Odisha news

ଘରବାହୁଡା ପ୍ରବାସୀ ଶ୍ରମିକଙ୍କ ଭାଗ୍ୟ ସୂତାଖିଅରେ

0

Editorial : ପ୍ରାଣଘାତକ କରୋନା ମହାମାରୀ ଜନିତ ସଂକଟ ମାଡରେ ସମାଜର ପ୍ରାୟତଃ ସବୁ ବର୍ଗର ଲୋକେ ଉଣାଅଧିକେ ପ୍ରଭାବିତ । ବିଶେଷକରି ଦିନ ମଜୁରିଆ,ଖଟିଖିଆ ଓ ଶ୍ରମଜୀବୀ ବର୍ଗର ଲୋକେ ଏହାଦ୍ୱାରା ସର୍ବାଧିକ ପ୍ରପୀଡିତ । ସେମାନଙ୍କ ହାତରୁ କରୋନା ବିଭିଷିକା ଏକପ୍ରକାର କାମଧନ୍ଦା ଛଡେଇ ନେଇଛି କହିଲେ ଅତୁ୍ୟକ୍ତି ହେବନି । ଏଭଳି ଏକ ସଙ୍କଟଜନକ ପରିସ୍ଥିତିରେ ବିନା କୌଣସି ସାଧନ ବା ସମ୍ବଳରେ ସେମାନେ ଯେଝା ଯେଝାର ଘରକୁ ବାହୁଡିଆସିବାକୁ ବାଧ୍ୟ ହେଉଛନ୍ତି । ସେହି ଘରବାହୁଡା ମଜୁରିଆଙ୍କ ମଧ୍ୟରେ ଅଧିକାଂଶ ରାସ୍ତାଘାଟରେ ଫସିଯାଇ ଦୁଃଖଦ ଜୀବନ କାଟୁଛନ୍ତି । ଉକ୍ରଟ ଦାନାପାଣି ସମସ୍ୟା ସେମାନଙ୍କ ପାଇଁ କାଳ ସାଜିଛି । ସେମାନଙ୍କ ଭିତରେ କେତେକ ଯେନତେନ ଉପାୟରେ ପେଟ ପୋଷୁଛନ୍ତି ସତ ହେଲେ ଅଧିକାଂଶ ଭୋକ ଉପାସରେ ଆଉଟିପାଉଟି ହୋଇ ଜୀବନ ସହିତି ସଂଘର୍ଷ କରୁଛନ୍ତି । ପେଟକୁ ଗଣ୍ଡେ ଦାନା କି ଦେହକୁ ଖଣ୍ଡେ କନା ସେମାନଙ୍କ ଭାଗ୍ୟରେ ଜୁଟୁନାହିଁ । ସରକାରଙ୍କ ଘୋଷିତ ମାଗାଣା ରିଲିଫ ସାମଗ୍ର ସେମାନଙ୍କୁ ଅପହଂଚ । ଏହା ଏକ ବଡ ଆହ୍ୱାନ ରୂପେ ସେମାାନଙ୍କ ସମ୍ମୁଖରେ ଉଭା ହୋଇଛିି ।

ଦିନ ମଜୁରିଆ ଜୀବନରେ ଅସ୍ଥିରତା ସୃଷ୍ଟି ହେବାରୁ ଦେଶର ଅର୍ଥନୀତି ସଂକଟାପନ୍ନ ସ୍ଥିତି ଦେଇ ଗତି କରୁଛି । ଦେଶର ଅଧିକାଂଶ କଳକାରଖାନ ତଥା ବୃହତ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ବନ୍ଦ ହୋଇଯାଇଛି । କାରଣ ସେ ସବୁରେ କାମ କରିବାକୁ ଶ୍ରମିକ ବା ଶ୍ରମଜୀବୀ ମିଳୁନାହାଁନ୍ତି । ଏଭଳି ସଂକଟ ସେତେବେଳେ ଯାଇ ଟଳିଯିବ ଯେତେବେଳେ ଶ୍ରମିକମାନଙ୍କୁ ଠିକଣା ଜାଗାରେ ପହୁଁଚାଇ କାମଧନ୍ଦା ଯୋଗାଇ ଦିଆଯିବ । ଏଣେତେଣେ ଫଶିଯାଇଥିବା ମଜୁରିଆଙ୍କୁ କିଭଳି ଫେରାଇ ଆଣିହେବ ସେଥିପାଇଁ ରାଜ୍ୟ ସରକାର ବଡ ଚିନ୍ତାରେ ଘାରି ହେଉଛନ୍ତି । ଖାସକରି ରାଜ୍ୟ ସରକାର ଲକଡାଉନ ଅବଧିର ଅନ୍ତ ଘଟିବାକ୍ଷଣି ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରୟାସ କରୁଥିବା ଜଣାଯାଇଛି ।

