ବେତନଟୀ : ଆଜି ବେତନଟୀ ବ୍ଲକର ନାପିତ ସଂଘ ତରଫରୁ ବଡସାହି ବିଧାୟକ ସନାତନ ବିଜୁଳିଙ୍କୁ ବୈଶିଙ୍ଗା ଠାରେ ଡକାଇ ସଦସ୍ୟ ମାନେ ସେମାନଙ୍କର ଦୁଃଖ କହି ଥିଲେ । ସମ୍ପୂର୍ଣ୍ଣ ଲକ ଡାଉନ ସମୟରେ ସେଲୁନ ଓ ସ୍ପା ଗୁଡିକ ବନ୍ଦ ରହି ଥିଲା । ଏଥିରେ ନାପିତ ମାନଙ୍କର କୌଳିକ ବୃତ୍ତି ପ୍ରଭାବିତ ହୋଇଛି । କରୋନା ଲକଡାଉନ ହେତୁ ଦୀର୍ଘ ତିନି ମାସ ହେବ ନାପିତ ମାନେ ଘରେ ବସି ରହିଛନ୍ତି । ଏହା ଦ୍ୱାରା ପରିବାର ଚଳାଇବା କାଠିକର ପାଠ ହୋଇ ପଡିଛି । ସମାଜରେ ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା, ଲଗ୍ନ ଧରା ଓ ସବୁ ମାଙ୍ଗଳିକ କାର୍ଯ୍ୟରେ ବାରିକର ଆବଶ୍ୟକତା ରହିଛି । ତେବେ ଲକଡାଉନ ହେତୁ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଏବେ ଔପଚାରିକତା କରା ଯାଉଛି । ଫଳରେ ବାରିକ ମାନଙ୍କର ପେଟ ପାଟଣା ପ୍ରଭାବିତ ହୋଇଛି ।
ଏହି ସଂପ୍ରଦାୟକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଉପସ୍ଥିତ ସଦସ୍ୟ ମାନେ ଦାବି କରି ଥିଲେ । ବାରିକ ସଂଘର ସଭାପତି ବୀରେନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ସନାତନ ବିଜୁଳି ଯୋଗ ଦେଇ ଥିଲେ । ସମ୍ମାନୀତ ଅତିଥି ଭାବେ ୩୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ, ଜିଲ୍ଲା କାର୍ଯ୍ୟକର୍ତ୍ତା ବୀରେନ୍ଦ୍ର ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ପ୍ରଶାନ୍ତ ସାମଲ, ସୁଦର୍ଶନ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ । ସଂଘର ସମ୍ପାଦକ ଗୁଣନିଧି ବାରିକ ବିବରଣୀ ପାଠ କରି ଥିଲେ । ତେବେ ସଂପ୍ରତି ପରିସ୍ଥିତିକୁ ଆଖି ଆଗରେ ରଖି ବିଧାୟକ ସନାତନ ବିଜୁଳି ଓ କର୍ମୀ ମାନେ ଉପସ୍ଥିତ ୫୫ ଜଣ ସଦସ୍ୟଙ୍କୁ ଶୁଖିଲା ଖାଦ୍ୟ, ଚାଉଳ, ଡାଲି ଓ ଅନ୍ୟାନ ସାମଗ୍ରୀ ସହାୟତା ଭାବେ ପ୍ରଦାନ କରି ଥିବାର ଜଣା ପଡିଛି ।