ରେଡିଓ କାର୍ଯ୍ୟକ୍ରମର ୬୭ତମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍’ ,ଆସନ୍ତୁ ଜାଣିବା କଣ କହିଲେ ….
ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କ ସହ ନିଜ ମନର କଥା କହିବା ଅବସରରେ ଦେଶର ବିଜୟ ପାଇଁ ପ୍ରାଣବଳି ଦେଇଥିବା ସେନାନୀମାନଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ଆଜି ୨୬ ଜୁଲାଇ, ଆଜି ଏକ ବିଶେଷ ଦିନ, ଆଜି ହେଉଛି ‘କାର୍ଗିଲ ବିଜୟ ଦିବସ’। ୨୧ ବର୍ଷ ପୂର୍ବେ ଆଜି ଆମର ସେନା କାର୍ଗିଲ ଯୁଦ୍ଧରେ ଭାରତର ବିଜୟର ପତାକା ଉତ୍ତୋଳନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେଉଁ ପରିସ୍ଥିତିରେ କାର୍ଗିଲ ଯୁଦ୍ଧ ହୋଇଥିଲା ତାହା ଭାରତ କେବେ ବି ଭୁଲିପାରିବ ନାହିଁ। ଭାରତର ଅଂଚଳ ଦଖଲ କରିବାକୁ ପାକିସ୍ତାନ ବହୁତ ଚେଷ୍ଟା କରିଥିଲା ଏବଂ ଆମ ଆଭ୍ୟନ୍ତରୀଣ କଳହରୁ ଫାଇଦା ନେବାକୁ ଚେଷ୍ଟା କରିଥିଲା। ସେ କହିଛନ୍ତି, ଏହା କଳ୍ପନା କରିବା କଷ୍ଟ ଯେ ଉଚ୍ଚ ପର୍ବତ ଉପରେ ଶତ୍ରୁ ବସିଥିଲା ଏବଂ ତଳେ ରହି ଆମ ସୈନ୍ୟମାନେ ଯୁଦ୍ଧ କରୁଥିଲେ। ସେଥିରେ ଜିତିବା ଭାରତୀୟ ସୈନ୍ୟବାହିନୀର ପ୍ରକୃତ ବୀରତ୍ୱ ପରିପ୍ରକାଶ କରିଥିଲା।
ସେହିଦିନକୁ ମନେପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ମଧ୍ୟ କାର୍ଗିଲ ଯାଇଥିଲେ ଏବଂ ଆମ ସୈନିକମାନଙ୍କର ବୀରତ୍ୱ ଦେଖିବାର ସୁଯୋଗ ପାଇଥିଲେ। ସେହି ଦିନଟି ମୋ ଜୀବନର ସବୁଠାରୁ ମୂଲ୍ୟବାନ ମୂହୁର୍ତ୍ତ ଥିଲା ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି, ଦେଶର ଲୋକମାନେ ଆଜି କାର୍ଗିଲ ବିଜୟ ଦିବସକୁ ମନେ ରଖିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ନିଜ କାର୍ଗିଲ ହିରୋମାନଙ୍କୁ ପ୍ରଣାମ କରି ସହିଦ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସମସ୍ତ ଦେଶବାସୀଙ୍କ ତରଫରୁ ମୁଁ ଏହି ସାହସୀ ସୈନିକମାନଙ୍କୁ ଏବଂ ସେମାନଙ୍କ ମାତାମାନଙ୍କୁ ପ୍ରଣାମ କରୁଛି। ଦେଶର ଯୁବକମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରି କହିଛନ୍ତି ଯେ କାର୍ଗିଲ ବିଜୟ ସହିତ ଜଡିତ ଆମ ସାହସୀ ସୈନିକମାନଙ୍କ କାହାଣୀ ଓ ବଳିଦାନ ବିଷୟରେ ପରସ୍ପରକୁ କୁହନ୍ତୁ।