ଓଡିଶା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ , ପଂଜାବ ସମେତ ଅନେକ ରାଜ୍ୟର ସରକାର ବସ ପଠେଇ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ କରିସାରିଲେଣି । ଉତ୍ତରପ୍ରଦେଶ ସରକାର ଓ ହରିଆଣା ସରକାରଙ୍କ ସହଯୋଗ ଓ ସମନ୍ୱୟରେ ପ୍ରାୟଶଃ ଦଶହଜାର ଶ୍ରମିକଙ୍କୁ ସେମାନଙ୍କ ଘରେ ପହୁଁଚାଇବାର କାର୍ଯ୍ୟ ଆରମ୍ଭ କରିଦେଲେଣି । ସେହିପରି ହରିଆଣା ସରକାରା ଉତ୍ତରପ୍ରଦେଶର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟ ସୀମାରେ ନେଇ ଛାଡିଦେଇ ଆସିଲେଣି । ଏହାପରେ ଉତ୍ତର ପ୍ରଦେଶର ଯୋଗୀ ସରକାର ନିଜ ରାଜ୍ୟ ବସ ଯୋଗେ ସେମାନଙ୍କୁ ନିଜ ନିଜର ଘରେ ଛାଡି ଦେଇଆସିଛନ୍ତି ।

ଉତ୍ତରପ୍ରଦେଶ ,ରାଜସ୍ଥାନ, ଉତ୍ତରାଖଣ୍ଡ ଓ ବିହାର ରାଜ୍ୟରେ ଫସିଯାଇଥିବା ଶ୍ରମଜୀବୀଙ୍କୁ ଅବିଳମ୍ବେ ଫେରାଇ ଆଣିବାକୁ ରାଜ୍ୟ ସରକାର ତକ୍ରାଳ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ସେମାନଙ୍କ ଆଡୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ନେବାଲାଗି ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ ଦୋହରାଉଛନ୍ତି । ଏଥିପାଇଁ ପଂଜାବ, ଗୁୁଜୁରାଟ, ବିହାର ଓ ପଶ୍ଚିମ ବଙ୍ଗରେ ଆଦି ରାଜ୍ୟ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉଠେଇଛନ୍ତି । ବିଶେଷକରି ମଜୁରିଆ ଓ ଖଟିଖିଆଙ୍କ ପାଇଁ ଯେତେଦୂର ସମ୍ଭବ ତକ୍ରାଳ ବ୍ୟବସ୍ଥା କରାଯାଉ ବୋଲି ସ୍ୱର ଉତ୍ତେଳନ କରୁଛନ୍ତି । ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ନିଜ-ନିଜର ରାଜ୍ୟକୁ ଫେରିଯିବାକୁ ବ୍ୟାକୁଳ ହୋଇ ଉଠୁଛନ୍ତି । ମାତ୍ର ଯେଉଁ ସହରରେ ସେମାନେ ବାସ କରୁଛନ୍ତି ସେମାନଙ୍କ ସମସ୍ୟା ପ୍ରତି ନିଘା ରଖିବା ନିହାତି ଜରୁରୀ ।

ବାସ୍ତବରେ ସହରରେ ନିର୍ଦ୍ଦନ ବର୍ଗରେ ଦୁଇଟି ଶ୍ରେଣୀ ଅଛନ୍ତି । ପ୍ରଥମ ଶ୍ରେଣୀଭୁକ୍ତ ଲୋକ ହେଉଛନ୍ତି ସେଇମାନେ ଯେଉଁମାନେ କି ଦୀର୍ଘ ସମୟ ଧରି ମୁମ୍ବାଇ ଭଳି ମହାନଗର ତଥା ବଡ ବଡ ସହରରେ ରହିବା ଯୋଗୁଁ ମାନସିକ ସ୍ତରରେ ଅସ୍ତବ୍ୟସ୍ତ ହୋଇଗଲେଣି । ଯେଉଁଠି ସେମାନଙ୍କ ଭିଟାମାଟି ତଥା ଝାଟିମାଟି ଘର ଆଉ ଯେଉଁଠି ସେମାନଙ୍କ ଆତ୍ମଜଙ୍କ ସହିତ ଆତ୍ମିକ ସମ୍ପର୍କ ସେଇଠି ଲେଉଟିଯିବାକୁ ସେମାନେ ସତତଃ ବ୍ୟାକୁଳିତ ହୋଇପଡୁଛନ୍ତି । ଲକଡାଉନ ଭଳି ସଂକଟ ସମୟରେ ସେମାନେ ନିଜର ଜୀବନଜୀବିକା ହରାଇ ବସିଛନ୍ତି । ନିଜର ବନ୍ଧୁପରିଜନ ଓ ଆତ୍ମୀୟସ୍ୱଜନ ସଂପର୍କରେ ଆସିଲେ ସେମାନେ ଅନ୍ତତଃ ଭୋକଦାଉରୁ ରକ୍ଷା ପାଇଯିବେ ବୋଲି ଆଶା ପୋଷଣ କରୁଛନ୍ତି ।

