Odisha news

ଭେଡା-ଆନନ୍ଦବଜାର ପ୍ରଧାନମନ୍ତ୍ରୀ ସଡକ : କାର୍ଯ୍ୟ ନସରୁଣୁ ରାସ୍ତାରୁ ଉଠୁଛି ପିଚୁ ଓ ଗୋଡି

0

କୋଠପଦା :ଯନ୍ତ୍ରୀ-ଠିକାଦାର ସଲାସୁତରାରେ ଚାଲିଛି ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ । କାର୍ଯ୍ୟ ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀଙ୍କ ଦେଖା ମିଳୁନଥିବା ବେଳେ ଠିକାଦାର ସରକାରୀ ମାନଦଣ୍ଡକୁ ଅଣଦେଖାକରି ନିଜ ମନମାନିରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରୁଥିବାରୁ ସଡକ କାର୍ଯ୍ୟ ଶେଷ ନହେଉଣୁ ରାସ୍ତାରୁ ପିଚୁ ବଜୁରି ଗୋଡି ଉଠିଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଶ୍ରମିକଙ୍କ ହାତରେ ନିର୍ଭର କରିଛି ସଡକ ସ୍ଥାୟୀତ୍ୱର ଭାଗ୍ୟ । ଏପରି ନିମ୍ନମାନର  ଚାଲିଛି ମାହାଙ୍ଗା ବ୍ଲକ ଭେଡା ପଞ୍ଚାୟତ ଅନ୍ତର୍ଗତ  ଭେଡା-ଆନନ୍ଦବଜାର ପ୍ରଧାନମନ୍ତ୍ରୀ ସଡକ କାର୍ଯ୍ୟ । ଗ୍ରାମ୍ୟ ଉନ୍ନୟନ ବିଭାଗ ମାହାଙ୍ଗା-୨ ଅଧିନରେ ଭେଡା ଆନନ୍ଦ ବଜାର ପ୍ରଧାନମନ୍ତ୍ରୀ ସଡକର ନବୀକରଣ ଓ ପ୍ରସସ୍ତି କରଣ ନିର୍ମାଣ କାର୍ଯ୍ୟ ପାଇଁ ୫.୮୫୦କି.ମି ଲମ୍ବ ବିଶିଷ୍ଟ ଉକ୍ତ ସଡକ ପ୍ରକଳ୍ପ ପାଇଁ ମୋଟ ୨କୋଟି ୬୫ ଲକ୍ଷ ୩୦ହଜାର ୮ଶହ ୨୦ ଟଙ୍କା ବ୍ୟୟ ଅଟକଳ କରାଯାଇଅଛି । ଏଥି ସହିତ ରାସ୍ତା ପାଶ୍ୱର୍ରେ ୦.୩ଶହ କି.ମି ଡ୍ରେନ ନିର୍ମାଣର ବ୍ୟବସ୍ଥା ମଧ୍ୟ ରହିଛି ଏବଂ ଏହି ପ୍ରକଳ୍ପ କାର୍ଯ୍ୟ ୪.୪.୨୦୨୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଅବଧି ଧାର୍ଯ୍ୟ କରାଯାଇଥିଲା ।

ତେବେ ଏଯାବତ ଚୁକ୍ତି ଅବଧି ଶେଷ ହୋଇ ଯାଇଥିଲା ବେଳେ କେବଳ ଚଳିତ ସପ୍ତାହରେ ପିଚୁ କାର୍ଯ୍ୟ କରାଯାଇଥିଲା ବେଳେ ସଡକର ଅବଶିଷ୍ଟ କଂକ୍ରିଟ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ କରାଯାଇ ପାରି ନାହିଁ । ଏପରିକି ନିର୍ମାଣ ସ୍ଥଳରେ ଯନ୍ତ୍ରୀ ଓ କର୍ମଚାରୀ ବହୁ ସମୟରେ ଅନୁପସ୍ଥିତ ରହୁଥିବାରୁ ପିଚୁ ହେବା ପୂର୍ବରୁ ରାସ୍ତାରୁ ଧୁଳିବାଲି ସଫାକରା ନଯାଇ ଅତି ତରବରିଆ ଭାବେ ପିଚୁ କାର୍ଯ୍ୟ କରାଯାଇଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାଣରେ ଅସନ୍ତୋଷ ଦେଖାଦେଇଛି । ଏହି ରାସ୍ତାର ନବୀକରଣ ଓ ପ୍ରସସ୍ତିକରଣ କାର୍ଯ୍ୟ ଶେଷ ହେଲେ ବରାହିପୁୂର, ଭେଡା, ରାମକୃଷ୍ଣପୁର, ଯସରାଜପୁର, ସମସରପୁର ପ୍ରଭୃତି ଗ୍ରାମର ପ୍ରାୟ ୫ହଜାର ଗ୍ରାମବାସୀ ଉପକୃତ ହେବାକୁ ଥିବାବେଳେ ଠିକାଦାରର ଏପରି ନିମ୍ନମାନର କାର୍ଯ୍ୟ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏ ସମ୍ପର୍କରେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଉକ୍ତ ସଡକ କାର୍ଯ୍ୟ ଅନୁଧ୍ୟାନ କରୁଥିବା କହିଛନ୍ତି । ଏହାର ଉଚ୍ଚସ୍ଥରୀ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବିଭାଗୀୟ ସଚୀବଙ୍କ ନିକଟରେ ସାଧାରଣରେ ଦାବି ହୋଇଛି ।

Nalco

Leave A Reply