ଅନୁଗୁଳ: ବାହାର ଜିଲ୍ଲାରୁ ଅନୁଗୁଳ ଜିଲ୍ଲାରେ ଥିବା ଶ୍ରମିକ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଜିଲ୍ଲାକୁ ପଠାଯିବାର ପ୍ରକି୍ରୟା ଚାଲୁ ରହିଛି । ଶୁକ୍ରବାର ପ୍ରଶାସନର ସହାୟତାରେ ବସ୍ରେ କଳାହାଣ୍ଡି ଜିଲ୍ଲାର ୩୨ ଜଣ, ବୈଦ୍ଧର ଜଣେ ଏବଂ ବଲାଙ୍ଗୀରର ୨୦ ଜଣ ଶ୍ରମିକଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଇ ଦିଆଯାଇଛି ।
ନିଜେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ କୋଭିଡ-୧୯ର ନୋଡାଲ ଅଫିସର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶ୍ରମିକ ମାନଙ୍କୁ ବସରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ପଠାଯାଇଛି । ସରକାରଙ୍କ ନିୟମାବଳୀକୁ ଅନୁସରଣ କରି ବସ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଶ୍ରମିକ ମାନଙ୍କୁ ସିଟ୍ରେ ବସାଯିବା ସହ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଛି ।
ଶ୍ରମିକ ମାନଙ୍କୁ ପ୍ରତ୍ୟେକ ଦିନ ବ୍ୟବସ୍ଥିତ ଓ ସୁରକ୍ଷିତ ଭାବରେ ପଠାଯିବା ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବଧ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଏହାଛଡା ସରକାରଙ୍କ ନିୟମାବଳୀ ଓ ରୁଟ୍ ଚାଟ୍ ସମ୍ପର୍କରେ ବସ ଚାଳକ ମାନଙ୍କୁ ଅବଗତ କରିଥିଲେ । ଏହି ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବା ନିମନ୍ତେ ନିୟୋଜିତ ଡେପୁଟି କଲେକ୍ଟର ବୈତୁରା ଦୀପ, ଏପିଡି ଫାଇନାନ୍ସ ଅବିନାଶ ମହାନ୍ତି ଏବଂ ଏପିଡି ଟ୍ରେନିଙ୍ଗ ରାକେଶ କୁମାର କୁଣ୍ଡୁ ପ୍ରମୁଖ ଉପସ୍ଥିତ ରହି ଶ୍ରମିକ ମାନଙ୍କୁ ବ୍ୟବସ୍ଥିତ ଭାବେ ପଠାଇବାରେ ସହଯୋଗ କରିଥିଲେ ।