ଖଇରା: ବାଲେଶ୍ୱର ଜିଲା ଖଇରା ବ୍ଲକ ବଡନୂଆଗାଁ ପଞ୍ଚାୟତ ଅଧୀନ ପିହାଣଗଡିଆ ଗ୍ରାମରେ ଏକ ସୁରତ ଫେରନ୍ତା ଦମ୍ପତ୍ତିଙ୍କ ବେପରୁଆ କାର୍ଯ୍ୟକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ଉକ୍ତ ଦମ୍ପତ୍ତିଙ୍କୁ ଘରୁ ସ୍ଥାନାନ୍ତର କରି ସଙ୍ଗରୋଧ କେନ୍ଦ୍ରରେ ରଖିବା ଦାବୀରେ ଶତାଧିକ ଗ୍ରାମବାସୀ ଘରୁ ବାହାରିଆସି ରାସ୍ତା ଉପରେ ବସି ରହିଥିଲେ ।
ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଲୋକମାନେ ରାସ୍ତାରୁ ଉଠିଥିଲେ । ଗ୍ରାମର ସୁରତ ଫେରନ୍ତା ଦମ୍ପତ୍ତି ଜଣକ ଶୁକ୍ରବାର ସକାଳେ ଟ୍ରେନରୁ ଓହ୍ଳାଇ ଘରକୁ ଚାଲି ଯାଇଥିଲେ । ସରପଞ୍ଚ,ଆଶା ଓ ଅଙ୍ଗନୱାଡି କର୍ମି ତାଙ୍କୁ ବାଘୁଆ ହାଇସ୍କୁଲ ର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବାକୁ ଅନୁରୋଧ କରିଥିଲେ ମଧ୍ୟ ତାକୁ ସେମାନେ ଭୃକ୍ଷେପ କରି ନଥିଲେ ।
ବର୍ତ୍ତମାନ ସୁରତ ଫେରନ୍ତା ସାରା ରାଜ୍ୟରେ ଉଦ୍ବେଗ ସୃଷ୍ଟି କରିଥିବା ବେଳେ ସେମାନଙ୍କର ଏଭଳି ଖାମଖିଆଲି ନିତୀକୁ ଗ୍ରାମବାସୀ ବିରୋଧ କରି ଗ୍ରାମରାସ୍ତା ଉପରେ ବସି ରହିଥିଲେ । ପରେ ବିଡିଓ ଗ୍ରାମରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିବା ସହ ଉକ୍ତ ସୁରତ ଫେରନ୍ତା ଙ୍କୁ ସଙ୍ଗରୋଧ ରହିବାକୁ ପରାମର୍ଶ ଦେଇଥିଲେ । ସରପଞ୍ଚ ସୁବାସୀନୀ ଦାସଙ୍କୁ ଯୋଗାଯୋଗ କରିବାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।