି ଶର୍ମୀଷ୍ଠା ସେଠୀ, ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବିଜେପି ନେତା ଅମର ନାୟକ,ବିଜେଡି ରାଜ୍ୟ ସମ୍ପାଦକ ଜନ୍ମେଜୟ ଲେଙ୍କା,ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ନିରଞ୍ଜନ ସାହୁ,ପ୍ରହଲ୍ଲାଦ ନନ୍ଦ,ଇତିଶ୍ରୀ ସାମଲ,ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ, ବିଶିଷ୍ଟ ସମାଜସେବୀ ଦିବାକର ବିଶ୍ୱାଳ, ଜିଲ୍ଲା ପରିଷଦ ଉପ ସଭାପତି ଗଣେଶ୍ୱର ବରାଳ,ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ବିଜେଡି ଜିଲ୍ଲା ଉପ ସଭାପତି, ଡ଼ଃ ଭାଗ୍ୟଧର ସାହୁ,ଡ଼ଃ ରବୀନ୍ଦ୍ର ବିହାରୀ, ହୋଲି ଜେସସ ବିଦ୍ୟାଳୟର ଅଧ୍ୟକ୍ଷା ଶୁଶ୍ରୀ କାମିନୀ ନାୟକ, ଦଳିତ ନେତା ମନୋରଞ୍ଜନ ଜେନା,କଂଗ୍ରେସ ନେତା ଅଜୟ କୁମାର ସାମଲ, ମୋ ବଡ଼ଚଣା ସଭାପତି ମନୋରମା ଆଚାର୍ଯ୍ୟ,ଅଧ୍ୟାପକ ପବିତ୍ର ମାହାଲା, ସମାଜସେବୀ ଅନନ୍ତ ଷେଣ୍ଡ,ଚଣ୍ଡିଖୋଲ ଓକିଲ ସଙ୍ଘ ସଭାପତି ଦେବରାଜ ବେହେରା,ସମ୍ପାଦକ ପ୍ରକାଶଚନ୍ଦ୍ର ଦାଶ,କିଶୋର ବାରିକ, ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ଶାନ୍ତି, ରମାକାନ୍ତ ରାଉତ, ପ୍ରଦୀପ କୁମାର ଜେନା, ପ୍ରମୋଦ ଜେନା,କଗ୍ରେସ ନେତା ଅଜୟ ସାମଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ! ପ୍ରକାଶ ଥାଉକି, ଶ୍ରୀ ଜେନା ଗତ ୨୦ ଦିନ ତଳେ ଚଣ୍ଡିଖୋଲକୁ ରାଜସ୍ୱ ସବଡିଭିଜନର ମାନ୍ୟତା ଦାବିକରି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ନିଜ ମତ ରଖିବାର ମାତ୍ର କେଇମିନିଟ ପରେ ସେହିଠାରେ ହୃଦଘାତର ଶିକାର ହୋଇଥିଲେ ଓ ସେବେଠୁ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କର ଦେହାନ୍ତ ହୋଇଥିଲା!
