ନିମାପଡା :ଆଜି ସଂଧ୍ୟାରେ ନିମାପଡା ବ୍ଲକ ଅନ୍ତର୍ଗତ ଶଗଡା ପଂଚାୟତ ଠାରେ ଥିବା ସରକାରୀ ଜୟଦୁର୍ଗା କଲ୍ୟାଣ ମଣ୍ଡପ କୋଭିଡ-୧୯ ସଂଗରୋଧ କେନ୍ଦ୍ର ପରିସରରେ ପ୍ରେମୀ ଯୁଗଳଙ୍କ ବିବାହ ହୋଇଛି ।ପ୍ରକାଶ ଯେ,ନିମାପଡା ଥାନା ଅନ୍ତର୍ଗତ ଶଗଡା ଗ୍ରାମର ସୈାରଭ ଦାସ (୨୦) ଓ ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ଗ୍ରାମର ପିଙ୍କିରାଣୀ ଦାସ(୧୯)ଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ।
ଗତ ୧ବର୍ଷ ତଳେ ଘର ଛାଡି ଦୁହେଁ ଗୁଜୁରାଟର ଅହମଦାବାଦ ପଳାଇଥିଲେ ।କରୋନା ପାଇଁ ଲକ ଡାଉନ ଘୋଷଣା ହେବା ପରେ ଦୁହେଁ ସରକାରଙ୍କର ନିୟମନୁଯାୟୀ ଓଡିଶା ଫେରିବା ପାଇଁ ନିଜ ନାମ ପଂଚିକରଣ କରିଥିଲେ ।ଫେରିବା ପରେ ଦୁହେଁ ଶଗଡା ଜୟଦୁର୍ଗା ସରକାରୀ କଲ୍ୟାଣ ମଣ୍ଡପ ସଂଗରୋଧ କେନ୍ଦ୍ରରେ ରହିଥିଲେ ।
ସ୍ୱାବ ପରୀକ୍ଷାରେ ଦୁହିଁଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।ସଂଗରୋଧ ରହିବାର ଆଜି ତାଙ୍କର ଶେଷଦିନ ହୋଇଥିଲା ।ଦୁହେଁ ପ୍ରେମିଯୁଗଳ ଏହି ଠାରେ ବିବାହ କରି ଘରକୁ ଯିବା ପାଇଁ ଇଛାପ୍ରକାଶ କରି ସଂଗରୋଧ ଦାୟିତ୍ୱରେ ଥିବା ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ କହିଥିଲେ ।ସଂଗରୋଧରୁ ବାହାରିବା ପରେ ସଂଧ୍ୟାରେ ଉକ୍ତ କଲ୍ୟାଣମଣ୍ଡପ ପରିସରରେ ଦୁହିଁଙ୍କ ବିବାହ ପର୍ବ ଅନୁଷ୍ଠିତ ହୋଇଥିଲା ।ସଂଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ ମୋହନ ସାହୁ ବରପିତା ହୋଇଥିବା ବେଳେ ଶିକ୍ଷକ ଭଗବାନ ସେଠୀ କନ୍ୟାପିତା ହୋଇ ବିବାହ କାର୍ଯ୍ୟ ସମାପନ କରିଥିଲେ ।
ଏହି ନିଆରା ବିବାହ ସମୟରେ ବର,କନ୍ୟା ଓ ଉପସ୍ଥିତ ଜନପ୍ରତିନିଧି,ସରକାରୀ କର୍ମଚାରୀମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିଥିଲେ ।ଜିଲ୍ଲାପରିଷଦ ସଭ୍ୟା ସ୍ୱର୍ଣ୍ଣଲତା ପ୍ରଧାନ,ସରପଂଚ ଅମିତା ମଲ୍ଲିକ,ନୋମିନୀ ଗଗନ ପଲେଇ,ପୂର୍ବତନ ସରପଂଚ ଭାଗ୍ୟଧର ଖଟୋଇ,ୱାର୍ଡସଭ୍ୟ ଇଶ୍ୱର ବେହେରା,ଅଶାକର୍ମୀ କାବେରୀ ପ୍ରଧାନ,ଅଙ୍ଗନୱାଡି କର୍ମୀ ସ୍ନେହଲତା ସେଠୀ ପ୍ରମୁଖଙ୍କ ଉପସ୍ଥିତି ଓ ସହଯୋଗରେ ଏହି ବିବାହ କାର୍ଯ୍ୟ ଶେଷ ହୋଇଥିଲା ।ସମସ୍ତେ ନବ ଦମ୍ପତିଙ୍କୁ ଆର୍ଶିବାଦ ପ୍ରଦାନ କରି ସେମାନଙ୍କ ବୈବାହିକ ଜୀବନ ସୁଖମୟ କାମନା କରିଥିଲେ ।ବିନା ବାଜା,ବାଣ,ରୋଷଣିରେ କରୋନା ଲକଡାଉନ ସମୟରେ ସଂଗରୋଧ କେନ୍ଦ୍ର ପରିସରରେ ପ୍ରେମୀଯୁଗଳଙ୍କ ଏହି ନିଆରା ବାହାଘର ନିମାପଡା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ବିବାହ ପରେ ନବଦମ୍ପତି ନିଜ ଘରକୁ ଯାଇଥିବା ଜଣାପଡିଛି ।