ବାସୁଦେବପୁର,୧୩/୫(ସ.ବ୍ୟୁ.) ଅଦୃଶ୍ୟ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଆଜି କୋଲକତାରୁ ୪ ଜଣ ଶ୍ରମିକ ପାଦରେ ଚାଲିଚାଲି ଆସି ବାସୁଦେବପୁରରେ ପହଞ୍ଚିଛନ୍ତି । ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ବଡ କାଳିଦାସପୁର ଗ୍ରାମର କିଛି ଶ୍ରମିକ ପରିବାର ପ୍ରତିପୋଷଣ କରିବା ପାଇଁ ଘର ଛାଡି ଇଟା ଭାଟିରେ କାର୍ଯ୍ୟ କରିବା ପାଇଁ ହୋଲି ପରେ ଶ୍ରମିିକମାନେ କୋଲକତା କାମ କରିବାକୁ ଯାଇଥିଲେ । ସେଠାରେ ପହଞ୍ଚି କିଛି ଦିନ କାମ କରିବା ପରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କଟକଣା ଲାଗିଥିଲା ।
କଟକଣା ମଧ୍ୟରେ ଫସି ଯାଇଥିବା ଶ୍ରମିକ ମାସ ମାସ ଧରି ବସି ଖାଇବା ପରେ ଅର୍ଥ ଶେଷ ହେବାରୁ ବାଧ୍ୟ ହୋଇ ଘର ପହଞ୍ଚିବା ପାଇଁ ଜୀବନ ବିକଳରେ ରାତି ଅଧିଆ ଉଠି ପାଦରେ ଚାଲିବା ଆରମ୍ଭ କରିଥିଲେ । କୋଲକତା ଇଟା ଭାଟିରେ ଫସିଥିବା ଏହି ୪ ଜଣ ଶ୍ରମିକ ଜୀବନକୁ ବାଜି ଲଗାଇ ଫେରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ । ପେଟରେ ଭୋକ ଶରୀରକୁ ନିସ୍ତେଜ କରି ଦେଇଥିବା ବେଳେ ଭିଟାମାଟିର ବାସ୍ନା ପାଦକୁ ବଳ ଯୋଗାଇ ଦେଉଥିଲାା । ଶହ ଶହ କିଲୋମିଟର ଅତିକ୍ରମ କରି ଆଜି ଅପରାହ୍ନରେ ପହଞ୍ଚିଥିଲେ ବାସୁଦେବପୁରରେ । ଏହି ଚାରି ଜଣଙ୍କ ମଧ୍ୟରୁ ଜଣେ ବାସୁଦେବପୁର ମାତାଜୀ ମଠ ନିକଟରେ ପଡି ବେହୋସ୍ ହୋଇ ଯାଇଥିଲେ ।
ସ୍ଥାନୀୟ ଲୋକମାନେ ପାଣି ଢାଳି ଶ୍ରମିକଙ୍କୁ ଚେତା ଫେରାଇଥିଲେ । ତାଙ୍କ ପାଖରେ ପୋଲିସ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାଡିରେ ନେଇ କ୍ୱରେଣ୍ଟାଇନ୍ ସେଣ୍ଟରରେ ରଖିଥିଲେ । ବାସୁଦେବପୁର ବ୍ଲକର ୩୬ ଗୋଟି କ୍ୱରେଣ୍ଟାଇନ୍ ସେଣ୍ଟରରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ପ୍ରବାସୀ ସୁରତ୍ ଫେରନ୍ତା ରହିଥିବା ବେଳେ ଅଳ୍ପ ସଂଖ୍ୟକ କୋଲକତା,ବାଙ୍ଗୋଲର ଓ ଚେନାଇ ଫେରନ୍ତା ରହିଛନ୍ତି । ଏହି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ସାମାଜିକ ଦୂରତାକୁ ଭୂଲି ଯାଉଥିବାରୁ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଯଦି ସମସ୍ତଙ୍କର ସ୍ୱାବ ସଂଗ୍ରଣ କରାନଯାଇ ହାତ ଗଣତି କରାଗଲେ ଭୂତାଣୁ ସଂକ୍ରମଣ ଅଧିକ ହେବ ବୋଲି ଅଶଙ୍କା କରାଯାଉଛି ।