ଏଥିପାଇଁ କଷ୍ଟ ଯନ୍ତ୍ରଣାକୁ ତ ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ତାହା ସେତେଟା ଅସହ୍ୟ ହେବନାହିଁ । ଅପରପଟେ ଦ୍ୱିତୀୟ ଶ୍ରେଣୀରେ ଏଭଳି ଲେକ ଅଛନ୍ତି ଯେଉଁମାନେ ସ୍ୱଳ୍ପକାଳୀନ ରୋଜଗାର ବିଶେଷକରି ଠିକା ଶ୍ରେଣୀର ପରିସରଭୁକ୍ତ । ସେମାନଙ୍କର ନା ରହିଚି ମାଲିକଙ୍କ ସହିତ ଗଭୀର ସମ୍ପର୍କ ନା ଅଛି ସାଇପଡିଶାଙ୍କ ସହିତ ବସାଉଠା ।

ପ୍ରାୟତଃ ଅଧିକାଂଶ ଶ୍ରମଜୀବୀ ଗୋଟିଏ ଭଡାଘରେ ଖୁନ୍ଦାଖୁନ୍ଦି ଜକାଜକି ହୋଇ ରହନ୍ତି । ସ୍ଥାନୀୟ ଶକ୍ତିଶାଳୀ ଘର ମାଲିକ କେତେ ବେଳେ ସେମାନଙ୍କୁ ଘର ଖାଲି କରିବାପାଇଁ କହିପାରେ ବୋଲି ଉପୁଜିଛି ଆଶଙ୍କା । ଅଧିକିନ୍ତୁ ସେମାନଙ୍କ ନିକଟରେ ନା ସଂଚିତ ଅର୍ଥରାଶୀ ଅଛି ନା ମହଜୁଦ ଅଛି ଖାଦ୍ୟ ଭଣ୍ଡାର । ଏପରିକି ସେମାନଙ୍କର ରୋଷେଇ ଘର ଖଣ୍ଡେ ବି ନାହିଁ । ସେମାନେ ଆଖପାଖ ଛୋଟ ଛୋଟ ଢାବାକୁ ଯାଇ ଖାନାପିନା କରନ୍ତି । ଏହି ଗୋଷ୍ଠୀର ଲୋକଙ୍କୁ ବିଶେଷ ଭାବରେ ସାହାଯ୍ୟ ଦେବାର ଆବଶ୍ୟକତା ରହିଛି ।

ସହାୟତା ଯଦିଓ ଦିଆଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ ଏଥିପାଇଁ ସହାୟତା ରାଶୀକୁ ବଢାଇବା ଏକାନ୍ତ ଆବଶ୍ୟକ । ବର୍ତ୍ତମାନର ଲକଡାଉନ ସମୟରେ କୌଣସି ଶ୍ରମୀକଙ୍କୁ ବେତନରୁ ବଂଚିତ ନ କରିବାକୁ ଆମ ଦେଶର ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି । ସାଂପ୍ରତିକ ପରିସ୍ଥିତିରେ ଦଙ୍ଗା ଓ ହିଂସା ସମୟରେ ଏଭଳି ଲୋକଙ୍କ ସଖ୍ୟା ବହୁତ ବଢିଯାଇଥିବାରୁ ସେମାନଙ୍କ ଜୀବନଜୀବିକା ବିପନ୍ନ ହୋଇଛି । ବାସସ୍ଥାନ ଘରଦ୍ୱାର ଓ ଝୁପୁଡି ମଧ୍ୟ ଦଙ୍ଗାରେ ଜଳିପୋଡି ପାଉଁସ ହୋଇଯାଇଛି ।ଁ ବର୍ତ୍ତମାନର ଲକଡାଉନର କଠୋର ନିୟମ ସେମାନଙ୍କ ଅବସ୍ଥାକୁ ଆହୁରି ବେହାଲ କରିଦେଇଛି । ସେଥିପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସହାୟତା ରାଶୀ ପ୍ରଦାନ କରାଯିବା ଆବଶ୍ୟକ ।

