କୋଣାର୍କ :ଦାୟିତ୍ୱ ନେବାର ଦିନକ ପରେ ବୁଧବାର ସନ୍ଧ୍ୟାରେ ପୁରୀଜିଲ୍ଲାର ନବନିଯୁକ୍ତ ପୁଲିସ ଏସପି ଅଖିଳେଶ୍ୱର ସିଂ କୋଣାର୍କ, ରାମଚଣ୍ଡୀ ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପରିଦର୍ଶନ କରିଛନ୍ତି ।ନୂତନ ଏସପି କୋଣାର୍କ ଥାନାରେ ପହଞ୍ଚିବା ପରେ କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ ଓ କୋଣାର୍କ ଥାନା କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।ଏସପି ଶ୍ରୀ ସିଂ କୋଣାର୍କ ଥାନା ପରିଦର୍ଶନ କରିବା ଅବସରରେ ଥାନା ପରିସରର ସ୍ବଛତା, ହାଜତର ସ୍ଥିତି , କର୍ମଚାରୀଙ୍କ ଆବଶ୍ୟକତା ଓ ସ୍ଥିତି ଭଳି ଗୁରୁତ୍ବପୂର୍ଣ୍ଣ ଦିଗକୁ ଟିକିନିଖି ଭାବେ ଅନୁଧ୍ୟାନ କରିଥିଲେ । ଥାନାକୁ ଅଭିଯୋଗ ପାଇଁ ଆସୁଥିବା ଏକାଧିକ ଲୋକଙ୍କ ଠାରୁ ସେ କୋଣାର୍କ ପୁଲିସ ର ସାଧାରଣ ଲୋକଙ୍କ ପ୍ରତି ବ୍ୟବହାର ସଂପର୍କରେ ପଚାରି ବୁଝିଥିଲେ ।
କେବଳ କୋଣାର୍କ ନୁହେଁ ରାମଚଣ୍ଡୀ ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନରେ ମଧ୍ୟ ସେ ଉକ୍ତ ଦିଗ ଗୁଡ଼ିକୁ ଟିକିନିଖି ଭାବେ ବୁଲି ଦେଖିଥିଲେ । କୋଣାର୍କ ଭଳି ଏକ ଆର୍ନ୍ତଜାତୀୟ ପର୍ଯ୍ୟଟନସ୍ଥଳୀରେ ଆଇନ ଶୃଙ୍ଖଳା ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଥିଲେ ।ଏଥି ସହିତ କୋଣାର୍କରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତି ମାନେ ଏବେଠାରୁ ସୁଧୁରିଯାଇ ସାମାଜିକ ଜୀବନଯାପନ କରିବା ପାଇଁ ସେ ଅପିଲ କରିଥିଲେ । କୌଣସି ପରିସ୍ଥିତିରେ ଥାନାକୁ ଆସୁଥିବା ବ୍ୟକ୍ତି ଙ୍କ ପ୍ରତି ଅଶୋଭନୀୟ ପ୍ରଦର୍ଶନ କରୁଥିବା ପୁଲିସ କର୍ମଚାରୀ ଓ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ କ୍ଷମା କରାଯିବାର ସୁଯୋଗ ନାହିଁ ବୋଲି ସେ ରୋକଠୋକ ଭାବେ କହିଥିଲେ ।
ବିଶେଷ କରି କୋଣାର୍କ ଥାନାରେ ଯେଭଳି କୌଣସି ସାଧାରଣ ନାଗରିକ କିମ୍ବା ପର୍ଯ୍ୟଟକ ପୁଲିସ ଦ୍ବାରା କୌଣସି ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଦିଗରେ ସଜାଗ ରହିବାକୁ ସେ ଥାନା କର୍ମଚାରୀଙ୍କୁ ଚେତାଇ ଦେଇଥିଲେ ।ନୂତନ ଏସପିଙ୍କ ଏହି ଗ୍ରସ୍ତ ସମୟରେ ରାମଚଣ୍ଡୀ ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଦାୟିତ୍ବରେ ଥିବା ଭାରପ୍ରାପ୍ତ ଅଧିକାରିଣୀ ନିଳୀମା ପଟ୍ଟନାୟକ ଉପସ୍ଥିତ ରହିଥିଲେ ।ଏସପି ଙ୍କ ଏହି ଗ୍ରସ୍ତ ସମୟରେ କୋଣାର୍କ ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