ଗ୍ରାମାଂଚଳରେ ଗରିବ ନିଃସ୍ୱ ବସ୍ତି ଓ ସହରରେ ଝାଟିମାଟି ଓ ଝୁପୁଡି ଘରେ ମୁଣ୍ଡ ଗୁଂଜୁଥିବା ମଜୁରିଆର ପରିବାର ଏଭଳି ଅବସ୍ଥାରେ ଅଛନ୍ତି ଯେଉଁଠି ସ୍ୱାଭାବିକ ପରିସ୍ଥିତିରେ ବି ସର୍ବନିମ୍ନ ଆବଶ୍ୟକତା ଅଭାବ ଯଥା- ବିଶେଷକରି ଖାଦ୍ୟ ସ୍ୱଛ ପେୟଜଳ ଓ ସ୍ୱଛତା ସଂକ୍ରାନ୍ତ ସମସ୍ୟା ସହିତ ଜୁଝୁଛନ୍ତି । ଖାଲି ସେତିକି ନୁହେଁ , ନିର୍ଦ୍ଧନ ବ୍ୟକ୍ତି,ନିସଙ୍ଗ ବୃଦ୍ଧ, ବିଧବା ତଥା ନିକାଂଚନ ମହିଳା ,ବିକଳାଙ୍କ ପ୍ରଭାବିତ ବ୍ୟକ୍ତି, ଉକ୍ରଟ ଦୂରାରୋଗ୍ୟ ବ୍ୟାଧୀରେ ପୀଡିତ ବ୍ୟକ୍ତି ଓ ମାନସିକ ରୋଗୀ ମଧ୍ୟ ଲକଡାଉନ ବା ତାଲାବନ୍ଦୀ ସମୟରେ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି । ତେଣୁ ସେମାନଙ୍କ ପାଇଁ ବିଶେଷ ସହାୟତାର ଆବଶ୍ୟକତା ରହିଛି ।

ଗ୍ରାମାଂଚଳ ଓ ସହରାଂଚଳରେ ବି ଅଧିକାଂଶ ପରିବାର ଏମିତି ଅଛନ୍ତି ଯେଉଁମାନେ ଘରସଉଦା ବା ଚିଜ ମହଜୁଦ କରିବାରେ ସଂପୂର୍ଣ୍ଣ ଭାବେ ଅସମର୍ଥ । ସେମାନଙ୍କ ପାଶେ ପ୍ରାୟଶଃ ଖାଦ୍ୟ ସୁୂରକ୍ଷା ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବହୁଦିନ ପାଇଁ ନ ଥାଏ । ସେମାନଙ୍କର ରାସନ କାର୍ଡ ଥିଲେ ବି ବାୟୋମେଟ୍ରିକ ସଂକ୍ରାନ୍ତ ଅନେକ ତୃଟି ସେଥିରେ ପରିଲକ୍ଷିର ହେଉଛି ।

ଯେଉଁଥିପାଇଁ ସେମାନେ୍ ରାସନ ପାଇବାରୁ ବଂଚିତ ହେଉଛନ୍ତି । ପୁନଶ୍ଚ ରାସନ କାର୍ଡରେ ସେମାନଙ୍କ ପରିବାର ସବୁ ସଦସ୍ୟଙ୍କ ନାମ ଉଲ୍ଲ୍ଖେ ନ ଥିବାରୁ ସେମାନଙ୍କ ହାତକୁ ରାସନ ଆସୁନାହିଁ । ଏଥିସହିତ, ଅନେକ ପରିବାର ଦାରିଦ୍ର୍ୟତାର କଷଠି ପଥରରେ ଘାଂଟିଚକଟି ହୋଇ ରାସନ କାର୍ଡ ଖଣ୍ଡେ ପ୍ରାପ୍ତ କରିପାରୁ ନାହାଁନ୍ତି । ଫଳରେ ସେମାନଙ୍କୁ ଅନେକ ଅସୁବିଧାର ସାମନା କରିବାକୁ ପଡୁଛି । ଏସବୁକୁ ଦୃଷ୍ଟିରେ ରଖି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହୁଁଚାଇବାର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉ

Leave A Reply